ଦିଲ୍ଲୀରେ ଚିହ୍ନଟ ଓମିକ୍ରନ୍ ସଂକ୍ରମିତଙ୍କ ପାଖରେ ଦେଖାଯାଉଛି କେଉଁ କେଉଁ ଲକ୍ଷଣ? ପଢନ୍ତୁ, କଣ କହିଲେ ଡାକ୍ତର ସୁରେଶ କୁମାର…

524

କନକ ବ୍ୟୁରୋ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏହାରି ଭିତରେ ଏହି ନୂଆ ଭାରିଆଣ୍ଟ ରାଜଧାନୀ ଦିଲ୍ଲୀରେ ମଧ୍ୟ ପହଞ୍ଚିଯାଇଛି । ରବିବାର ରାଜଧାନୀ ଦିଲ୍ଲୀରୁ ପ୍ରଥମ କରି ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାଙ୍କର ଚିକିତ୍ସା ଏଲଏନଜେପି ହସ୍ପିଟାଲରେ ଜାରି ରହିଛି । ଏଲଏନଜେପି ମେଡିକାଲର ନିର୍ଦ୍ଦେଶକ ସୁରେଶ କୁମାରଙ୍କ କହିବା ମୁତାବକ, ଯେଉଁ ବ୍ୟକ୍ତି ଜଣକ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି, ସେ ପ୍ରଥମେ ତାଙ୍କ ଗଳାରେ କଷ୍ଟ ଅନୁଭବ କରିଥିଲେ । ତେବେ ବର୍ତ୍ତମାନ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଖାଲି ସେତିକି ନୁହେଁ, ଡାକ୍ତର ସୁରେଶ କୁମାରଙ୍କ ସୂଚନା ମୁତାବକ, ଓମିକ୍ରନ୍ ସଂକ୍ରମିତ ଜଣକ କରୋନାର ଦୁଇଟି ଯାକ ଟିକା ନେଇସାରିଥିଲେ । ହେଲେ ଏହାସତ୍ତେ୍ୱ ମଧ୍ୟ ସେ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ତେବେ ରୋଗୀ ଜଣକ ନିଜ ଶରୀରରେ ଦରଜ ଅନୁଭବ କରୁଛନ୍ତି ଏବଂ ତାଙ୍କ ଶରୀରରେ ମଧ୍ୟ ଦୁର୍ବଳତା ଅନୁଭବ କରୁଛନ୍ତି । ହେଲେ ତାଙ୍କର ଅକ୍ସିଜେନ୍ ଲେଭଲରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ଡାକ୍ତରଙ୍କ ସ୍ପେଶାଲ ଟିମ୍ ଓମିକ୍ରନ ସଂକ୍ରମିତଙ୍କ ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି । ବିଶେଷକରି ରୋଗୀଜଣଙ୍କର ଅକ୍ସିଜେନ୍ ଲେଭଲକୁ ଧ୍ୟାନରେ ରଖାଯାଇଛି । ଏଥିପାଇଁ ହସ୍ପିଟାଲ ଭିତରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ହସ୍ପିଟାଲ କର୍ତ୍ତୁପକ୍ଷଙ୍କ କହିବା କଥା, ଯଦି ଆଗକୁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢେ, ତେବେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି । ତା ସହିତ ଜିନୋମୋ ସ୍ୱିକେନ୍ସିଂ ରିପୋର୍ଟ ଆସିବାକୁ ସମୟ ଲାଗୁଛି । ତେଣୁ ୪ରୁ ୫ଦିନ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସମସ୍ତଙ୍କଠାରୁ ସାମାଜିକ ଦୂରତା ଏବଂ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।