କନକ ବ୍ୟୁରୋ: ଚିନ୍ତା ବଢାଉଛି ଓମିକ୍ରନର ନୂଆ ଭାରିଆଂଟ ବିଏ.୨ । ଏ ପର୍ଯ୍ୟନ୍ତ ବିଶ୍ୱର ୫୭ ଟି ଦେଶରେ ବ୍ୟାପି ସାରିଛି ଏହି ଘାତକ ଭାରିଆଂଟ । ଓମିକ୍ରନ୍ର ପ୍ରଥମ ପ୍ରଜାତି ବିଏ.୧ ଠାରୁ ବିଏ.୨ ୩୩ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ଜଣାପଡ଼ିଛି । ଯାହାକୁ ନେଇ ସର୍ତକ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଗବେଷକଙ୍କ ମତରେ ଯଦି ଘରେ କେହି ବିଏ.୨ରେ ସଂକ୍ରମିତ ହୋଇଛନ୍ତି ତେବେ ଅନ୍ୟ ସଦସ୍ୟମାନେ ସଂକ୍ରମିତ ହେବାର ୩୯ ପ୍ରତିଶତ ସମ୍ଭାବନା ରହିଛି । ଏହା ମଣିଷର ରୋଗ ପ୍ରତିରୋଧ ବ୍ୟବସ୍ଥାକୁ ସହଜରେ ପ୍ରଭାବିତ କରିଦେଉଛି । ସେପେଟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ସାରା ବିଶ୍ୱରେ ଓମିକ୍ରନ୍ ଭ୍ୟାରିଆଂଟ ମଧ୍ୟ ଦ୍ରତ ଗତିରେ ବୃଦ୍ଧି ପାଇଛି । ଗତ ୧୦ ସପ୍ତାହ ମଧ୍ୟରେ ବିଶ୍ୱରେ ୯ କୋଟିରୁ ଅଧିକ ଓମିକ୍ରନ୍ ମାମଲା ସାମ୍ନାକୁ ଆସିଛି ।

Advertisment

ସେପେଟ ଦେଶରେ କରୋନା ସଂକ୍ରମଣ କମୁଛି ସତ କିନ୍ତୁ ମୃତ୍ୟୁ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି । ଗତ ୨୪ ଘଂଟା ମଧ୍ୟେରେ ୧ ଲକ୍ଷ ୬୧ ହଜାର ୩୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନାରେ ସଂକ୍ରମିତ ହୋଇ ୧ହଜାର ୭ ଶହ ୩୩ ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଛି । ଗତ ସପ୍ତାହରେ କରୋନାର ଅଧିକ ମାମଲା ସାମ୍ନାକୁ ଆସୁଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ କମ ରହୁଥିଲା ।

ଗତ କିଛ ଦିନ ହେବ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିଛି ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆସନ୍ତୁ ନଜର ପକାଇବ ଗତ ୭ଦିନ ଭିତରେ ଦେଶରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା କିଭଳି ହୁ ହୁ ହୋଇ ବୃଦ୍ଧି ପାଉଛି ।

ଫେବୃଆରୀ ୨ - ୧ ଲକ୍ଷ ୬୧ ହଜାର ୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ ଓ ୧୭୩୩ ଜଣଙ୍କ ମୃତ୍ୟୁ
ଫେବୃଆରୀ ୧ - ୧ଲକ୍ଷ ୬୭ ହଜାର ୦୫୯ ଆକ୍ରାନ୍ତ ଚିହ୍ନଟ ଓ ୧,୧୯୨ ଜଣଙ୍କ ମୃତ୍ୟୁ
ଜାନୁଆରୀ ୩୧ - ୨ ଲକ୍ଷ ୯ ହଜାର ୯୧୮ ଆକ୍ରାନ୍ତ ଓ ୯୫୯ ଜଣଙ୍କ ମୃତ୍ୟୁ
ଜାନୁଆରୀ ୩୦ - ୨ ଲକ୍ଷ ୩୪ ହଜାର ୨୮୧ ଆକ୍ରାନ୍ତ ଚିହ୍ନଟ ଓ ୮୯୩ ଜଣଙ୍କ ମୃତ୍ୟୁ
ଜାନୁଆରୀ ୨୯- ୨ଲକ୍ଷ ୩୫ ହଜାର ୫୩୨ ଆକ୍ରାନ୍ତ ଚିହ୍ନଟ ଓ ୮୭୧ ଜଣଙ୍କ ମୃତ୍ୟୁ
ଜାନୁଆରୀ ୨୮- ୨ ଲକ୍ଷ ୫୧ ହଜାର ୨୦୯ ଆକ୍ରାନ୍ତ ଚିହ୍ନଟ ଓ ୬୨୭ ଜଣଙ୍କ ମୃତ୍ୟୁ
ଜାନୁଆରୀ ୨୭- ୨ ଲକ୍ଷ ୮୬ ହଜାର ୩୮୪ ଆକ୍ରାନ୍ତ ଚିହ୍ନଟ ଓ ୫୭୩ ଜଣଙ୍କ ମୃତ୍ୟୁ ।

କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ପରି କେରଳ ରୁ ପୁଣିଥରେ ସର୍ବାଧିକ ମାମଲା ସାମ୍ନାକୁ ଆସୁଛି । ସେହିପରି କରୋନା ଜନିତ ମୃତ୍ୟୁରେ ମଧ୍ୟ କେରଳ ଏକ ନମ୍ବର ରେ ରହିଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିବାରେ ଲାଗିଛି । ଗତ ୨୪ ଘଂଟା ଭିତରେ ୨ଲକ୍ଷ ୮୧ ହଜାର ୧୦୯ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ମଧ୍ୟ ୧୬ ଲକ୍ଷ ୨୧ ହଜାର ୬୦୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତ ।