ଓମିକ୍ରନ ଭୟ : କେମିତ ହେବ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ?

ଭିତରେ ଭାରତୀୟ କ୍ରିକେଟ ଟିମର ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ ଆଶଙ୍କା : କନକ ନ୍ୟୁଜକୁ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ଅଧ୍ୟକ୍ଷଙ୍କ ସୂଚନା

131

କନକ ବ୍ୟୁରୋ : କରୋନାର ନୂଆ ଭ୍ୟାରିଆଂଟ ଓମିକ୍ରନ ପ୍ରଭାବରେ ଯାତାୟତ କଟକଣାକୁ ନଜରରେ ରଖି ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ଏବେ ଆଶଙ୍କାରେ ରହିଛି । ଏହାରି ଭିତରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ଲସନ୍ ନାଇଦୋ କନକ ନ୍ୟୁଜକୁ ପ୍ରତିକ୍ରିୟା ରଖି କହିଛନ୍ତି ଏପରି ସ୍ଥିତିରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଆସୁଥିବାରୁ ସେ କୃତଜ୍ଞ । ତାଙ୍କ ଦେଶର ଦର୍ଶକ ମଧ୍ୟ ଭାରତୀୟ ଖେଳାଳିଙ୍କୁ ଦେଖିବାକୁ ବେଶ୍ ଆଗ୍ରହୀ ।

ମ୍ୟାଚ୍ ଦେଖିବା ପାଇଁ ୨ ହଜାର ଦର୍ଶକଙ୍କୁ ଅନୁମତି ଦିଆଯିବ । ମ୍ୟାଚ୍ ଦେଖିବାକୁ ଆସିଥିବା ଦର୍ଶକମାନେ ଭ୍ୟାକ୍ସିନ୍ ନେଇଥିବା ଆବଶ୍ୟକ । କୋଭିଡ୍ ସ୍ଥିତିରେ ଦର୍ଶକ ଦେଖିବାର କ’ଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନର ଉତରରେ ସେ କହିଛନ୍ତି, ପୂର୍ବ ଭାଇରସ୍ ଅପେକ୍ଷା ଓମିକ୍ରନ୍ ଏତେ ମାରତ୍ମକ ନୁହଁ । ତେଣୁ ଭ୍ୟାକ୍ସିନ୍ ନେଇଥିବା ଲୋକଙ୍କୁ ମ୍ୟାଚ୍ ଦେଖିବାକୁ ଅନୁମତି ଦିଆଯାଇପାରିବ । ଉଭୟ ଦଳ ପାଇଁ ବାୟୋ ବବଲର ବ୍ୟବସ୍ଥା କରାଯାଇଛି । ଏହା ସହ ସମସ୍ତ କୋଭିଡ୍ କଟକଣାକୁ ପାଳନ କରାଯିବ ବୋଲି କହିଛନ୍ତି ଲସନ୍ ନାଇଦୋ । ଭାରତୀୟ ଦଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ମଧ୍ୟ ସେ କହିଛନ୍ତି । ଏକ ସ୍ୱତନ୍ତ୍ର ଚାର୍ଟାର୍ଡ ଫ୍ଲାଇଟରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିପାରେ । ଏହି ଗସ୍ତରେ ଭାରତ ୩ଟି ଟେଷ୍ଟ, ୩ଟି ଦିନିକିଆ ଓ ୪ଟି ଟି-୨୦ ଖେଳିବାର କାର୍ଯ୍ୟକ୍ରମ ରହିଛି ।

ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ଭାରତୀୟ ଦଳ ଚୟନକୁ ମଧ୍ୟ ବିସିସିଆଇ ବିଳମ୍ବିତ କରିଛି । କାନପୁର ଟେଷ୍ଟ୍ ପରେ ବିସିସିଆଇ ଚୟନକର୍ତା ଦଳ ଘୋଷଣା କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ସୋମବାରଠାରୁ ଏହି ଟେଷ୍ଟ୍‌ ଶେଷ ହୋଇଥିଲେ ମଧ୍ୟ ଦଳ ଚୟନ ନେଇ କୌଣସି ଆଭାସ ମିଳିନାହିଁ । ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ ଖେଳାଳି ଡିସେମ୍ବର ୩ ତାରିଖରୁ ମୁମ୍ବାଇରେ ସଙ୍ଗରୋଧରେ ରହିବାର କାର୍ଯ୍ୟକ୍ରମ ଥିଲା । ନ୍ୟୁଜିଲାଣ୍ଡ୍ ଶୃଙ୍ଖଳାରେ ସାମିଲ ନଥିବା ରୋହିତ ଶର୍ମା, ଯଶପ୍ରୀତ୍ ବୁମରା, ଋଷଭ ପନ୍ତ୍‌, ମହମ୍ମଦ ସାମି, କେଏଲ୍ ରାହୁଲ ଓ ଶାର୍ଦୁଳ ଠାକୁର ପ୍ରମୁଖଙ୍କୁ କୌଣସି ସୂଚନା ଦିଆଯାଇପାରିନାହିଁ ।