କନକ ବ୍ୟୁରୋ : ଓମିକ୍ରନ କେତେ ମାରାତ୍ମକ ହେବ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ଆସିନଥିଲେ ମଧ୍ୟ ଦକ୍ଷିଣଆଫ୍ରିକାରୁ ଯେଉଁ ଚିତ୍ର ଆସିବାରେ ଲାଗିଛି ତାହା ଭୟ ବଢ଼ାଇ ଦେଇଛି । ଗୋଟିଏ ଦିନରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ବଢ଼ି ଯାଇଛି । ମଙ୍ଗଳବାର ୪ ହଜାର ୩୭୩ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବୁଧବାର ୮ ହଜାର ୫୬୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନଭେମ୍ବର ୧ରେ ଦକ୍ଷିଣଆଫ୍ରିକାରେ ୨୪ଘଂଟାରେ ମାତ୍ର ୧୦୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

Advertisment

ଡେଲଟା ଭ୍ୟାରିଆଂଟ ଯେତେବେଳେ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିଲା, ସେତେବେଳେ ଜୁଲାଇ ୩ରେ ଦକ୍ଷିଣ ଆଫ୍ରିକାରେ ଗୋଟିଏ ଦିନରେ ସର୍ବାଧିକ ୨୬ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତାପରେ ଏହା ଧିରେ ଧିରେ କମି ଚାଲିଥିଲା । କିନ୍ତୁ ଏବେ ହଠାତ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଯିବା ଚିନ୍ତା ବଢ଼ିଯାଇଛି । ଓମିକ୍ରନ ପ୍ରଜାତି ଯୋଗୁଁ ସଂକ୍ରମଣ ବୃଦ୍ଧି ପାଉଛି କି ନାହିଁ ଜଣାପଡି ନଥିଲେ ବି ଲୋକ ଗହଳି ନକରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ, ପୂର୍ବ ମିଡଲାଣ୍ଡ୍‌, ପୂର୍ବ ଇଂଲାଣ୍ଡ, ଲଣ୍ଡନ ଏବଂ ଉତ୍ତର ପଶ୍ଚିମରେ ସମସ୍ତ ନୂଆ ମାମଲା ଚିହ୍ନଟ ହୋଇଛି। ବ୍ରିଟିଶ ସ୍ବାସ୍ଥ୍ୟ ସଚିବ ସାଜିଦ ଜାଭିଦ କହିଛନ୍ତି, ଆଗକୁ ସଂକ୍ରମଣ ବଢ଼ିବ ଏବଂ ଏଥିପାଇଁ ଜନସାଧାରଣଙ୍କୁ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ହେବ । ତେବେ ଓମିକ୍ରନ୍‌ ସଂକ୍ରମିତ ହୋଇଥିବା ବ୍ୟକ୍ତିମାନେ ଦକ୍ଷିଣ ଆଫ୍ରିକାକୁ ଯାତ୍ରା କରିଥିଲେ କି ନାହିଁ ତାହା ଜଣାପଡ଼ିନି । ବ୍ରିଟେନ୍‌ରେ ଓମିକ୍ରନ୍‌ ପ୍ରଜାତି ବଢ଼ିବାରୁ ପ୍ରାୟ ସବୁ ଅଂଚଳରେ କଟକଣା କଡ଼ାକଡ଼ି ହୋଇଛି ।

ବ୍ରିଟେନ୍‌ ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୁଳକ କରିଥିବା ବେଳେ ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଆର୍‌ଟିପିସିଆର ‌ଟେଷ୍ଟ୍‌ ମଧ୍ୟ ବାଧ୍ୟତାମୂଳକ କରିଛି । ଓମିକ୍ରନ୍‌ର ଭୟାବହତାକୁ ରୋକିବା ପାଇଁ ବ୍ରିଟେନ୍‌ ବୁଷ୍ଟର୍‌ ଡୋଜ୍‌ ପ୍ରକ୍ରିୟା ଆରମ୍ଭ କରିଛି। ବ୍ରିଟେନ୍‌ରେ ମୋଟ୍‌ ସଂକ୍ରମଣ ମାମଲା ଏବେ ୧୦,୨୨୮,୭୭୨ ରହିଛି ଏବଂ ମୃତ୍ୟୁସଂଖ୍ୟା ୧୪୪,୯୬୯ରେ ପହଞ୍ଚିଛି ।