ଖୁବଶୀଘ୍ର ବିଶ୍ୱରୁ ଦୂର ହୋଇଯିବ ‘ଓମିକ୍ରନ’ ! କରୋନାକୁ ନେଇ ଆଶ୍ୱସ୍ତିକର ଖବର ।

438

କନକ ବ୍ୟୁରୋ : ଓମିକ୍ରନର ସାଂଘାତିକ ସଂକ୍ରମଣ ଭିତରେ ଗୋଟିଏ ଆଶ୍ୱସ୍ତିକର କଥା ସାମ୍ନାକୁ ଆସିଛି । ବୈଜ୍ଞାନିକଙ୍କ ଦାବି ଓମିକ୍ରନ ଯେମିତି ତୀବ୍ର ଭାବରେ ବୃଦ୍ଧି ହୋଇଛି, ସେହି ଅନୁପାତରେ କମିଯିବ । ଆମେରିକାର ରୋଗ ପ୍ରତିରୋଧକ ବିଶେଷଜ୍ଞ ମୋନିକା ଗାନ୍ଧୀ ଏହା ସ୍ପଷ୍ଟ କରିଛନ୍ତି ।

କରୋନାକୁ ନେଇ ଆଶ୍ୱସ୍ତିକର ଖବର । ଖୁବଶୀଘ୍ର ବିଶ୍ୱରୁ ଦୂର ହୋଇଯିବ ‘ଓମିକ୍ରନ’ ! କରୋନାର ନୂଆ ପ୍ରଜାତି ଓମିକ୍ରନକୁ ନେଇ ସାରା ବିଶ୍ୱରେ ଦେଖା ଦେଇଛି ଆତଙ୍କ । ଦକ୍ଷିଣଆଫ୍ରିକାରୁ ଆରମ୍ଭ ହୋଇଥିବା ଏହି ମାରାତ୍ମକ ଭୂତାଣୁ ବର୍ତମାନ ବିଶ୍ୱର ୧୪୦ରୁ ଅଧିକ ଦେଶରେ ଖେଳିଗଲାଣି । ଡେଲଟା ତୁଳନାରେ ଏହି ନୂଆ ଭାରିଆଂଟର ଗୋଟିଏ ଦିଗ ହେଉଛି, ଏହା ଡେଲଟା ତୁଳନାରେ ଅଧିକ ସଂକ୍ରମଣ କ୍ଷମତା ରଖିଛି । ତେବେ ପୁରା ବିଶ୍ୱରେ ଓମିକ୍ରନ ସଂକ୍ରମଣକୁ ନେଇ ଅନୁଧ୍ୟାନ କରୁଥିବା ବିଶେଷଜ୍ଞ ଏବଂ ସଂସ୍ଥା ଯେଉଁ ରିପୋର୍ଟ ଦେଇଛି, ତାହା କିନ୍ତୁ ଆଶ୍ୱସ୍ତିକର ।

ଓମିକ୍ରନକୁ ନେଇ ନୂଆ ତଥ୍ୟ

ଡେଲଟା ତୁଳନାରେ ଓମିକ୍ରନ କମ୍ ସାଂଘାତିକ

ଓମିକ୍ରନ ସଂକ୍ରମିତଙ୍କ ଠାରେ ଦେଖା ଦେଉନି ଜଟିଳ ସ୍ଥିତି

ଅଧିକାଂଶ ଆକ୍ରାନ୍ତ ହସ୍ପିଟାଲରେ ଭର୍ତି ହେଉନାହାନ୍ତି 

ଡେଲଟା ତୁଳନାରେ ସେମିତି ଜୀବନ ନେଉନି ଓମିକ୍ରନ

ଓମିକ୍ରନକୁ ନେଇ ଅନୁଧ୍ୟାନ କରୁଥିବା ସାନ ଫ୍ରାନସିସ୍କୋର କାଲିଫର୍ଣ୍ଣିଆ ୟୁନିଭର୍ସିଟିର ଇମ୍ୟୁନୋଲଜିଷ୍ଟ ମୋନିକା ଗାନ୍ଧୀ କହିଛନ୍ତି, ଆମ ସହିତ ସବୁବେଳ ପାଇଁ ଏହି ଭୂତାଣୁ ରହିବ କିନ୍ତୁ ଆମର ଆଶା ଏହି ଭୂତାଣୁ ଏତେ ପ୍ରତିରୋଧକ କ୍ଷମତା ସୃଷ୍ଟି କରିବ, ତାହା ମହାମାରୀକୁ ଦୂର କରିଦେବ ।

୨୦୨୧ ନଭେମ୍ୱର ୨୪ ତାରିଖରେ ଦକ୍ଷିଣଆଫ୍ରିକାରୁ ଚିହ୍ନଟ ହୋଇଥିଲା କରୋନାର ଏହି ନୂଆ ପ୍ରଜାତିର ଭୂତାଣୁ । ଓମିକ୍ରନ ଆଫ୍ରିକାରେ ପ୍ରବେଶ କରିବା ପରେ ସେଠାରେ କରୋନାର ଚତୁର୍ଥ ଲହର ଆସିଥିଲା । ହସ୍ପିଟାଲରେ ଭର୍ତି ହୋଇଥିବା ଆକ୍ରାନ୍ତଙ୍କ ଠାରେ ରହିଥିଲା ଗୁରୁତର ରୋଗ । ତୃତୀୟ ଲହର ତୁଳନାରେ ଚତୁର୍ଥ ଲହରରେ ଦକ୍ଷିଣଆଫ୍ରିକାରେ ହସ୍ପିଟାଲ ଭର୍ତି ହାର କିନ୍ତୁ ୭୩ ପ୍ରତିଶତ କମି ଯାଇଥିବା ତଥ୍ୟ କହୁଛି ।

