ସାମ୍ନାକୁ ଆସିଲା ଓମିକ୍ରନ ଭାରିଆଣ୍ଟର ଫଟୋ । କରୋନା ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା ପ୍ରକଟ କଲେ ବୈଜ୍ଞାନିକ ।

449

କନକ ବ୍ୟୁରୋ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଏବେ ସାରା ବିଶ୍ୱରେ ଚିନ୍ତା ବଢୁଥିବାବେଳେ, ବିଶ୍ୱର ବିଭିନ୍ନ ଅଞ୍ଚଳରେ ଅନେକ ଲୋକ ଏଥିରେ ସଂକ୍ରମିତ ହେବାର ଖବର ମଧ୍ୟ ସାମ୍ନାକୁ ଆସୁଛି । ଆଉ ଏହାରି ଭିତରେ ଏହି ନୂଆ ଭାରିଆଣ୍ଟର ପ୍ରଥମ ଫଟୋ ଏବେ ଜାରି କରାଯାଇଛି । ଇଟାଲୀର ଜଣେ ରିସଚ୍ଚର୍ସ କୋଭିଡ୍ ଭାଇରସର ଏହି ନୂଆ ଭାରିଆଣ୍ଟର ଫଟୋ ଜାରି କରିଛନ୍ତି ।

ଏହି ଫଟୋକୁ ରୋମର ବେମ୍ବିନୋ ଗେସୋ ହସ୍ପିଟାଲରେ ହୋଇଥିବା ରିସର୍ଚ୍ଚ ପରେ ନିଆଯାଇଛି । ଏହି ରିସର୍ଚ୍ଚକୁ ପ୍ରଫେସର କାର୍ଲୋ ଫେଦେରିକୋ ପର୍ନୋ ଏବଂ ମିଲାନର ଷ୍ଟେଟ ୟନିଭର୍ସିଟିର ପ୍ରଫେସର କ୍ଲାଡିଆ ଅଲ୍ଟେରୀ ସୁପରଭାଇଜ୍ କରିଥିଲେ । ତେବେ ଏହି ଫଟୋରେ ଓମିକ୍ରନ ସ୍ପାଇକ୍ ପ୍ରୋଟିନର ସଂରଚନା ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ, ଏହି ଫଟୋରେ ଓମିକ୍ରନର ମ୍ୟୁଟେସନ ରେଟ୍ ଡେଲଟା ଭାରିଆଣ୍ଟ ଅପେକ୍ଷା ବହୁତ ଅଧିକ ବୋଲି କୁହାଯାଉଛି ।

ଇଟାଲୀର ଗବେଷକଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ଫଟୋରୁ ଜଣାପଡୁଛି ଯେ,କରୋନା ଭାଇରସର ଏହି ନୂଆ ଭାରିଆଣ୍ଟରେ ୪୩ ସ୍ପାଇକ୍ ପ୍ରୋଟିନ୍ ମ୍ୟୁଟେସନ ରହିଛି । ଏହା ପୂର୍ବରୁ ଥିବା ଡେଲଟା ଭାରିଆଣ୍ଟରେ ଏହା କେବଳ ୧୮ ସ୍ପାଇକ୍ ପ୍ରୋଟିନ୍ ମ୍ୟୁଟେସନ ଥିଲା । ତେବେ ବୈଜ୍ଞାନିକମାନେ ଏହି ନୂଆ ଭାରିଆଣ୍ଟକୁ ନେଇ ବେଶ ଚିନ୍ତିତ ଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଓମିକ୍ରନ ଭାରିଆଣ୍ଟକୁ ନେଇ ବୈଜ୍ଞାନିକମାନେ ଏବେ ନୂଆ ନୂଆ ତଥ୍ୟ ସଂଗ୍ରହ କରିବାରେ ଲାଗିପଡିଛନ୍ତି । ଏହା ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ଏହାକୁ ଚିନ୍ତାଜନକ କାଟାଗୋରୀରେ ରଖିଥିଲା ।

ଏହା ପୂର୍ବରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଥିଲା ଯେ, ଦକ୍ଷିଣ ଆଫ୍ରିକାର ଏମିତି ଏକ ସ୍ଥାନ ରହିଛି ଯେଉଁଠିକାର ୯୦ ପ୍ରତିଶତ କରୋନା ରୋଗୀ ଏବେ ନୂଆ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ । ଦକ୍ଷିଣ ଆଫ୍ରିକାର ନବମ ପ୍ରୋଭିନ୍ସ ଭାବେ ଜଣାଶୁଣା ଗୋତଙ୍ଗେ ହେଉଛି ସେହି ସ୍ଥାନ ଯେଉଁଠି ଅଧିକାଂଶ କରୋନା ରୋଗୀ ଏହି ନୂଆ ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ସଂକ୍ରମଣ ଏତେ ଦ୍ରୁତ ଗତିରେ ବ୍ୟାପିଛି ଯେ, ସେଠାରେ ଲକଡାଉନ୍ ଲଗାଇବା ଭଳି ସ୍ଥିତି ଉପୁଜିଗଲାଣି । ବିଶ୍ୱବିଦ୍ୟାଳୟ ଓ କଲେଜକୁ ସେଠାରେ ବନ୍ଦ କରି ଦିଆଯାଇଥିବାବେଳେ, ପରୀକ୍ଷାକୁ ମଧ୍ୟ ବାତିଲ କରି ଦିଆଯାଇଛି । ସେଠାରେ ସମସ୍ତ ଲୋକଙ୍କୁ ଏବେ ଟେଷ୍ଟ କରାଯାଉଥିବାବେଳେ, ସେଠାରୁ ବିଶ୍ୱର ଅନ୍ୟ ଦେଶକୁ ବିମାନ ଉଡାଣ ମଧ୍ୟ ବାତିଲ କରିଦିଆଯାଇଛି ।