ଏବେ ସହଜ ହେବ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ, ୪ ଘଂଟାରେ ରିପୋର୍ଟ ଦେବ ଟେଷ୍ଟିଂ କିଟ୍ ‘ଓମିସିଓର’

112

କନକ ବ୍ୟୁରୋ : ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ବିଶ୍ୱବାସୀଙ୍କ ପାଇଁ ଚିନ୍ତା ବଢାଇଛି । ଜଣେ ସଂକ୍ରମିତଙ୍କ ଠାରେ ଓମିକ୍ରନ ଭାରିଆଣ୍ଟ ରହିଛି କି ନାହିଁ ତାହା ଜାଣିବା ପରେ ଜିନୋମ ସିକ୍ୱେନ୍ସିଂ ଟେଷ୍ଟ କରିବାକୁ ପଡୁଥିଲା । ଏହା ସମୟ ସାପେକ୍ଷ ଓ ବ୍ୟୟବହୁଳ ଥିବାରୁ ଏହାର ବିକଳ୍ପ ଖୋଜିଥିଲା ଆଇସିଏମଆର । ଏନେଇ ଟାଟା ଏମଡି ଓ ଆଇସିଏମଆରର ମିଳିତ ସହଯୋଗରେ ଏକ ଟେଷ୍ଟିଂ କିଟ୍ ପ୍ରସ୍ତୁତ କରାଯାଇଛି ଓ ଏହାର ନାମ ଓମିସିଓର ରଖାଯାଇଛି । ଏହି କିଟକୁ ଡିିସିଜିଆଇ ଅନୁମୋଦନ କରିବା ପରେ ଏବେ ଏହି କିଟ୍ ମାଧ୍ୟମରେ ଟେଷ୍ଟିଂ କରାଯିବ ବୋଲି ଜଣାପଡିଛି । ଏହାଦ୍ୱାରା ସଂକ୍ରମିତଙ୍କୁ ୪ ଘଂଟା ମଧ୍ୟରେ ସ୍ପଷ୍ଟ କରାଯାଇପାରିବ କି, ସେମାନେ ଓମିକ୍ରନ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ କି ନାହିଁ ।

କହିରଖୁ କି ଦେଶରେ ଏପର୍ଯ୍ୟନ୍ତ ୨୩୧୫ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଦେଶରେ ଆଶାତୀତ ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୭ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଇଛି ।

ଏନେଇ କେନ୍ଦ୍ର ସରକାରଙ୍କ ସହ ବିଭିନ୍ନ ରାଜ୍ୟ ସରକାର କରୋନା କଟକଣାକୁ କଡାକଡି କରିଛନ୍ତି । ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଦେଶବାସୀଙ୍କୁ ଅନୁରୋଧ କରାଯାଇଛି । ସେହିଭଳି କିଛି ରାଜ୍ୟ କରୋନା ସଂକ୍ରମଣ ଉପରେ କାବୁ ପାଇବାକୁ ନାଇଟ୍ କର୍ଫ୍ୟୁ ଲଗାଇଛନ୍ତି । ଅନ୍ୟପଟେ କିଶୋରମାନଙ୍କୁ ସୁରକ୍ଷା ଦେବାକୁ କେନ୍ଦ୍ର ସରକାର ଜାନୁଆରୀ ୩ ତାରିଖରୁ ୧୫-୧୮ ବର୍ଷ ମଧ୍ୟରେ ପିଲାଙ୍କୁ ଟିକା ଦେବା ଆରମ୍ଭ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିଆଙ୍କ ସୂଚନା ମୁତାବକ ଆଜି ସୁଦ୍ଧା ଦେଶରେ ୧ କୋଟିରୁ ଅଧିକ କିଶୋରଙ୍କୁ ଟିକା ଦିଆଯାଇଛି ।