କନକ ବ୍ୟୁରୋ : ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଓମିକ୍ରନ ଯୋଗୁଁ ଏହି ସଂଖ୍ୟା ବଢୁଥିବା କୁହାଯାଇଛି । ଏପଟେ ଦେଶରେ ଚିନ୍ତା ବଢାଉଛନ୍ତି ମହାରାଷ୍ଟ୍ର ଓ ଦିଲ୍ଲୀ । ତେବେ ଆଶ୍ୱସ୍ତିର କଥା ହେଉଛି ଦେଶରେ ଚିହ୍ନଟ ହୋଇଥିବା ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ରାଜ୍ୟରେ ଚିହ୍ନଟ ହୋଇଥିବା ୮ଜଣ ଓମିକ୍ରନ ପଜିଟିଭଙ୍କ ମଧ୍ୟରୁ ଗଞ୍ଜାମର ଜଣେ ୯ବର୍ଷର ଶିଶୁ ଥିବା ଜଣାପଡିଥିଲା । ସେ ନାଇଜେରିଆରୁ ଫେରି ଓମିକ୍ରନ ଆକ୍ରାନ୍ତ ହୋଇଥିଲେ । ଏବେ ସେ ସୁସ୍ଥ ହୋଇ ଫେରିଛନ୍ତି ।
ଦେଶରେ ବଢ଼ୁଛି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ଚିନ୍ତା ବଢ଼ାଉଛନ୍ତି ଦିଲ୍ଲୀ ଓ ମହାରାଷ୍ଟ୍ର । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଥିଲେ ମଧ୍ୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ସନ୍ଧ୍ୟା ସୁଦ୍ଧା ସାରାଦେଶରୁ ୫୭୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୧୫୬ ଓମିକ୍ରନ ମାମଲା ଚିହ୍ନଟ ହୋଇଛି । ସବୁଠାରୁ ବଡ କଥା ହେଉଛି, ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ଯେଉଁ ମହାରାଷ୍ଟ୍ର ଓ ଦିଲ୍ଲୀରେ ପ୍ରଥମେ ସଂକ୍ରମଣ ବୃଦ୍ଧି ପାଇବା ପରେ ସାରା ଦେଶରେ କାୟା ବିସ୍ତାର କରିଥିଲା । ଏବେ ସେହି ଦୁଇ ସ୍ଥାନରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ପ୍ରତି ଦିନ ବଢ଼ି ବଢ଼ି ଚାଲିଛି । ତେବେ ଆଶ୍ୱସ୍ତିର କଥା ହେଉଛି ଦେଶର ଚିହ୍ନଟ ହୋଇଥିବା ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧ ଜଣ ସୁସ୍ଥ ହୋଇଛନ୍ତି ।
ଓଡିଶାରେ ୧୮ ନମୂନାରୁ ୮ ଓମିକ୍ରନ ପଜିଟିଭ୍ । ଭୂତାଣୁର ପ୍ରଜାତି ଜଣାପଡିବା ପୂର୍ବରୁ ଜଣେ ସୁସ୍ଥ । ଓଡିଶାକୁ ଫେରିଥିବା ବିଦେଶୀଙ୍କ ମଧ୍ୟରୁ ୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେମାନଙ୍କ ନମୂନା ଜିନମ ସିକୁଏନ୍ସିଂ ପାଇଁ ପଠାଯାଇଥିଲା । ସେହି ୧୮ଟି ନମୂନା ମଧ୍ୟରୁ ୮ଜଣ ଓମିକ୍ରନ ପ୍ରଜାତି ଦ୍ୱାରା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁମାନେ ଓମିକ୍ରନ ଦ୍ୱାରା ସଂକ୍ରମିତ ହେଉଛନ୍ତି ସେମାନେ ଖୁବ୍ ଶୀଘ୍ର ସୁସ୍ଥ ହେଉଥିବା ଦେଖାଯାଉଛି । ଏପରିକି ଜିନମ ସିକ୍ୟୁଏନ୍ସିଂ ପାଇଁ ଯାଇଥିବା ଜଣଙ୍କ ନମୂନାର ରିପୋର୍ଟ ଆସିବା ପୂର୍ବରୁ ସେ ସୁସ୍ଥ ହୋଇଥିବା ଜଣାପଡିଛି । ଏଥିସହ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ସ୍ଥିତି ଭଲ ଅଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ଆମେରିକାରେ ଦ୍ରୁତ ଗତିରେ ମାଡୁଛି ଓମିକ୍ରନ । ହସ୍ପିଟାଲରେ ବଢ଼ୁଛି ରୋଗୀ ସଂଖ୍ୟା । ଗତ ବର୍ଷ ଏହି ସମୟରେ ଆମେରିକାରେ ଦୈନିକ ଯେତିକି କରୋନା ସଂକ୍ରମିତ ଚିହ୍ନଟ ହେଉଥିଲେ, ଏବେ ତାହାଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଉ ଅଧିକ ସଂକ୍ରମିତ ଚିହ୍ନଟ ହେବାର କାରଣ ଓମିକ୍ରନ ବୋଲି କୁହାଯାଉଛି । ନ୍ୟୁୟର୍କ ଟାଇମ୍ସର ତଥ୍ୟ ଅନୁସାରେ, ଆମେରିକାରେ ଗତ ସପ୍ତାହର ହାରାହାରି ଦୈନିକ ସଂକ୍ରମଣ ସଂଖ୍ୟା ପାଖାପାଖି ୨ଲକ୍ଷରେ ପହଞ୍ଚିଛି । ହସ୍ପିଟାଲାଇଜେସନ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଗତ ସାତ ଦିନରେ ପ୍ରାୟ ୧୦ ପ୍ରତିଶତ ହସ୍ପିଟାଲାଇଜେସନ ସଂଖ୍ୟା ବଢ଼ିଛି । ସେହିପରି ୩ ପ୍ରତିଶତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ସଂକ୍ରମଣ ବଢ଼ୁଥିଲେ ବି ଓମିକ୍ରନ ଆକ୍ରାନ୍ତ କେତେ ଗୁରୁତ୍ୱର ହେଉଛନ୍ତି, ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ । କିନ୍ତୁ ଗତ କିଛି ଦିନ ହେଲା ଚିକିତ୍ସାଳୟରେ ଅଧିକ ଛୋଟ ପିଲା ଭର୍ତି ହେଉଥିବା ଦେଖାଯାଉଛି । ଯାହାକି ଚିନ୍ତାର ବିଷୟ ହୋଇଛି ।