କନକ ବ୍ୟୁରୋ : କୋରାପୁଟ ଜିଲ୍ଲାରେ ଶୀତ ସକାଳରେ ମତୁଆଲା କରୁଛି ଅଳସୀ ଫୁଲର କ୍ଷେତ । ଶୀତର ଆଗମନରେ କୌରାପୁଟର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି । ଅଳସି ଫୁଲ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି । ସୁନାର ଚାଦରରେ ଘୋଡ଼ି ହୋଇ ହସୁଛି ପ୍ରକୃତି ରାଣୀ । କୋରାପୁଟରେ ଅଳସୀ କ୍ଷେତ୍ର ଏବେ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି । ସକାଳର କୁହୁଡି ସାଙ୍ଗକୁ ସବୁଜିମାରେ ଭରା ପାହାଡ଼ । ଆଉ ଏହା ସହ ଅଳସି ଫୁଲରେ ସୂର୍ଯ୍ୟଙ୍କ ପହିଲି କିରଣ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଯୁଆଡ଼େ ଦେଖିବ ସବୁଜିମାରେ ପରିପୂର୍ଣ ପାହାଡ଼ ମଝିରେ ଅଳସୀ ଫୁଲର ଅପୂର୍ବ ସମ୍ଭାର । କୋରାପୁଟ, ଦାମନଯୋଡି, ସୁନାବେଡା, ସେମିଳିଗୁଡା ଅଂଚଳର ଅଳସୀ ଫୁଲର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତା କଡ଼ରେ ରହିଥିବା ଅଳସୀ କ୍ଷେତରେ ଦିନ ଚାରିଟା ହେଲେ ପର୍ଯ୍ୟଟକଙ୍କ ସମେତ ପଥଚାରୀଙ୍କ ସେଲ୍ଫି ସ୍ଥଳୀ ପାଲଟିଛି ଅଳସି ଖେତ । କିଏ ସେଲ୍ଫି ନେଉଛି ତ ଆଉ କିଏ ରିଲ୍ସ କରୁଛି । ଛୋଟ ଠାରୁ ପ୍ରାପ୍ତ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଅଳସୀ ଫୁଲର ମତୁଆଲାରେ ବିମୋହିତ ହେଉଛନ୍ତି ।