କରୋନାର ନୂଆ ପ୍ରଜାତି ଓମିକ୍ରନକୁ ନେଇ ବୁଡୁଛି ଆଶଙ୍କା । ବିଶେଷଜ୍ଞଙ୍କ ସୂଚନା ଡ଼େଲଟା ଭୁତାଣୁ ଠାରୁ ୬ଗୁଣା ଅଧିକ ବେଗରେ କରୁଛି ସଂକ୍ରମିତ ।

304

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାରେ ଚିହ୍ନଟ କରୋନାର ନୂଆ ପ୍ରଜାତି ‘ଓମିକ୍ରନ’ କେତେ ସଂକ୍ରାମକ ହେବ ଏବଂ ଏହାର ପ୍ରଭାବ କ’ଣ ଏ ନେଇ ଅନୁଧ୍ୟାନ ଚାଲିଥିବା ବେଳେ ସାରା ବିଶ୍ୱରେ ଭୂତାଣୁ ଭୟ ବଢ଼ିଯାଇଛି । ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ଏହି ନୂଆ ପ୍ରଜାତି ଡେଲଟା ଭୂତାଣୁ ଠାରୁ ୬ଗୁଣ ଅଧିକ ବେଗରେ ସଂକ୍ରମିତ କରୁଛି । ଦକ୍ଷିଣ ଆଫ୍ରିକା ସମେତ ବିଭିନ୍ନ ସ୍ଥାନର ସଂକ୍ରମଣର ପ୍ରାରମ୍ଭିକ ରିପୋର୍ଟରୁ ଏହି ସୂଚନା ଦେଇଛନ୍ତି ବିଶେଷଜ୍ଞ । ଏହାସହ ରୋଗ ପ୍ରତିରୋଧକ ଶକ୍ତି ଥିଲେ ମଧ୍ୟ ଏହି ନୂଆ ପ୍ରଜାତି ସଂକ୍ରମଣ କରିବାର ଆଶଙ୍କା ରହିଛି ।

ଓମିକ୍ରନରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଦେଶକୁ ଦେଶ ଡେଉଁଛି ଏହି ନୂଆ ପ୍ରଜାତିର କରୋନା ଭୂତାଣୁ । ଦକ୍ଷିଣ ଆଫ୍ରିକା, ବୋସ୍ୱାନା, ହଂକଂ, ବେଲଜିୟମ, ଇସ୍ରାଏଲ, ବ୍ରିଟେନ୍, ଇଟାଲି ଓ ଜର୍ମାନୀ ପରେ ଅଷ୍ଟ୍ରେଲିଆରେ ମଧ୍ୟ ସଂକ୍ରମଣ ଚିହ୍ନଟ ହୋଇଛି ।

ଡେଲଟା ପ୍ରଜାତି ଭାଇରସ ଭାରତ ସମେତ ବିଭିନ୍ନ ଦେଶରେ କିଭଳି ସ୍ଥ୍ିତି ସୃଷ୍ଟି କରିଥିଲା ତାହା ପୂରା ବିଶ୍ୱ ଦେଖିଥିଲା । ଆଉ ଯଦି ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଡେଲଟା ଠାରୁ ଓମିକ୍ରନ ୬ ଗୁଣା ଅଧିକ ସଂକ୍ରାମକ ହୁଏ ତେବେ ଏହା କେତେ ଘାତକ ହୋଇପାରେ ତାହାର ଅନ୍ଦାଜ ଲଗାଇବା କଷ୍ଟକର । ସବୁଠୁ ବଡ କଥା ହେଉଛି, ଟୀକାକରଣ ପରେ ମଧ୍ୟ ଓମିକ୍ରନ ପ୍ରଜାତି ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ ।

ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଭାରିଆଣ୍ଟକୁ ଚିହ୍ନଟ କରିଥିବା ଡାକ୍ତରଙ୍କ କହିବା ଅନୁଯାୟୀ, ଏଥିରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଠାରେ ଥକାପଣ ରହୁଥିବା ବେଳେ ପୂରା ଶରୀରରେ ପୀଡା ହୋଇଥାଏ । ଏହାଛଡା ଗଳା ଦରଜ ରହିବା ଭଳି ଲକ୍ଷଣ ଦେଖିବାକୁ ମିଳିଥିଲା । ତେବେ କାଶ କିମ୍ବା ସ୍ୱାଦ ଓ ଗନ୍ଧ ଯିବା ଭଳି ଲକ୍ଷଣ ଦେଖିବାକୁ ମିଳିନଥିଲା । ତେବେ ଅଳ୍ପ କିଛି ରୋଗୀଙ୍କ କ୍ଷେତ୍ରରେ ଏଭଳି ଲକ୍ଷଣ ଦେଖିବାକୁ ମିଳୁଥିଲା । କିନ୍ତୁ ଅନ୍ୟ ରୋଗୀଙ୍କ କ୍ଷେତ୍ରରେ ଲକ୍ଷଣ କଣ ରହିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କାରଣ ଏହି ଭାରିଆଣ୍ଟ ବାରମ୍ବାର ରୂପ ବଦଳାଉଥିବା କୁହାଯାଉଛି ।