ଓମିକ୍ରନର ଦ୍ରୁତ ସଂକ୍ରମଣ ବଢାଇ ଦେଇଛି ଚିନ୍ତା । ଆରମ୍ଭରୁ ଏହି ମାରାତ୍ମକ ଭୂତାଣୁ ୩୦ରୁ ଅଧିକ ଥର ରୂପ ବଦଳାଇ ସାରିଥିବାରୁ ଏହାକୁ ନେଇ ଅଧିକ ଚିନ୍ତା ପ୍ରକଟ ହୋଇଛି ପୁରା ବିଶ୍ୱରେ । ସ୍ପାଇକ ପ୍ରୋଟିନକୁ ଭେଦ କରୁଥିବା ଏହି ନୂଆ ଭାରିଆଂଟ ଯେତିକି ବେଗରେ ସଂକ୍ରମିତ ହେଉଛି, ସେହି ହାରରେ ମଧ୍ୟ ତଳକୁ ଖସିବ ବୋଲି କେପଟାଉନର ବିଶେଷଜ୍ଞ ମତ ରଖିଛନ୍ତି ।

କାହିଁକି ଓମିକ୍ରନ ଠାରୁ ବିପଦ କମ୍ ?

ପଶ୍ଚିମ ଦେଶ ଗୁଡିକରେ ମିଳିଥିବା ତଥ୍ୟ ଅନୁସାରେ ଦେଖିବାକୁ ମିଳିଛି 

-ଏହା ଫୁସଫୁସକୁ ସେତେଟା ସଂକ୍ରମିତ କରୁନାହିଁ 

– କରୋନା ସଂକ୍ରମଣ ନାକରୁ ଆରମ୍ଭ ଗଳାରେ ଶେଷ

-କମ୍ କ୍ଷମତାର ସଂକ୍ରମଣ ପାଇଁ ଏହା ଘାତକ ହେଉନାହିଁ

-ଏହା କେବଳ ଉପର ଶ୍ୱାସକ୍ରିୟା ଅଂଶକୁ କରୁଛି ପ୍ରଭାବିତ

ଗତ ସପ୍ତାହରେ ଆସିଥିବା ୫ଟି ଅନୁଧ୍ୟାନ ତଥ୍ୟ କହୁଛି ଓମିକ୍ରନ ଭୂତାଣୁ ମଣିଷ ଶରୀରରେ ବର୍ତମାନ ଫୁସଫୁସକୁ ସଂକ୍ରମିତ କରିପାରୁନାହିଁ । ସଂକ୍ରମଣ ଅତ୍ୟଧିକ ମାତ୍ରାରେ ପହଁଚିଲେ ଏହାର କିଛିଟା ପ୍ରଭାବ ଦେଖିବାକୁ ମିଳୁଛି । ଆମେରିକା ଏବଂ ଜାପାନର ବୈଜ୍ଞାନିକ ମୂଷାଙ୍କ ଦେହରେ ଏହାକୁ ନେଇ ପରୀକ୍ଷା ମଧ୍ୟ କରି ସାରିଛନ୍ତି ।  ହଂକଂରେ କିଛି ଆକ୍ରାନ୍ତଙ୍କ ଠାରୁ ଫୁସଫୁସରୁ ଟିସୁ ସଂଗ୍ରହ କରି ପରୀକ୍ଷା ପାଇଁ ପଠା ଯାଇଥିଲା । ସେଥିରୁ ସଂକ୍ରମଣ ହାର ଖୁବ୍ କମ୍ ଜଣାପଡିଥିଲା ।

ଓମିକ୍ରନ ସଂକ୍ରମଣ ଯେତେ ଦ୍ରୁତ କ୍ଷମତା ରଖୁଛି, ଏହାର ହାର ବଢିବା ପରି ଏହାର ହାର ମଧ୍ୟ କମ୍ ହୋଇଯିବ ବୋଲି ଆକଳନ କରିଛନ୍ତି କାଲିଫର୍ଣ୍ଣିଆ ୟୁନିଭର୍ସିଟି ବିଶେଷଜ୍ଞ ମୋନିକା ଗାନ୍ଧୀ । ୨୦୨୨ ଶେଷ ଆଡକୁ ଓମିକ୍ରନ ପ୍ରଭାବ କମ୍ ହୋଇଯାଇଥିବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ତେବେ ଏହାକୁ ନେଇ ଅଧିକ ଅନୁଧ୍ୟାନର ଆବଶ୍ୟକତା ଥିବା ସେ ସ୍ପଷ୍ଟ କରିଛନ୍ତି । ଦକ୍ଷିଣଆଫ୍ରିକାରେ ପ୍ରଥମେ ଦେଖା ଦେଇଥିବା ଓମିକ୍ରନ ସଂକ୍ରମଣ, ବର୍ତମାନ ତଳ ମୁହାଁ ହୋଇଗଲାଣି । ମାତ୍ର ଦୁଇ ମାସର ବ୍ୟବଧାନରେ ଏହା ଦେଖିବାକୁ ମିଳିଛି । ତେଣୁ ଆମେରିକାର ଏହି ବିଶେଷଜ୍ଞଙ୍କ ଆକଳନ ଓମିକ୍ରନ ଚିନ୍ତା ମଧ୍ୟରେ ଖୁସି ଓ ଆଶ୍ୱସ୍ତିକର ଖବର କୁହାଯାଇପାରିବ ।