କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳୁଛି ବିରୋଧୀଙ୍କ ଏକତା । ବୁଧବାର ଦିଲ୍ଲୀରେ ପୁଣି ହୋଇଛି ବିରୋଧୀ ମେଳି । ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡିକ ଏକାଠି ହେବାକୁ ପୁଣି ଥରେ ଅଣ୍ଟା ଭିଡିଛନ୍ତି । କ୍ଷମତାସୀନ ବିଜେପି ସରକାର ବିରୋଧରେ ରଣନୀତି ପ୍ରସ୍ତୁତ କରିବା ପାଇଁ ଆଜି ଦିଲ୍ଲୀରେ ବୈଠକ କରିଛନ୍ତି କଂଗ୍ରେସ ଜେଡିୟୁ ଓ ଆରଜେଡି । ଏହି ୩ ପ୍ରମୁଖ ଦଳ ଏକାଠି ବୈଠକ କରିଥିବାବେଳେ କଂଗ୍ରେସ ଏହାକୁ ଐତିହାସିକ ପଦକ୍ଷେପ ବୋଲି କହିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ଼ ଖଡ଼ଗେଙ୍କୁ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ।

Advertisment

ନୀତିଶ କୁମାର, ତେଜସ୍ୱୀ ଯାଦବ, ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନଙ୍କ ମଧ୍ୟରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକ ପରେ ନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କଂଗ୍ରେସ ନେତା ରାହୁଲ କହିଛନ୍ତି ବିରୋଧୀଙ୍କୁ ଏକଜୁଟ କରିବା ଆମର ପ୍ରଥମ ଲକ୍ଷ୍ୟ । ଦେଶର ଭିଜନକୁ ବିକଶିତ କରାଯିବ । ଦେଶ ଓ ଦେଶର ଗଣତନ୍ତ୍ର ଉପରେ ଯେଉଁ ଆକ୍ରମଣ ହେଉଛି ତା ବିରୋଧରେ ବିରୋଧୀ ଜାରି ରଖିବେ ଲଢ଼େଇ । ଚର୍ଚ୍ଚା ହେଉଛି କଂଗ୍ରେସ ସେହି ଦଳମାନଙ୍କୁ ବିରୋଧୀ ଏକତାରେ ସାମିଲ କରିବାକୁ ଚାହୁଁଛି ଯେଉଁମାନଙ୍କ ସହ ବିଚାରଧାରା ଖାପ ଖାଉଛି ।

ସେପଟେ ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି ଏକ ବଡ ଅଭିଯାନର ପ୍ରସ୍ତୁତି କରାଯାଉଛି । ଅଧିକରୁ ଅଧିକ ଦଳଙ୍କୁ ସାମିଲ କରାଯାଇ ବିରୋଧୀ ମୋର୍ଚ୍ଚାକୁ ଅଧିକ ମଜବୁତ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେପଟେ ଖଡ଼ଗେ କହିଛନ୍ତି ବୈଠକ ଐତିହାସିକ ପଦକ୍ଷେପ ଅଟେ । ଆଗାମୀ ନିର୍ବାଚନରେ ସବୁ ବିରୋଧୀଙ୍କୁ ଏକାଠି କରିବା ଲକ୍ଷ୍ୟ ରହିଛି ।