ଶୁକ୍ରବାର ଆସିବ ବିଦେଶ ଫେରନ୍ତାଙ୍କ ଜିନୋମ ସିକ୍ୱେସିଂ ରିପୋର୍ଟ, ଡିଏମଇଟିଙ୍କ ସୂଚନା

ଭୁଲ୍ ତଥ୍ୟ ଦେଇଥିବା ବିଦେଶ ଫେରନ୍ତାଙ୍କୁ ଖୋଜିବା ପାଇଁ ଚାଲିଛି ପ୍ରୟାସ; ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଜିଲ୍ଲା ସ୍ତରରେ ମାଇକ୍ରୋ ଲେବୁଲରେ ହେଉଛି ପ୍ରଚେଷ୍ଟା

91

କନକ ବ୍ୟୁରୋ : ଓମିକ୍ରନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ଡିଏମଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି । ସେ କହିଛନ୍ତି, ରାଜ୍ୟରୁ ୨୪୬ ନମୂନା ଜିନମ ସିକ୍ୱେନ୍ସିଂ ଲାଗି ଯାଇଛି। ଏସବୁ ବୁର୍ଲା, ମୟୁରଭଞ୍ଜ ସମେତ ବିଭିନ୍ନ କୋଭିଡ କ୍ଲଷ୍ଟରର ପଜିଟିଭ ନମୂନା । କୌଣସି ବିଦେଶ ଫେରନ୍ତା ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି ନା ନାହିଁ, ତାହା ଶୁକ୍ରବାର ଜଣା ପଡ଼ିବ । ଏହାସତ୍ତ୍ୱେ ମୁଁ ଜନସାଧାରଣଙ୍କୁ ନିବେଦନ କରିବି, ଓମିକ୍ରନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଯେଉଁ ଜାଗାରେ ଓମିକ୍ରନ ଚିହ୍ନଟ ହେଲାଣି, ସ୍ୱଳ୍ପ ଲକ୍ଷଣ ଦେଖାଦେଉଛି । ୧୮ ବର୍ଷରୁ କମ ବୟସ୍କଙ୍କ ଟିକାକରଣ ପ୍ରକ୍ରିୟା ଆରମ୍ଭ ପର୍ଯ୍ୟାୟରେ ଅଛି। ଯଦି ସେମାନଙ୍କୁ ଟିକା ଦିଆଯାଏ, ତେବେ ଶତପ୍ରତିଶତ ଜନସଂଖ୍ୟାକୁ ଟିକାକରଣ କରାଯାଇ ପାରିବ ।

ଏଣେ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଗତକାଲି ସନ୍ଧ୍ୟା ଯାଏଁ କୌଣସି ବିଦେଶ ଫେରନ୍ତା ପଜିଟିଭ ବାହାରିନାହାନ୍ତି । ଛଅ ବିଦେଶ ଫେରନ୍ତା ପଜିଟିଭ ବାହାରିଥିବା ନେଇ ଯେଉଁ ଖବର ଆସୁଛି, ତାହାର ତର୍ଜମା କରାଯାଉଛି । ସଂଧ୍ୟା ସୁଦ୍ଧା ଏନେଇ ସ୍ପଷ୍ଟ କରାଯିବ। ଆଟ୍ ରିସ୍କ କଣ୍ଟ୍ରି ଫେରନ୍ତାଙ୍କୁ ଠାବ କରିବାକୁ ଜିଲ୍ଲାସ୍ତରରେ ମାଇକ୍ରୋ ଲେଭଲରେ ପ୍ରଚେଷ୍ଟା ଜାରି ରହିଛି । ଆମେ ନିଶ୍ଚିତ ସମସ୍ତଙ୍କୁ ଖୋଜି ବାହାର କରିବୁ। ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ସ୍ୱଳ୍ପ ଲକ୍ଷଣ ଦେଖାଯାଉଛି । ଏଯାଏଁ କାହାରି ମୃତ୍ୟୁ ହୋଇନି । ଟିକା କାମ କରୁଛି ବୋଲି ସବୁ ବିଶେଷଜ୍ଞ ମତ ଦେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଯାହା ତଥ୍ୟ ଆସିଛି, ଓମିକ୍ରନକୁ ଡରିଲା ଭଳି ନୁହେଁ । ୧୮ ବର୍ଷରୁ କମ ପିଲାଙ୍କ ଟିକାକରଣ ଲାଗି କୌଣସି ନିର୍ଦେଶ ଆସିନି । ଯଦି ନିର୍ଦେଶ ଆସିବ, ଆମର ଭିତ୍ତିଭୂମି ପ୍ରସ୍ତୁତ ରହିଛି। ଟିକା ବି ଅଛି ।