କନକ ବ୍ୟୁରୋ : କରୋନା ଭୂତାଣୁର ଡେଲଟା ଓ ବିଟ୍ଟା ପ୍ରଜାତି ତୁଳନାରେ ୩ଗୁଣ ଅଧିକ ସଂକ୍ରାମକ ଓମିକ୍ରନ ପ୍ରଜାତି । ଦକ୍ଷିଣ ଆଫ୍ରିକା ବୈଜ୍ଞାନିକଙ୍କ ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଏମିତି ତଥ୍ୟ ସାମନାକୁ ଆସିଛି । ଦକ୍ଷିଣ ଆଫ୍ରିକାର ସ୍ୱାସ୍ଥ୍ୟ ବ୍ୟବସ୍ଥାର ସ୍ଥିତିକୁ ନେଇ ସଂଗ୍ରହ କରାଯାଇଥିବା ପ୍ରାଥମିକ ତଥ୍ୟକୁ ଆଧାର କରି ଦକ୍ଷିଣ ଆଫ୍ରିକା ବୈଜ୍ଞାନିକ ଏହି ଆକଳନ କରିଛନ୍ତି । ତଥ୍ୟ ଅନୁସାରେ ନଭେମ୍ବର ୨୭ ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ୩୫ ହଜାର ୬୭୦ ଜଣ ପୁଣି ସଂକ୍ରମିତ ହୋଇଛନ୍ତି । ତେବେ ପୁନଃ ସଂକ୍ରମିତ ହୋଇଥିବା ସମସ୍ତେ ୯୦ ଦିନ ପୂର୍ବରୁ ପ୍ରଥମେ ସଂକ୍ରମିତ ହୋଇଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଡେଲଟା ପ୍ରଜାତି ଦ୍ୱାରା ସଂକ୍ରମିତ ହୋଇଥିଲେ ।
ପୁନଃସଂକ୍ରମିତଙ୍କୁ ମଧ୍ୟରୁ କେତେ ଜଣ ଟିକା ନେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ତେଣୁ ଟିକା ଦ୍ୱାର ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତିକୁ ଓମିକ୍ରନ ପ୍ରଜାତି ଭେଦ କରି ପାରୁଛି କି ନାହିଁ ତାହା ସ୍ପଷ୍ଟ ଭାବେ କହି ନାହାଁନ୍ତି । ଏହା ଉପରେ ଅଧିକ ଅଧ୍ୟୟନ ଜାରି ରହିଛି । ଏବଂ ଆଗାମି ଦିନରେ ଏହା ସ୍ପଷ୍ଟ ହେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ତଣୁ ଓମିକ୍ରନ ଭ୍ୟାରିଆଂଟ ଟିକା ଦ୍ୱାରା ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତିକୁ ଭେଦ କରି ଯାଉଛି ବୋଲି ଯାହା କୁହାଯାଉଛି ତାହା ମିଛ ପ୍ରଚାର ବୋଲି ବୈଜ୍ଞାନିକମାନେ କହିଛନ୍ତି । ଟିକା ଏବେ ବି କରୋନା ମୁକାବିଲା କରିବାରେ ସକ୍ଷମ ବୋଲି କହିଛନ୍ତି ।
ସେପଟେ, ‘ଓମିକ୍ରନ୍’ ପ୍ରଜାତି ଏବେ ୩୦ ରାଷ୍ଟ୍ରକୁ ବ୍ୟାପିଲାଣି । ଆମେରିକା ଏବଂ ଭାରତରେ ପ୍ରଥମ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। କାଲିଫର୍ଣ୍ଣିଆରେ ଜଣେ ବ୍ୟକ୍ତି ଓମିକ୍ରନ୍ରେ ପୀଡ଼ିତ ହୋଇଛନ୍ତି । ଉକ୍ତ ବ୍ୟକ୍ତି ଜଣଙ୍କ କୋଭିଡ୍ ଟିକା ନେଇଛନ୍ତି । ତେବେ ସେ ନିକଟରେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜଣାପଡ଼ିଛି । ଆମେରିକା ସଂକ୍ରାମକ ରୋଗ ନିୟନ୍ତ୍ରଣ ବିଭାଗର ମୁଖ୍ୟ ଡାକ୍ତର ଆନ୍ଥୋନି ଫୌସି କହିଛନ୍ତି, ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଟିକା ନେଇଛନ୍ତି ଏବଂ ତାଙ୍କଠାରେ କରୋନାର ଲକ୍ଷଣ ରହିଛି । ରାଷ୍ଟ୍ରପତି ଜୋ ବାଇଡେନ୍ ଆସନ୍ତା ସପ୍ତାହରୁ ଦେଶବ୍ୟାପୀ କଟକଣା କଡ଼ାକଡ଼ି କରିବା ସଂକ୍ରାନ୍ତ ଘୋଷଣା କରିପାରନ୍ତି ।
ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର ଆମେରିକାରେ ଟେଷ୍ଟିଂ କଡ଼ାକଡ଼ି କରିବାପାଇଁ ପଦକ୍ଷେପ ଗ୍ରହଣ କରୁଛି । ଭାରତରେ ମଧ୍ୟ କର୍ଣ୍ଣାଟକରେ ୨ଜଣ ଓମିକ୍ରନ୍ ପ୍ରଜାତିରେ ସଂକ୍ରମିତ ଥିବା ଜଣାପଡ଼ିବା ପରେ ସତର୍କତା ପଦକ୍ଷେପ ବଢ଼ାଇ ଦିଆଯାଇଛି । ଓମିକ୍ରନ୍ ଅନ୍ୟ ପ୍ରଜାତିଠାରୁ ଅତ୍ୟନ୍ତ ସଂକ୍ରାମକ । ଏହା ଟିକା ସୁରକ୍ଷାରୁ ଖସିଯାଉଥିବାରୁ ଭୟ ବଢ଼ୁଛି। ସପ୍ତାହକ ମଧ୍ୟରେ ଓମିକ୍ରନ୍ ନେଇ ଅଧିକ ଗବେଷଣାଲବ୍ଧ ତଥ୍ୟ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି ।