ଓଡ଼ିଶାକୁ ବଢୁଛି ଓମିକ୍ରନ ଚିନ୍ତା ? ଭୟ ବଢାଇଲେଣି ପଡୋଶୀ ! ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନାହିଁ ନଜର ।

170

କନକ ବ୍ୟୁରୋ : ଓମିକ୍ରନର ଭୟ ଭିତରେ ପଡୋଶୀ ରାଜ୍ୟରୁ ଆକ୍ରାନ୍ତ ଚିହ୍ନଟ ହେବା ଓଡିଶାର ଚିନ୍ତା ବଢାଇ ଦେଇଛି । ପୂର୍ବରୁ ଆନ୍ଧ୍ରରୁ ଆଉ ଏବେ ପଶ୍ଚିମବଙ୍ଗରୁ ଜଣେ ନାବାଳକ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଡୋଶୀଙ୍କ ଠାରୁ ଦ୍ରୁତ ସଂକ୍ରାମକ କରୋନାର ଏହି ନୂଆ ପ୍ରଜାତି ରାଜ୍ୟକୁ ପଶି ଆସିବା ଆଶଙ୍କା ଦେଖାଦେଇଛି । ତେଣୁ ସୀମାନ୍ତ ଅଞ୍ଚଳରେ ନଜର ରଖିବା ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପଡିଛି । ଅନ୍ୟପଟେ ଜାନୁୟାରୀ କିମ୍ବା ଫେବୃୟାରୀରୁ ଓମିକ୍ରନ ସଂକ୍ରମଣ ବଢିବ ବୋଲି କହିଛନ୍ତି କେନ୍ଦ୍ର ସରକାର ।

ଓଡିଶାକୁ ବଢୁଛି ଓମିକ୍ରନ ଚିନ୍ତା ? ଭୟ ବଢାଇଲେଣି ପଡୋଶୀ ! ତିନି ଦିନ ତଳେ ପଡୋଶୀ ଆନ୍ଧ୍ର ପ୍ରଦେଶରେ ଓମିକ୍ରନ ଭୂତାଣୁ ଚିହ୍ନଟ ହେବା ପରେ ଓଡିଶା ପ୍ରତି ବିପଦ ଆଶଙ୍କା ବଢିଥିବା ବେଳେ ଆଜି ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଛି ଏହି ପ୍ରଜାତି । ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ୭ ବର୍ଷର ବାଳକ ଆବୁଧାବିରୁ ହାଇଦ୍ରାବାଦ ଦେଇ ପଶ୍ଚିମବଙ୍ଗ ଆସିଥିଲେ । ହେଲେ ସୌଭାଗ୍ୟବଶତଃ ତାଙ୍କ ପିତାମାତାଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ସେହିଭଳି ସୁରଟରୁ ଗୋଟିଏ କେସ୍ ବାହାରିବା ପରେ ମଧ୍ୟ ଚିନ୍ତା ବଢିଛି । କାରଣ ଓଡିଶାରୁ ଅନେକ ସୁରଟ ଯାଇଥାନ୍ତି କାମ କରିବାକୁ । ଦୁଇ ପଡୋଶୀ ରାଜ୍ୟ ଓ ସୁରଟରେ ଏହି ସଂକ୍ରମକ ପ୍ରଜାତି ଚିହ୍ନଟ ହେବା ପରେ ଓଡିଶା ପାଇଁ ଆହ୍ୱାନ ବଢିଛି । ତେଣୁ ସରକାରଙ୍କ ପାଇଁ ସୀମାନ୍ତ ଜିଲ୍ଲା ଉପରେ ନଜର ରଖିବା ଚ୍ୟାଲେଞ୍ଜ ହୋଇପଡିଛି ।

ଆଗକୁ ବଢିବ ସଂକ୍ରମଣ ! ଆସିବ କି ତୃତୀୟ ଲହର ? ଏପଟେ ଆସନ୍ତା ଜାନୁଆରୀ କିମ୍ବା ଫେବୃଆରୀରେ ଓମିକ୍ରନ ଯୋଗୁ ଦେଶରେ ସଂକ୍ରମଣ ବଢିବ ବୋଲି କେନ୍ଦ୍ର ସରକାରଙ୍କ ସୂତ୍ରରୁ ଖବର ପ୍ରକାଶ କରିଛନ୍ତି ଜାତୀୟ ଗଣମାଧ୍ୟମ । ହେଲେ ଆଶ୍ୱସ୍ତିର କଥା ହେଉଛି କରୋନାର ଭୟଙ୍କର ପ୍ରଜାତି ଡେଲଟା ଠାରୁ ଏହାର ଲକ୍ଷଣ ସାମାନ୍ୟ ରହିବ ବୋଲି କହିଛନ୍ତି ବିଶେଷଜ୍ଞ ।

ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା ଡେଲ୍ଟା ପ୍ରଜାତି ଠାରୁ ମଧ୍ୟ ଅଧିକ ସଂକ୍ରମଣର ଦକ୍ଷତା ରଖୁଛି ଏହି ନୂଆ ଓମିକ୍ରନ ଭାରିଆଣ୍ଟ । ଲକ୍ଷଣ ଦୃଷ୍ଟିରୁ ଭୟାବହତା କମ ଥିବା କୁହାଯାଉଥିଲେ ମଧ୍ୟ ଅନ୍ୟାନ୍ୟ ରୋଗ ଥିବା ବ୍ୟକ୍ତିଙ୍କ ପାଇଁ ଏହା ଘାତକ ହେବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ । ତେଣୁ କୋଭିଡ ନିୟମ ପାଳନ କରିବା ଓ ଟୀକାକରଣ ବଢାଇବା ଉପରେ ଗୁରୁତ୍ୱ ଦିଆଯାଉଛି ।