ବିଶ୍ୱ ପାଇଁ ବଡ ବିପଦ ସାଜିପାରେ ‘ଓମିକ୍ରନ’ । ସତର୍କ କରାଇଲା ହୁ , କହିଲା, ଦ୍ରୁତ ଗତିରେ ମାଡିବା ସହ ଘଟାଇପାରେ କ୍ଷତି

278

କନକ ବ୍ୟୁରୋ: ଦ୍ରୁତ ଗତିରେ ସଂକ୍ରମିତ ହେବା ସହ ସାରା ବିଶ୍ୱ ପାଇଁ ବଡ ବିପଦ ସାଜିପାରେ । ଏହି ପ୍ରଜାତି ରୋଗ ପ୍ରତିରୋଧକ ଶକ୍ତି ଭେଦ କରି ଯିବାର ଆଶଙ୍କା ଥିବାରୁ ଓ ଦ୍ରୁତ ଗତିରେ ସଂକ୍ରମିତ କରୁଥିବାରୁ ସାରାବିଶ୍ୱରେ ବ୍ୟାପିଯିବାର ଆଶଙ୍କା ରହିଛି । ତେଣୁ ସତର୍କ ରହିବାକୁ ହେବ । କରୋନାର ନୂଆ ପ୍ରଜାତି ଓମିକ୍ରନକୁ ଭ୍ୟାରିଆଣ୍ଟ ଅଫ୍ କନସର୍ଣ୍ଣ ବା ଚିନ୍ତାଜନକ ଶ୍ରେଣୀ ତାଲିକା ଭୁକ୍ତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଏହା ଆଉ ଏକ ଲହରର କାରଣ ବନିପାରେ ବୋଲି ମଧ୍ୟ ଆଶଙ୍କା ପ୍ରକାଶ କରିଛି ।

  • ଡେଉଁଛି ଭୂତାଣୁର ନୂଆ ପ୍ରଜାତି ‘ଓମିକ୍ରନ’
  • କେତେ ମାରାତ୍ମକ, ମିଳିନି ସ୍ପଷ୍ଟ ଚିତ୍ର

କରୋନାର ନୂଆ ପ୍ରଜାତି ‘ଓମିକ୍ରନ’ କେତେ ସଂକ୍ରମକ ହେବ ଏବଂ ଏହାର ପ୍ରଭାବ କ’ଣ ପଡିବ ଏ ନେଇ ଅନୁଧ୍ୟାନ ଚାଲିଥିବା ବେଳେ ସାରା ବିଶ୍ୱରେ ଭୂତାଣୁ ଭୟ ବଢ଼ିଯାଇଛି । ଦେଶକୁ ଦେଶ ଡେଉଁଛି ଏହି ନୂଆ ପ୍ରଜାତିର କରୋନା ଭୂତାଣୁ । ଦକ୍ଷିଣ ଆଫ୍ରିକା ପରେ ବୋସ୍ୱାନା, ହଂକଂ, ବେଲଜିୟମ, ଇସ୍ରାଏଲ, ବ୍ରିଟେନ୍, ଇଟାଲି , ଜର୍ମାନୀ, , ସୁଇଜରଲାଣ୍ଡ, କାନାଡା, ଓ ଅଷ୍ଟ୍ରେଲିଆରେ ମଧ୍ୟ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦ୍ରୁତ ଗତିରେ ସଂକ୍ରମିତ ହେଉଥିଲେ ବି ଓମିକ୍ରନକୁ ନେଇ ଏବେ ବି ସ୍ପଷ୍ଟ ଚିତ୍ର ସାମନାକୁ ଆସି ପାରିନାହିଁ ।

ଏବେ ସୁଧା ଜଣା ନାହିଁ…

  • କେମିତି ବ୍ୟାପୁଛି ଓମିକ୍ରନ ଭୂତାଣୁ?
  • ରୋଗ ପ୍ରତିରୋଧକ ଶକ୍ତି ଭେଦ କରିବା ପରେ ନା ସାଧାରଣ ଭାବେ ସଂକ୍ରମିତ କରୁଛି?
  • ଓମିକ୍ରନ ବିରୋଧରେ ଟିକା କେତେ ସୁରକ୍ଷା ଦେଉଛି?

ମହାମାରୀ କୋଭିଡ୍-୧୯ ଆସିବା ଦିନଠାରୁ ଏହା ବାରମ୍ବାର ରୂପ ବଦଳାଇଛି । କିନ୍ତୁ ସବୁ ରୂପ ମାରାତ୍ମକ ହୋଇ ନାହାଁନ୍ତି । ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ମାରାତ୍ମକ ସାବ୍ୟସ୍ଥ ହୋଇଛି ଡେଲଟା ପ୍ରଜାତି । କିନ୍ତୁ ଏହି ପ୍ରଜାତି ବିରୋଧରେ ଟିକା ପ୍ରଭାବୀ ଥିଲା ଆଉ ସଂକ୍ରମଣ ରୋକିବାରେ ବେଶ ସହାୟକ ହୋଇଛି । କିନ୍ତୁ ଓମିକ୍ରନ ବିରୋଧରେ ଟିକା କେତେ ପ୍ରଭାବୀ ହେଉଛି ତାହା ଆଉ କିଛି ଦିନ ଭିତରେ ସ୍ପଷ୍ଟ ହୋଇଯିବ । ହେଲେ , ତୃତୀୟ ଲହର ଆଶଙ୍କା ଥିବାରୁ ଆମକୁ ସତର୍କ ରହିବାକୁ ପଡିବ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଭଳି ଗୁରୁତ୍ୱପୂର୍ଣ୍ଣ କରୋନା କଟକଣାକୁ ମାନିବାକୁ ପଡିବ ।