କନକ ବ୍ୟୁରୋ : ବୟସ୍କଙ୍କ କ୍ଷେତ୍ରରେ ଡେଲଟା ଭଳି ବ୍ୟବହାର କରୁଛି ଓମିକ୍ରନ୍ । ଅର୍ଥାତ ବୟସ୍କଙ୍କ ପାଇଁ ଅଧିକ ବିପଦ ସୃଷ୍ଟି କରୁଛି ଓମିକ୍ରନ୍ । କାରଣ ହସ୍ପିଟାଲରେ ରୋଗୀ ସଂଖ୍ୟା ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢୁଛି । ଯଦିଓ ଗତ କିଛିଦିନ ହେଲା କରୋନାର ଦୈନିକ ସଂକ୍ରମଣ କମିବାରେ ଲାଗିଛି । ହେଲେ ଅସ୍ୱାଭାବିକ ଭାବେ ବଢି ଚାଲିଛି ମୃତ୍ୟୁହାର । ଗତ ୨୪ ଘଂଟାରେ ରାଜ୍ୟରେ ୧ ହଜାର ୪୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୦ ଜଣଙ୍କ ମୃତ୍ୟୁ ହୋଇଛି ।

Advertisment

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଫେବ୍ରୁଆରୀ ୧ ତାରିଖରୁ ଆଜିସୁଦ୍ଧା ୧୪୨ ଜଣଙ୍କ କରୋନାରେ ମୃତ୍ୟୁ ହେଲାଣି । ଗତ ଶୁକ୍ରବାର ଓ ରବିବାର ସର୍ବାଧିକ ୨୩ ଜଣ ଲେଖାଏ ପ୍ରାଣ ହରାଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ୍ ୮ ହଜାର ୭୩୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କେବଳ ତୃତୀୟ ଲହରରେ ୩୫୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଓମିକ୍ରନକୁ ସାଧାଣ ଫ୍ଲୁ-ରୋଗ ଭାବେ ଲୋକେ ବିଚାର କରୁଥିବାବେଳେ ମୃତ୍ୟୁହାର ବୃଦ୍ଧି ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇ ଦେଇଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ବୟସ୍କଙ୍କ କ୍ଷେତ୍ରରେ ଡେଲଟା ଭଳି ବ୍ୟବହାର କରୁଛି ଓମିକ୍ରନ ଭୂତାଣୁ । ବୟସ୍କ କିମ୍ବା ଏକାଧିକ ରୋଗ ଥିବା ବ୍ୟକ୍ତିଙ୍କ ପ୍ରତିରୋଧ ଶକ୍ତି କମ୍ ଥିବାରୁ ସେମାନଙ୍କୁ ହସ୍ପିଟାଲ ଯିବାକୁ ପଡୁଛି । ସ୍ୱାଶକ୍ରିୟାରେ ସମସ୍ୟା, ଖାଦ୍ୟ ଗ୍ରହଣ କମିଯିବା ଓ ଡିହାଇଡ୍ରେସନ୍ ଭଳି ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି । ଯାହା ଆକ୍ରାନ୍ତଙ୍କୁ ମୃତ୍ୟୁ ଆଡକୁ ଟାଣି ନେଉଛି ।