କନକ ବ୍ୟୁରୋ : ୟୁପିରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ତାହା ପୂର୍ବରୁ କଂଗ୍ରେସର ସ୍କିମ ଘୋଷଣା, ବିଜେପିର ହିନ୍ଦୁତ୍ୱ କାର୍ଡ ରାଜ୍ୟ ରାଜନୀତିକୁ ସରଗରମ କରୁଥିବା ବେଳେ ବିଏସପିର ସହଯୋଗୀ ସୁହେଲଦେବ ଭାରତୀୟ ସମାଜବାଦୀ ପାର୍ଟିର ମୁଖ୍ୟ ଓମ୍ ପ୍ରକାଶ ରାଜଭରଙ୍କ ବିବାଦୀୟ ବୟାନ ଏବେ ରାଜନୀତି ଯଜ୍ଞରେ ଘିଅ ଢାଳିଛି ।
ଓମ୍ ପ୍ରକାଶ ରାଜଭର କହିଛନ୍ତି କି ମହମ୍ମଦ ଅଲ୍ଲୀ ଜିନ୍ନା ଯଦି ଭାରତର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ ଦେଶ ବିଭାଜନ ହୋଇ ନଥାନ୍ତା । ଏହା ପୂର୍ବରୁ ଏକ ଜନସଭାରେ ସମାଜବାଦୀ ପାର୍ଟିର ମୁଖ୍ୟ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବି ଜିନ୍ନାଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ । ଏହି ବୟାନକୁ ନେଇ ବିଜେପି ଅଖିଳେଶଙ୍କୁ ପୁରା ଦମରେ ଘେରିଥିଲେ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଖବରଦାତାମାନେ ଏନେଇ ରାଜଭରଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ କି ଯଦି ଜିନ୍ନାଙ୍କୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କରାଯାଇଥାନ୍ତା ହୁଏତ ଦେଶ ବିଭାଜନରୁ ରକ୍ଷା ପାଇଯାଇଥାନ୍ତ । ଏହାସହ ରାଜଭର କହିଥିଲେ କି ଅଟଳ ବିହାରୀ ବାଜପେଇଙ୍କ ଠାରୁ ଆରମ୍ଭ କରି ଲାଲକୃଷ୍ଣ ଆଡଭାନୀ ପର୍ଯ୍ୟନ୍ତ ସମସ୍ତେ ଜିନ୍ନାଙ୍କୁ ପ୍ରଶଂସା କରିଛନ୍ତି । ତେଣୁ ଜିନ୍ନାଙ୍କ ବିଚାରଧାରାକୁ ପଢିବାର ଆବଶ୍ୟକତା ରହିଛି ।
ଅନ୍ୟପଟେ ସାମ୍ବାଦିକମାନେ ବାରମ୍ବାର ଜିନ୍ନାଙ୍କୁ ନେଇ ପ୍ରଶ୍ନ କରିବାରୁ ରାଜଭର କହିଥିଲେ କି କେବେ କେବେ ଦରବୃଦ୍ଧିକୁ ନେଇ ପ୍ରଶ୍ନ ପଚାରିବାର ଆବଶ୍ୟକତା ରହିଛି । ଅନ୍ୟପଟେ ବିଜେପିକୁ ଟାର୍ଗେଟ କରି ରାଜଭର କହିଛନ୍ତି କି ଦେଶରେ ମହଙ୍ଗାମାଡ ପାଇଁ ବିଜେପି ଦାୟୀ । ଯଦି ବିଜେପି ନେତାଙ୍କ ଠାରୁ ହିନ୍ଦୁ-ମୁସଲମାନ ଓ ଭାରତ -ପାକିସ୍ତାନ ପ୍ରସଙ୍ଗ ହଟାଇ ଦିଆଯିବ ତେବେ ତାଙ୍କ ପାଖରେ କହିବାକୁ କିଛି କଥା ନଥିବ ।
କହିରଖୁ କି ଆଗାମୀ ବିଧାନସଭା ନିର୍ବାଚନରେ ଅଖିଳେଶଙ୍କ ସହ ରାଜଭର ମେଣ୍ଟରେ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ଆସନ ବୁଝାମଣା ନେଇ କିଛି ସ୍ପଷ୍ଟ ହୋଇନାହିଁ