ପ୍ରବାସୀଙ୍କ ମୁହଁରେ ପୁଣି ହସ ଫୁଟାଇଲେ ‘ସୁପରମ୍ୟାନ୍ ସୋନୁ’ । ବାର୍ଥଡେ’ରେ କଲେ ବଡ଼ ଘୋଷଣା, ମନମୁତାବକ ଦେବେ ୩ ଲକ୍ଷ ଚାକିରି । ଜନ୍ମଦିନରେ ଅନ୍ୟର ଜୀବିକା ଚିନ୍ତା କରୁଥିବା ହିରୋଙ୍କୁ ଆସନ୍ତୁ ଜଣାଇବା ହାପି ବାର୍ଥଡେ’ ।

1,707

କନକ ବ୍ୟୁରୋ : ଶ୍ରମିକଙ୍କ ମୁହଁରେ ପୁଣି ହସ ଫୁଟାଇଲେ ସୁପରମ୍ୟାନ୍ ସୋନୁ । ବାର୍ଥଡେ’ରେ କଲେ ବଡ଼ ଘୋଷଣା । କରୋନା କାଳରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଭଗବାନ ସାଜିଥିବା ସୋନୁ ସୁଦଙ୍କର ଆଜି ହେଉଛି ଜନ୍ମଦିନ । ପ୍ରତିବର୍ଷ ଜଣେ ସେଲିବ୍ରିଟି ଭାବେ ଭିନ୍ନ ଅନ୍ଦାଜରେ ସେ ନିଜ ଜନ୍ମଦିନକୁ ପାଳନ କରିଥାନ୍ତି । ହେଲେ ମହାମାରୀ ସମୟରେ ମଣିଷପଣିଆର ମନ୍ଦିର ପାଲଟିଥିବା ସୋନୁ ସୁଦ୍, ଏଥର କିନ୍ତୁ ନିଜ ଜନ୍ମଦିନକୁ ଶ୍ରମିକଙ୍କ ନାଁରେ ସେଲିବ୍ରେଟ୍ କରିଛନ୍ତି । ନିଜ ଜନ୍ମଦିନରେ ପ୍ରବାସୀ ଶ୍ରମିକଙ୍କ ଜୀବିକା କଥା ଚିନ୍ତା କରିଛନ୍ତି । ସେଥିପାଇଁ ଘରେ ଛାଡିଥିବା ଶ୍ରମିକ ହେଉ କିମ୍ବା ଅଭାବ ଅନଟନରେ ଥିବା ଅସହାୟ ପ୍ରବାସୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଶ୍ରମିକଙ୍କ ଭଗବାନ ।

ଜନ୍ମଦିନରେ ସୋନୁଙ୍କ ଶାନଦାର୍ ଭେଟି । ପ୍ରବାସୀଙ୍କୁ ଦେବେ ୩ ଲକ୍ଷ ଚାକିରି । ଆଉ ଆଜି ତାଙ୍କ ଜନ୍ମଦିନରେ ପ୍ରବାସୀ ଶ୍ରମିକଙ୍କୁ ୩ ଲକ୍ଷ ନିଯୁକ୍ତି ଦେବା ପାଇଁ ଶପଥ ନେଇଛନ୍ତି ସୋନୁ ସୁଦ୍ । ଦୁଃଖ ଦାରିଦ୍ର୍ୟତା ଭିତରେ ଦିନ କାଟୁଥିବା ଗରିବ ପ୍ରବାସୀଙ୍କୁ ସାହା ହୋଇଛନ୍ତି ଏହି ସୁପର ହିରୋ ।

ପୂର୍ବରୁ ‘ପ୍ରବାସୀ ରୋଜଗାର’ ଅଭିଯାନ ମାଧ୍ୟମରେ ବେରୋଜଗାର ଏବଂ ଅସହାୟ ଶ୍ରମିକଙ୍କୁ ସାହା ହେଉଛନ୍ତି ସୋନୁ ସୁଦ୍ । ଯିଏବି ସୋସିଆଲ୍ ମିଡିଆରେ ସୋନୁଙ୍କୁ ନିଜ ସଂଘର୍ଷର କାହାଣୀ ଜଣାଉଛି, ଦେବଦୂତ ସାଜି ଦୁଃଖ ଶୁଣୁଛନ୍ତି ସୋନୁ । କେବଳ ପ୍ରବାସୀ କାହିଁକି ଦେଶର କୋଣ ଅନୁକୋଣରୁ ଯେଉଁଠି ବି ସୋନୁଙ୍କ କାନରେ କାହା କଷ୍ଟ ପଡୁଛି, ସାଙ୍ଗେ ସାଙ୍ଗେ ସାହା ହେଉଛନ୍ତି । ନିକଟରେ ଜଣେ ଚାଷୀ ଅଭାବ ଅନଟନ ପାଇଁ ବଳଦ ବଦଳରେ ନିଜ ଦୁଇ ଝିଅଙ୍କ ସହାୟତାରେ ବିଲରେ ହଳ କରୁଥିଲେ । ଯାହାକୁ ଦେଖିଲା ପରେ ସୋନୁ ଭାବବିହ୍ୱଳ ହୋଇପଡିଥିଲେ । ଆଉ ମାତ୍ର ୨୪ ଘଂଟା ଭିତରେ ସେହି ଚାଷୀଙ୍କ ଘର ଆଗରେ ନୂଆ ଟ୍ରାକ୍ଟରଟିଏ ଛିଡା କରିଦେଇଥିଲେ ।

ସତରେ ଜଣେ ସେଲିବ୍ରିଟି ହୋଇ ମଧ୍ୟ କୋଟି କୋଟି ଭାରତୀୟଙ୍କ ହୃଦୟ ଭିତରେ ଜାଗା କିଣିପାରିଛନ୍ତି ସୋନୁ ସୁଦ୍ । ଅଭାବ ଅନଟନର ଅନ୍ଧାର ଭିତରେ ଦିନ କାଟୁଥିବା ଗରିବ ଅସହାୟଙ୍କ ପାଇଁ ସେ ନିଜକୁ ସମର୍ପି ଦେଇଛନ୍ତି । ରିଲ୍ ଲାଇଫର ଏହି ଅଭିନେତା ଆଜି ପାଲଟି ଯାଇଛନ୍ତି ରିଅଲ୍ ଲାଇଫର ହିରୋ । ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ତାଙ୍କର ଦୀର୍ଘାୟୁ କାମନା କରିବା ସହ କନକ ନ୍ୟୁଜ ପରିବାର ପକ୍ଷରୁ ତାଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛୁ ।