ବିମୁଦ୍ରୀକରଣକୁ ପୂରିଲା ୫ ବର୍ଷ : ଡିଜିଟାଲ ପେମେଣ୍ଟ ସହ ବଢିଛି ନୋଟ୍ ସଂଖ୍ୟା

75

କନକ ବ୍ୟୁରୋ : ବିମୁଦ୍ରୀକରଣକୁ ପାଞ୍ଚ ବର୍ଷ ପୂରିବ । ୨୦୧୬ ନଭେମ୍ବର ୮ ତାରିଖର ରାତି ୮ଟାରେ ଟେଲିଭିଜନ୍ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ଘୋଷଣା କରିଥିଲେ। ଗୋଟିଏ ଝଟ୍‌କାରେ ସମସ୍ତ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ କରିଦିଆଯାଇଥିଲା । ଭାରତର ଇତିହାସରେ ଏହା ଥିଲା ଏଭଳି ପ୍ରଥମ ଘଟଣା ।

କଳାଧନ ରୋକିବା, ଜାଲ୍ ଟଙ୍କା କାରବାର ମୁକାବିଲା ଓ ନଗଦ ବ୍ୟବହାର କମ୍ କରି ଡିଜିଟାଲ୍ ଅର୍ଥନୀତି ସୃଷ୍ଟି କରିବା ଥିଲା ବିମୁଦ୍ରୀକରଣର ପ୍ରମୁଖ ଉଦ୍ଦେଶ୍ୟ । ଇତି ମଧ୍ୟ‌ରେ ଏହି ଘଟଣାକୁ ପାଞ୍ଚ ବର୍ଷ ବିତିଯାଇଛି । ଏହା କେତେ ସଫଳ ତାହା ବିତର୍କର ବିଷୟ ହୋଇରହିଛି । ବିମୁଦ୍ରୀକରଣ ପରବର୍ତ୍ତୀ ସମୟରେ ଏକ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଛି । ତାହା ହେଉଛି ଡିଜିଟାଲ୍ କାରବାର ଦ୍ରୁତ ଗତିରେ ବଢ଼ୁଥିଲେ ମଧ୍ୟ ଲୋକମାନଙ୍କ ପାଖରେ ପୂର୍ବାପେକ୍ଷା ଅଧିକ ନଗଦ ଟଙ୍କା ମଧ୍ୟ ରହୁଛି।‌ ଦେଶବାସୀ ଏଟିଏମ୍‌ରୁ ଅଧିକ ନଗଦ ଟଙ୍କା ଉଠାଉଛନ୍ତି । କୋଭିଡ୍‌ ମହାମାରୀ ବ୍ୟାପିବା ପରେ ଲୋକମାନେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ନିଜ ପାଖରେ ଅଧିକ ଟଙ୍କା ରଖିଛନ୍ତି ବୋଲି କୁହାଯାଉଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ, ୨୦୧୬ ନଭେମ୍ବର ୪ରେ ଦେଶରେ ୧୭.୭୪ ଲକ୍ଷ କୋଟି ଟଙ୍କା ମୂଲ୍ୟର ନୋଟ୍ ପ୍ରଚଳନରେ ଥିଲା । ୨୦୨୧ ଅକ୍ଟୋବର ୨୯ରେ ତା’ଠାରୁ ଯଥେଷ୍ଟ ଅଧିକ ଅର୍ଥାତ ୨୯.୧୭ ଲକ୍ଷ କୋଟି ଟଙ୍କା ମୂଲ୍ୟର ନୋଟ୍ ପ୍ରଚଳନରେ ରହିଛି । ବିମୁଦ୍ରୀକରଣ ପରଠାରୁ ପ୍ରତିବର୍ଷ ପ୍ରଚଳନରେ ରହୁଥିବା ନୋଟ୍ ସଂଖ୍ୟାରେ ବୃଦ୍ଧି ଘଟୁଛି । ୨୦୧୮ ତୁଳନାରେ ୨୦୧୯ ନଭେମ୍ବର ୧ ସୁଦ୍ଧା ନୋଟ୍ ପ୍ରଚଳନ ୨,୮୪,୪୫୧ କୋଟି ଟଙ୍କା ବଢ଼ିଥିଲା । ଏହାର ଗୋଟିଏ ବର୍ଷ ପରେ ଅର୍ଥାତ ୨୦୨୦ ଅକ୍ଟୋବର ୩୦ ସୁଦ୍ଧା ନଗଦ ନୋଟ୍ ପ୍ରଚଳନ ଆଉ ୪,୫୭,୦୫୯ କୋଟି ଟଙ୍କା ଥିଲା ।

