ଉତ୍ତରପ୍ରଦେଶ ଲକ୍ଷ୍ମିପୁରରେ ହିଂସାକାଣ୍ଡ ମାମଲା: ପୀଡିତଙ୍କ ପରିବାରକୁ ଭେଟିବାକୁ ଯାଇଥିବା ପ୍ରିୟଙ୍କା ଗାନ୍ଧୀ ଅଟକ

ଅଖିଳେଶ ଯାଦବଙ୍କ ଘର ବାହାରେ ବ୍ୟାପକ ପୁଲିସ ମୁତୟନ; ମନ୍ତ୍ରୀଙ୍କ ପୁଅ କାର ମାଡିଯିବାରୁ ୪ଜଣ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

95

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଲକ୍ଷ୍ମୀପୁରରେ ହିଂସକାଣ୍ଡକୁ ନେଇ ରାଜନୀତି ତେଜିବାରେ ଲାଗିଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିଳମ୍ବତ ରାତିରେ ଲକ୍ଷ୍ନୌରେ ପହଂଚିଥିଲେ । ଏହାର କିଛି ସମୟ ପରେ ପୀଡ଼ିତଙ୍କ ପରିବାର ଲୋକଙ୍କୁ ଭେଟିବା ପାଇଁ କ୍ଷେରୀ ଯିବାକୁ ଉଦ୍ୟମ କରିଥିଲେ । ଭୋର ପ୍ରାୟ ସାଢେ ୫ଟାରେ ସୀତାପୁରର ହରଗାଁଓରେ ପ୍ରିୟଙ୍କାଙ୍କୁ ଅଟକାଇଥିଲା ପୋଲିସ । ପ୍ରିୟଙ୍କା ଗାଡିରୁ ଓହ୍ଲାଇ କିଛି ସୟମ ଚାଲି ଚାଲି ଯାଇଥିଲେ । ଏହି ସମୟରେ ପୋଲିସ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା । ପ୍ରିୟଙ୍କାଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି । ତାଙ୍କୁ ସୀତାପୁର ଗେଷ୍ଟ ହାଉସ୍ ନିଆଯାଇଛି । ପ୍ରୟିଙ୍କାଙ୍କୁ ଗିରଫ କରାଯାଇଥିବା ଯୁବ କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ।

ପ୍ରିୟଙ୍କା ଅଭିଯୋଗ କରିଛନ୍ତି, ତାଙ୍କୁ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଦିଆଯାଉନାହିଁ । କୃଷକଙ୍କ ସ୍ୱର ଦବାଇବାକୁ ଚେଷ୍ଟା କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ ବାଡ୍ରାଙ୍କୁ ପୋଲିସ ନିଜ ହେପାଜତକୁ ନେଇଥିବାରୁ କଂଗ୍ରେସର ବିରୋଧ । ଗେଷ୍ଟ ହାଉସ୍ ବାହାରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସକାଳୁ ସକାଳୁ ଶତାଧିକ କଂଗ୍ରେସ କର୍ମୀ ଗେଷ୍ଟ ହାଉସ୍ ନିକଟରେ ପହଂଚିଯାଇଥିଲେ । ପ୍ରିୟଙ୍କା ଗାନ୍ଧୀଙ୍କୁ କାହିଁକି ପୋଲିସ ନିଜ ହେପାଜତକୁ ନେଇଛି ବୋଲି ପ୍ରଶ୍ନ କରିଥିଲେ । କଂଗ୍ରେସ କର୍ମୀମାନେ ଗେଷ୍ଟ ହାଉସ୍ ଭିତରକୁ ଧଶେଇ ପଶିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ସହ ଆନ୍ଦୋଳନକାରୀଙ୍କ ଧସ୍ତାଧସ୍ତି ହୋଇଥିଲା ।

ସେପଟେ, ଲକ୍ଷ୍ମୀପୁର ହିଂସାକାଣ୍ଡ ପରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଘର ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା କୁହାଯାଉଛି । ସେ ଆଜି ଲକ୍ଷ୍ମୀପୁର ଯିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ତାଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେହିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଓ ପଂଜାବ ଉପମୁଖ୍ୟନ୍ତ୍ରୀଙ୍କୁ ଲକ୍ଷ୍ମୀପୁର ଯିବା ପାଇଁ ଅନୁମତି ମିଳିନାହିଁ । ତାଙ୍କ ବିମାନ ଅବତରଣ କରିବା ପାଇଁ ଅନୁମତି ଦିଆଯାଇନାହିଁ ।