ଦେଶରେ ଡେଉଁଛି ଓମିକ୍ରନ । ବଢୁଛି ମାମଲା, କର୍ଣ୍ଣାଟକର ସ୍କୁଲରୁ ବାହାରିଲେ ୬୯ କରୋନା ପଜିଟିଭ୍ ।

279

କନକ ବ୍ୟୁରୋ : କର୍ଣ୍ଣାଟକ, ଗୁଜୁରାଟ ଓ ମହାରାଷ୍ଟ୍ର ପରେ ଏବେ ଦିଲ୍ଲୀରେ ଚିହ୍ନଟ ହୋଇଛନ୍ତି ‘ଓମିକ୍ରନ’ ସଂକ୍ରମିତ । ଏହା ଦେଶରେ ପଞ୍ଚମ ‘ଓମିକ୍ରନ’ ସଂକ୍ରମିତ ଘଟଣା । ସେପଟେ ପ୍ରଥମ କରି ‘ଓମିକ୍ରନ’ ଚିହ୍ନଟ ହୋଇଥିବା କର୍ଣ୍ଣାଟକର ଏକ ସ୍କୁଲରେ ଆଜି ୬୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଠାରେ କୌଣସି ଲକ୍ଷଣ ନାହିଁ । ସେପଟେ ବିହାରରେ ଆଫ୍ରିକାରୁ ଆସିଥିବା ୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ନମୂନା ଜିନୋମ୍ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଛି ।

କର୍ଣ୍ଣାଟକ, ମହାରାଷ୍ଟ୍ର ଗୁଜୁରାଟ ପରେ ଦିଲ୍ଲୀରେ ଓମିକ୍ରନ ଆତଙ୍କ । ରାଜଧାନୀରେ ୫ନମ୍ବର ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ବଢିବା ସମ୍ଭାବନା । ଦେଶରେ ଓମିକ୍ରନ ମାମଲା ବଢିବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛି । ତାଞ୍ଜାନିଆରୁ ଫେରିଥିବା ଜଣେ ଯାତ୍ରୀ ଦେଶର ୫ମ ଓମିକ୍ରନ ଭୂତାଣୁ ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ତାଙ୍କୁ ଦିଲ୍ଲୀର ଲୋକ ନାୟକ ଜୟପ୍ରକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତାଞ୍ଜାନିଆରୁ ଭାରତ ଆସିଥିବା ୧୭ ପଜିଟିଭ ଚିହ୍ନଟଙ୍କ ମଧ୍ୟରୁ ୧୨ ଜଣଙ୍କ ନମୂନା ଜିନୋମ ସ୍ୱିକେନସିଂ ପାଇଁ ପଠାଯାଇଥିଲା । ସେଥିମଧ୍ୟରୁ ଜଣଙ୍କର ନମୂନାରେ ଓମିକ୍ରନ ଭୂତାଣୁ ଠାବ ହୋଇଛି । ସମସ୍ତ ସଂକ୍ରମିତଙ୍କୁ ଏବେ ଏଲଏନଜେପି ହସ୍ପିଟାଲରେ ଭର୍ତି କରାଯାଇଛି ।

ଦିଲ୍ଲୀର ଓମିକ୍ରନ ଆକ୍ରାନ୍ତ କରୋନା ଟିକାର ଦୁଇଟି ଡୋଜ ନେଇଛନ୍ତି । ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖା ଦେଇଛି । ଆକ୍ରାନ୍ତଙ୍କ ଗଳାରେ ଯନ୍ତ୍ରଣା, ଦୁର୍ବଳ ଲାଗିବା ଓ ଦେହ ଘୋଳାବିନ୍ଧା କରୁଥିବା ସୂଚନା ମିଳିଛି । ଏଲଏନଜେପି ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ଟ୍ରେସିଂ କରାଯାଉଛି ।

ପୂର୍ବରୁ କର୍ଣ୍ଣାଟକରୁ ୨ ଜଣ, ମହାରାଷ୍ଟ୍ର ଓ ଗୁଜୁରାଟରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜିମ୍ବାୱେରୁ ଗୁଜୁରାଟର ଜାମନଗର ଆସିିଥିବା ୭୨ ବର୍ଷିୟ ବୃଦ୍ଧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଥାଣେ ଜିଲ୍ଲା ଡୋମ୍ବିଭିଲ ସହରକୁ ଫେରିଥିବା ଜଣେ ୩୩ ବର୍ଷୀୟ ମେରାଇନ ଇଂଜିନିୟର ଓମିକ୍ରନ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ତେବେ ଆଜି ମହାରାଷ୍ଟ୍ରରୁ ଆଉ ୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ତେବେ ବିଦେଶୀ ଫେରନ୍ତା ବହୁ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଥିବାରୁ ସଂଖ୍ୟା ବୃଦ୍ଧିର ଆଶଙ୍କା ରହିଛି ।

ଦକ୍ଷିଣ ଆଫ୍ରିକାରୁ ବିହାରର ଗୋପାଳଗଂଜ ଫେରିଥିବା ୫ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସିଙ୍ଗାପୁରର ତାମିଲନାଡୁର ମଦୁରାଇ ଫେରିଥିବା ଜଣେ ଯାତ୍ରୀ ସଂକ୍ରମିତ ହୋଇଛନ୍ତି । ସେହିପରି ଦୁବାଇରୁ ଦିଲ୍ଲୀ ଫେରିଥିବା ୨ ଯାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ସମସ୍ତଙ୍କ ରିପୋର୍ଟ ଜିନୋମ ସ୍ୱିକେନ୍ସିଂ ପାଇଁ ପଠାଯାଇଛି । ତେଣୁ ଦେଶର ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି ।