ଦେଶରେ ବଢୁଛି ଓମିକ୍ରନ୍ ସଂକ୍ରମଣ । ମୁମ୍ବାଇରେ ଲାଗିଲା ୧୪୪ ଧାରା, ଡର ବଢାଇଲାଣି ମହାରାଷ୍ଟ୍ର ।

171

କନକ ବ୍ୟୁରୋ : ଭାରତରେ ପ୍ରଭାବ ବିସ୍ତାର କରୁଛି ଓମିକ୍ରନ । ଶୁକ୍ରବାର ଗୁଜରାଟରୁ ୨ ଜଣ ଓମିକ୍ରନ୍ ସଂକ୍ରମିତ ମାମଲା ସାମ୍ନାକୁ ଆସିଥିଲା । ଏବେ ଦିଲ୍ଲୀରୁ ଆଉ ଜଣେ ଆକ୍ରାନ୍ତ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ ଏହି ସଂଖ୍ୟାକୁ ମିଶାଇଲେ ଦିଲ୍ଲୀରେ ଏବେ ସମୁଦାୟ ୨ଟି ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ଓମିକ୍ରନ ମାମଲା ୧୭କୁ ବୃଦ୍ଧି ହେଲାଣି । ୩ ସଂକ୍ରମିତ ଚିହ୍ନଟ ପରେ ମୁମ୍ୱାଇରେ ୪୮ ଘଂଟା ପାଇଁ ଜାରି ହୋଇଛି ୧୪୪ ଧାରା । ରାଲି ଓ ସମାବେଶ ଉପରେ ଲାଗୁ ହୋଇଛି କଟକଣା ।

ଡର ବଢାଇଲାଣି ମହାରାଷ୍ଟ୍ର । ୧୭ ଓମିକ୍ରନ, ବଢିଲା ଚିନ୍ତା । ଭାରତରେ ଦିନକୁ ଦିନ ଓମିକ୍ରନ୍ ପ୍ରଜାତିର ସଂକ୍ରମିତ ମାମଲା ବଢିଚାଲିଛି । ମହାରାଷ୍ଟ୍ରରେ ବର୍ତମାନ ସୁଦ୍ଧା ସବୁଠାରୁ ଅଧିକ ଓମିକ୍ରନ ଚିହ୍ନଟ ହେବା, ଉଦ୍ଧବ ସରକାରଙ୍କ ପାଇଁ ଚିନ୍ତାର କାରଣ ହେଲାଣି । ଶନିବାର ମଧ୍ୟାହ୍ନ ସୁଦ୍ଧା ମହାରାଷ୍ଟ୍ରରେ ମୋଟ୍ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୧୭ ରହିଥିଲା । ଏଥିରୁ ଶୁକ୍ରବାର କେବଳ ୭ ମାମଲା ଚିହ୍ନଟ ହୋଇଥିଲା । ଏହା ମଧ୍ୟରୁ ୩ଟି ମାମଲା ମୁମ୍ୱାଇ ଏବଂ ୪ଟି ମାମଲା ପିଂପରୀ ଚିଂଚବଡ ମହାନଗରପାଳିକା ଅଂଚଳରେ ଠାବ ହୋଇଛି ।

– ମୁମ୍ୱାଇରେ ୩ ସଂକ୍ରମିତ ଚିହ୍ନଟ
– ୪୮, ୨୫ ଓ ୩୭ ବର୍ଷୀୟଙ୍କ ଠାରେ ଓମିକ୍ରନ
– ତାଂଜାନିଆ, ଆମେରିକା ଏବଂ ଦକ୍ଷିଣଆଫ୍ରିକା ଫେରନ୍ତାଙ୍କ ଠାରେ ଓମିକ୍ରନ

ମୁମ୍ୱାଇରେ ଓମିକ୍ରନ କେସ୍ ଚିହ୍ନଟ ପରେ ଆକ୍ସନରେ ମହାରାଷ୍ଟ୍ର ସରକାର । ୪୮ ଘଂଟା ପାଇଁ ମୁମ୍ୱାଇରେ ୧୪୪ ଧାରା ଜାରି ହୋଇଛି । ରାଲି ଓ ଶୋଭାଯାତ୍ରା ଉପରେ ଲାଗିଛି କଟକଣା ।

