କାୟା ବିସ୍ତାର କରୁଛି ଓମିକ୍ରନ , ଜାପାନ ସମେତ ୧୭ ଦେଶରେ ଚିହ୍ନଟ ହେଲେଣି ସଂକ୍ରମିତ

546

କନକ ବ୍ୟୁରୋ : ଦକ୍ଷୀଣ ଆଫ୍ରିକାରେ ପ୍ରଥମ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ନୂଆ ଭାରିଆଣ୍ଟଓମିକ୍ରନ ଏବେ ୧୭ ଟି ଦେଶକୁ ବ୍ୟାପିଛି । କଡା କଟକଣା ପାଳନ କରୁଥିବା ଜାପାନରେ ବି ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି । ମଙ୍ଗଳବାର ଦିନ ଜାପାନ ଅଧିକାରୀଙ୍କ ସୂଚନା ମୁତାବକ ସେଠାରେ ଓମିକ୍ରନ ଭାରିଆଣ୍ଟ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ସେପଟେ ନଭେମ୍ବର ୨୪ ତାରିଖରେ ଦକ୍ଷୀଣ ଅଫ୍ରିକା ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଏହି ଭାରିଆଣ୍ଟ ନେଇ ସୂଚନା ଦେଇଥିଲା । ଏହାପରେ ବିଶ୍ୱ ସ୍ୱାସ୍ଥ୍ୟସଂଗଠନ ପକ୍ଷରୁ ଏନେଇ ଦିଶା ନିର୍ଦ୍ଦେଶ ଜାରି କରିଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି କି ଏହି ଭାରିଆଣ୍ଟ କରୋନାର ଅନ୍ୟ ଭାରିଆଣ୍ଟ ଠାରୁ ଅଧିକ ସଂକ୍ରମିତ ।

ଜାପାନ ସରକାରଙ୍କ ପ୍ରବକ୍ତା ହେରିକାଜୁ ମାସ୍ତୁନେ ଗଣମାଧ୍ୟମକୁ କହିଛନ୍ତି କି ନାମ୍ବିଆରୁ ଆସିଥିବା କିଛି ଯାତ୍ରୀଙ୍କ ଠାରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏବେ ସେମାନଙ୍କୁ ଏକ ସ୍ୱତନ୍ତ୍ର ଆଇସୋଲେସନରେ ରଖାଯାଇଥିବା କଥା କୁହାଯାଇଛି ।

ଅନ୍ୟପଟେ ଗୋଟିଏ ଦିନ ପୂର୍ବରୁ ଜାପାନ ତରଫରୁ ଦେଶର ସୀମାରେ କଟକଣା ଲଗାଯାଇଥିଲା । ଏହି କ୍ରମରେ ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ କ୍ୱାରେଣ୍ଟିନରେ ରଖାଯିବା ସହ ସେମାନଙ୍କର କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ହେଲେ କିଛି ସପ୍ତାହ ପୂର୍ବରୁ ଜାପାନ ସରକାର କରୋନା କଟକଣାରେ ଢିଲା କରିଥିବା ସେଠିକାର ଗଣମାଧ୍ୟମ ପ୍ରଚାର କରିଛି ।

କରୋନା ଭୂତାଣୁର ଏହି ସମ୍ଭାବିତ ରୂପ ଅନ୍ୟ ଭାରିଆଣ୍ଟ ଠାରୁ ଅଧିକ ସଂକ୍ରାମକ । ଏବେ ଏହି ଭୂତାଣୁ ଦକ୍ଷୀଣ ଆଫ୍ରିକାରୁ ଚିହ୍ନଟ ହୋଇ ବିଶ୍ୱର ୧୭ ଟି ଦେଶକୁ ବ୍ୟାପିଛି । ଏନେଇ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର ଦିନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ଯାଂଚ ବଢାଇବାକୁ ରାଜେଶ ଭୂଷଣ ରାଜ୍ୟ ଅଧିକାରୀମାନଙ୍କୁ ତାଗିଦ କରିଛନ୍ତି ।