ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ସ୍ଥିତି ଅନୁଧ୍ୟାନ ପାଇଁ ୧୦ଟି ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ୍ ।

111

କନକ ବ୍ୟୁରୋ : ସାରା ବିଶ୍ୱରେ କରୋନାର ନୂଆ ପ୍ରଜାତି ଓମିକ୍ରନର ସଂକ୍ରମଣ ବଢିବାରେ ଲାଗିଛି । ଭାରତରେ ଓମିକ୍ରନ ଯୋଗୁଁ ତୃତୀୟ ଲହର ଆଶଙ୍କା ରହିଛି । ଏଥିପାଇଁ କେନ୍ଦ୍ର ସରକାର ଆଗୁଆ ରଣନୀତି ପ୍ରସ୍ତୁତ କରିଛନ୍ତି । ଓମିକ୍ରନ ସଂକ୍ରମଣ ବ୍ୟାପୁଥିବା ଓ ଟିକାକରଣ କମ୍ ଥିବା ୧୦ଟି ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ୍ । ସେଠାରେ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବ ଏହି ଟିମ୍ ।

ଦେଶରେ ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ୧୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନାର ନୂଆ ପ୍ରଜାତି । ମହାରାଷ୍ଟ୍ର ଓ ଦିଲ୍ଲୀରେ ସର୍ବାଧିକ ସଂକ୍ରମିତ । ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା ଓମିକ୍ରନ, ଭାରତରେ ଧୀରେ ଧୀରେ କାୟା ମେଲାଇ ଚାଲିଛି । ଓମିକ୍ରନ ଯୋଗୁଁ ଭାରତରେ ତୃତୀୟ ଲହର ଆଶଙ୍କା ଥିବାରୁ ଆଗୁଆ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଓମିକ୍ରନ ସଂକ୍ରମଣ ବ୍ୟାପୁଥିବା ଓ ଟିକାକରଣ କମ୍ ଥିବା ରାଜ୍ୟ ଗୁଡ଼ିକ ଉପରେ ରହିଛି ସ୍ୱତନ୍ତ୍ର ନଜର ।

୧୦ଟି ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ୍ । ସ୍ଥିତି ଅନୁଧ୍ୟାନ କରି ଦେବେ ରିପୋର୍ଟ । ୧୦ଟି ରାଜ୍ୟକୁ ଚିହ୍ନଟ କରାଯାଇଥିବା ବେଳେ ଏହି ରାଜ୍ୟଗୁଡିକୁ ଯିବେ ବହୁମୁଖୀ କେନ୍ଦ୍ରୀୟ ଟିମ୍ । ଏସବୁ ରାଜ୍ୟରେ କାହିଁକି ଓମିକ୍ରନ ସଂକ୍ରମଣ ବ୍ୟାପୁଛି ଓ ଟିକାକରଣକୁ କିପରି ତ୍ୱରାନ୍ୱିତ କରିହେବ, ସେନେଇ ଅନୁଧ୍ୟାନ କରିବେ ।

ଉତ୍ତରପ୍ରଦେଶ, ପଞ୍ଜାବ, କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ମିଜୋରାମ୍, କର୍ଣ୍ଣାଟକ, ବିହାର ଓ ଝାଡ଼ଖଣ୍ଡ ଉପରେ ରହିଛି ସ୍ୱତନ୍ତ୍ର ନଜର । ସମ୍ପୃକ୍ତ ରାଜ୍ୟରେ ୫ ଦିନ ରହି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସହ ସ୍ଥିତିର ସମୀକ୍ଷା କରିବ କେନ୍ଦ୍ରୀୟ ଟିମ୍ । ସର୍ଭିଲାନ୍ସ, କରୋନା ନିୟମ ପାଳନ, ଟିକାକରଣ ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଜୋର ଦିଆଯିବ । ପ୍ରତିଦିନ ସନ୍ଧ୍ୟାରେ ରିପୋର୍ଟ ଦେବେ କେନ୍ଦ୍ରୀୟ ଟିମ୍ ।

୧୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ୪୩୭ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୧୧୫ଜଣ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ମହାରାଷ୍ଟ୍ରରୁ ସର୍ବାଧିକ ୧୦୮ ଜଣ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ ସୁସ୍ଥ ହେଲେଣି । ସେହିପରି ଦିଲ୍ଲୀରେ ୭୯ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୩ ଜଣ ସୁସ୍ଥ ହୋଇଛନ୍ତି । ଗୁଜରାଟ, ରାଜସ୍ଥାନ, ତେଲେଙ୍ଗାନା, କେରଳ, ତାମିଲନାଡୁ, କର୍ଣ୍ଣାଟକରେ ମଧ୍ୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଓଡ଼ିଶାରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ସଂଖ୍ୟା ବଢ଼ୁଥିବାରୁ ବିଭିନ୍ନ ରାଜ୍ୟରେ ପୁଣି ଫେରିଛି କରୋନା କଟକଣା । ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ, ହରିୟାଣା, ଆସାମ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି ।