କନକ ବ୍ୟୁରୋ: ଦେଶରେ କରୋନାର ତୃତୀୟ ଲହର କମୁଛି । ଲୋକ ଆଶ୍ୱସ୍ତ ହେଉଛନ୍ତି । ଆଗାମୀ କିଛି ମାସ ଭିତରେ ପାଣ୍ଡେମିକ, ଏଣ୍ଡେମିକରେ ପରିଣତ ହୋଇଯିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ହେଲେ ଏମିତି ସମୟରେ ଚିନ୍ତା ବଢାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସତର୍କ ବାଣୀ । ଆଗକୁ କରୋନାର ଯେଉଁ ନୂଆ ଭାରିଆଣ୍ଟ ଆସିବ ତାହା ଅଧିକ ସଂକ୍ରାମକ ହେବ ବୋଲି କହିଛି ହୁ’ ର ଟେକ୍ନିକାଲ ଟିମ୍ । ତେବେ ଏହି ଭାରିଆଣ୍ଟ ଆଗରେ ବର୍ତ୍ତମାନର ଟିକା କାମ କରିନପାରେ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।
କରୋନାର ପ୍ରଭାବ କମିବା କିଛିଟା ଆଶ୍ୱସ୍ଥ ଆଣିଥିବା ବେଳେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯେଉଁ କଥା କହିଛି, ତାହା ଚିନ୍ତା ବଢ଼ାଇବା ଭଳି । ହୁ କହିଛି ଯେ, ଓମିକ୍ରନ ଶେଷ ଭାରିଆଣ୍ଟ ହେବ ନାହିଁ । ଏହାପରେ ଯେଉଁ ଭ୍ୟାରିଆଣ୍ଟ ଆସିବ ତାହା ଅଧିକ ସଂକ୍ରାମକ ହେବାର ଆଶଙ୍କା ରହିଛି । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋଭିଡ-୧୯ ଟେକ୍ନିକାଲ ଟିମର ମୁଖ୍ୟ ମାରିଆ ଭନ୍ କରକୋଭ୍ କରିଥିବା ଚେତାବନୀ ଏବେ ବିଶ୍ୱର ସବୁ ରାଷ୍ଟ୍ରଙ୍କୁ ସତର୍କ କରାଇ ଦେଇଛି । ସେ କହିଛନ୍ତି ଯେ, ଓମିକ୍ରନ ଶେଷ ଭାରିଆଣ୍ଟ ନୁହେଁ, ଏହାପରେ ଆହୁରି ଭାରିଆଣ୍ଟ ଆସିବ, ଆଉ ଏହା ଅଧିକ ସଂକ୍ରାମକ ହେବ । ସେ ଏହା ପଛର କାରଣ ଦର୍ଶାଇଛନ୍ତି ଯେ, ବର୍ତ୍ତମାନ ରହିଥିବା ଭୂତାଣୁର ଶକ୍ତିକୁ ଅତିକ୍ରମ କରି ନୂଆ ଭ୍ୟାରିଆଣ୍ଟ ଆସିବ ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବୈଜ୍ଞାନିକ ଆହୁରି ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଆଗକୁ ଆସିବାକୁ ଥିବା ଭୂତାଣୁ ପ୍ରତିରୋଧ ଶକ୍ତିକୁ ଭେଦ କରିପାରେ । ଫଳରେ ଏବେ ଦିଆଯାଉଥିବା ଟିକା ଏହି ଭୂତାଣୁ ବିରୋଧରେ କମ୍ ଫଳପ୍ରଦ ହେବ । ତେଣୁ ସଂକ୍ରମଣକୁ ରୋକିବାର ଆବଶ୍ୟକତା ରହିଛି ବୋଲି ଟେକ୍ନିକାଲ କମିଟିର ମୁଖ୍ୟ ମାରିଆ ଭନ୍ କରକୋଭ୍ କହିଛନ୍ତି । ସେପଟେ ଗତବର୍ଷ ନଭେମ୍ବରରେ ଓମିକ୍ରନ ଆସିବା ପରଠାରୁ ସାରା ବିଶ୍ୱରେ ୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/18-10.jpg)