ଦେଶରେ ବଢୁଛି ଓମିକ୍ରନ୍ ସଂକ୍ରମଣ । ଦିଲ୍ଲୀରୁ ଆଉ ଜଣେ ସଂକ୍ରମିତ ଚିହ୍ନଟ । ଦେଶରେ ଓମିକ୍ରନ ସଂକ୍ରମଣକୁ ଚିନ୍ତା ଭିତରେ ଶନିବାର ଦିଲ୍ଲୀରେ ଚିହ୍ନଟ ହୋଇଛନ୍ତି ଆଉ ଜଣେ ଓମିକ୍ରନ ଆକ୍ରାନ୍ତ । ଫଳରେ ଦିଲ୍ଲୀରେ ନୂଆ କରୋନା ଭାରିଆଣ୍ଟର ଦ୍ୱିତୀୟ ସଂକ୍ରମିତ ଠାବ ହୋଇଛନ୍ତି । ଏହାକୁ ମିଶାଇଲେ ଦିଲ୍ଲୀରେ ଏବେ ମୋଟ୍ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୨ କୁ ବୃଦ୍ଧି ହୋଇଛି ।

– ଜିମ୍ବାୱେରୁ ଫେରିଥିବା ବ୍ୟକ୍ତିଙ୍କ ଠାରେ ମିଳିଲା ଓମିକ୍ରନ
– ବିମାନବନ୍ଦରରୁ ନମୂନା ସଂଗ୍ରହ ପରେ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା
– ଜିମ୍ୱାୱେ ଫେରନ୍ତାଙ୍କ ଦକ୍ଷିଣ ଆଫ୍ରିକାକୁ ରହିଛି ଟ୍ରାଭେଲ ହିଷ୍ଟ୍ରି

ବର୍ତମାନ ସୁଦ୍ଧା ଦିଲ୍ଲୀକୁ ଫେରିଥିବା ୨୭ ଜଣ ବିଦେଶ ଫେରନ୍ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହି ପଜିଟିଭ୍ ଆକ୍ରାନ୍ତଙ୍କ ରିପୋର୍ଟ ଜିନୋମ ସିକ୍ୱେନ୍ସିଂ ପାଇଁ ଯିବା ପରେ ମୋଟ୍ ୨ ଜଣଙ୍କ ଠାରୁ ଓମିକ୍ରନ ମିଳିଛି । ବାକି ୨୫ ଜଣଙ୍କ ରିପୋର୍ଟ ନେଗେଟିଭ୍ ରହିଛି ।

ଶୁକ୍ରବାର ଦେଶରେ ୯ ଟି ଓମିକ୍ରନ ମାମଲା ସାମ୍ନାକୁ ଆସିଥିଲା । ଶନିବାର ଦିଲ୍ଲୀର ଗୋଟିଏ ଓମିକ୍ରନ ମାମଲାକୁ ମିଶାଇ ଦେଶରେ ମୋଟ୍ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୩୩କୁ ବୃଦ୍ଧି ହୋଇଛି । ସବୁଠାରୁ ଅଧିକ ଓମିକ୍ରନ ଆକ୍ରାନ୍ତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି ।

ନଜର ପକାନ୍ତୁ କେଉଁ ରାଜ୍ୟରେ କେତେ ଓମିକ୍ରନ ଚିହ୍ନଟ ?
– ମହାରାଷ୍ଟ୍ର ୧୭, ରାଜସ୍ଥାନ ୯, ଗୁଜରାଟ ୩
– ଦିଲ୍ଲୀ ୨ ଏବଂ କର୍ଣ୍ଣାଟକ ୨

ଏସବୁ ଭିତରେ ଆଶ୍ୱସ୍ତିର କଥା ହେଉଛି ରାଜସ୍ଥାନରେ ୯ଟି ରିପୋର୍ଟ ପରୀକ୍ଷା ପାଇଁ ଯାଇଥିଲା, ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ସେପଟେ ଓମିକ୍ରନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ନିଜର ତତ୍ପରତା ଜାରି ରଖିଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ସବୁ ରାଜ୍ୟ ମାନଙ୍କୁ ସତର୍କ କରାଯାଇଛି । କରୋନାର ନୂଆ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ଅଧିକ ପଜିଟିଭ ବାହରୁଥିବା ଅଞ୍ଚଳ ଉପରେ କଡା ନଜର ସହ ତୁରନ୍ତ ଆକ୍ସନ ନେବାକୁ ଆଦେଶ ଜାରି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ସଜାଗ ହେବା ସହ ବିମାନବନ୍ଦରରେ କଡା ସତର୍କତା ଜାରି କରାଯାଇଛି ।