୨୦୨୧ ଅକ୍ଟୋବର ୩୧ ସୁଦ୍ଧା ସେଥିରେ ଆଉ ୨,୨୮,୯୬୩ କୋଟି ଟଙ୍କାର ବୃଦ୍ଧି ଘଟିଛି । ଲୋକମାନଙ୍କ ନଗଦ ବ୍ୟବହାର ଅଭ୍ୟାସ ବିଷୟରେ ଜାଣିବା ଲାଗି ୨୦୧୮ ଡିସେମ୍ବରରୁ ୨୦୧୯ ଜାନୁଆରି ମଧ୍ୟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ସର୍ଭେ କରାଯାଇଥିଲା । ୨୦୨୧ ଏପ୍ରିଲ୍‌ରେ ଏହି ସର୍ଭେ ରିପୋର୍ଟ ପ୍ରକାଶ ପାଇଥିଲା‌ । ସେଥିରୁ ଜଣାପଡ଼ିଛି ଯେ ପେମେଣ୍ଟ୍‌ କରିବାର ସବୁଠୁ ପସନ୍ଦର ମାଧ୍ୟମ ହେଉଛି ନଗଦ ଟଙ୍କା। ବିଶେଷ କରି ୫୦୦ ଟଙ୍କାରୁ କମ୍ ମୂଲ୍ୟର କାରବାର ନଗଦ ରାଶିରେ ହିଁ ହେଉଛି ।

ଗୋଟିଏ ପଟେ ନଗଦ ରାଶି ସଂଖ୍ୟା ହ୍ରାସ ପାଉନଥିବା ବେଳେ ଅନ୍ୟପଟେ ଡିଜିଟାଲ୍ କାରବାରରେ କିନ୍ତୁ ଦ୍ରୁତ ବୃଦ୍ଧି ଘଟିଛି। ୨୦୧୬ରେ ୟୁନିଫାଏଡ୍‌ ପେମେଣ୍ଟ୍‌ ଇଣ୍ଟରଫେସ୍‌ (ୟୁପିଆଇ) ଆରମ୍ଭ ହୋଇଥିଲା। ଏହା ପରଠାରୁ ପ୍ରତି ମାସରେ ୟୁପିଆଇ କାରବାର ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଅକ୍ଟୋବରରେ ୪୨୧ କୋଟି ଥର ଡିଜିଟାଲ୍ କାରବାର ହୋଇଛି ଯାହା ଏକ ରେକର୍ଡ ବୋଲି କୁହାଯାଉଛି। ପାଞ୍ଚ ବର୍ଷ ପୂର୍ବେ ହଠାତ୍‌ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରାଯିବା ପରେ ସେଗୁଡ଼ିକୁ ବଦଳାଇବା ଲାଗି ଲୋକମାନଙ୍କୁ ନିର୍ଦିଷ୍ଟ ସମୟ ସୀମା ପ୍ରଦାନ କରାଯାଇଥିଲା ।

ଅଚଳ ନୋଟ୍ ଫେରାଇବା ଲାଗି ଲୋକମାନଙ୍କୁ ବ୍ୟାଙ୍କ ସମ୍ମୁଖରେ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିଥିଲା । ସେଥିରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ରହିଛି । ବିମୁଦ୍ରୀକରଣ ପ୍ରଭାବରେ ଅର୍ଥନୀତିର ଅଣ ସଂଗଠିତ କ୍ଷେତ୍ରଗୁଡ଼ିକ ଗୁରୁତର ଭାବେ ପ୍ରଭାବିତ ହୋଇଥିଲେ । ପୁରୁଣା ବଡ଼ ନୋଟ୍‌ଗୁଡ଼ିକୁ ଅଚଳ ଘୋଷଣା କରିବା ପରେ ସରକାର ନୂଆ ୨୦୦୦ ଟଙ୍କିଆ ଓ ୨୦୦ ଟଙ୍କିଆ ନୋଟ୍ ସମ୍ପୂର୍ଣ୍ଣ ନୂଆ ଭାବେ ପ୍ରଚଳନ କରିଥିଲେ । ଏହା ବ୍ୟତୀତ ନୂଆ ରଙ୍ଗ ଓ ରୂପରେ ୫୦୦ ଟଙ୍କିଆ, ୫୦ ଟଙ୍କିଆ ଓ ୨୦ ଟଙ୍କିଆ ନୋଟ୍ ଆଣିଥିଲେ । ଏ‌‌ବେ ପ୍ରଚଳନରେ ଥିବା ମୋଟ୍ ନୋଟ୍ ମଧ୍ୟରୁ ୮୫.୭ ପ୍ରତିଶତ ହେଉଛି ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌। ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷରେ ଗୋଟିଏ ବି ୨୦୦୦ ଟଙ୍କିଆ ନୋଟ୍ ଛପା ହୋଇନାହିଁ ।