ଓମଫେଡ୍ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ : ଗୋ-ଖାଦ୍ୟ ଖର୍ଚ୍ଚ ବାବଦରେ ମିଳିବ ୬ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା

661

କନକ ବ୍ୟୁରୋ : ଓମଫେଡ ଦୁଗଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହି ସହାୟତାରେ ପ୍ରତି ଦୁଗ୍‌ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଏଥିରେ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ରାଜ୍ୟର ୧ ଲକ୍ଷ ୨୦ ହଜାର ଦୁଗ୍‌ଧ ଚାଷୀ ଉପକୃତ ହେବେ।

ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ମହାମାରୀ ଓଡିଶା ସମେତ ସାରା ବିଶ୍ବରେ ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଇଛି । ଅର୍ଥନୀତିର ପ୍ରାୟ ଅନ୍ୟ ସମସ୍ତ କ୍ଷେତ୍ର ମାନ୍ଦା ଅବସ୍ଥାରେ ଥିବାବେଳେ, କେବଳ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସଂଜୀବନୀ ପରି ଆମ ଅର୍ଥନୀତିକୁ ଶକ୍ତି ଯୋଗାଇଛି । ଲକ୍‌ଡାଉନ ଏବଂ ସଟ୍‌ଡାଉନ ସମୟରେ ଆମର ଚାଷୀମାନେ ଯେପରି ସାହସର ସହ ସେମାନଙ୍କର ଉତ୍ପାଦନ କାର୍ଯ୍ୟ ଜାରି ରଖିଛନ୍ତି, ତାକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି ।

ଗ୍ରାମ୍ୟ ଅର୍ଥନୀତିରେ ଦୁଗ୍‌ଧ ଚାଷ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଛୋଟ ଓ ନାମମାତ୍ର ଚାଷୀଙ୍କ ଜୀବନଜୀବିକାରେ ବିଶେଷ ସହାୟକ ହୋଇଥାଏ । କୋଭିଡ ମହାମାରୀ ପରିପ୍ରେକ୍ଷୀରେ ଦୁଗ୍ଧ ଓ ଦୁଗ୍ଧ ଜାତ ଦ୍ରବ୍ୟ ଚାହିଦାରେ ବଡ ଧରଣର ହ୍ରାସ ଘଟିଥିବାରୁ, ଏହା ଦୁଗ୍‌ଧ ଚାଷୀଙ୍କ ଜୀବିକାକୁ ଗୁରୁତର ଭାବରେ ପ୍ରଭାବିତ କରିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଏହା  ଚାଷୀଙ୍କ ଆର୍ଥିକ ଉନ୍ନତିରେ ସହାୟକ  ହେବ ବୋଲି ଆଶାପ୍ରକାଶ କରିଛନ୍ତି ।