ଖୋଲୁଛି ଓମଫେଡ ଦୁର୍ନୀତିର ଗୁମର । ଚାଷୀଙ୍କ ଗୁହାଳ, ବାଛୁରୀ ପାଳନ ଓ ମିଥ୍ୟା ପ୍ରମାଣ ପତ୍ର ଦେଇ ଖାଇ ଯାଇଛନ୍ତି କୋଟି କୋଟି ଟଙ୍କା

188

କନକ ବ୍ୟୁରୋ:  ଓମଫେଡ ପାଲଟିଛି ଦୁର୍ନୀତିର ଗନ୍ତାଘର । ୪ ବର୍ଷରେ ୨୩୭ କୋଟି ଟଙ୍କା ଆର୍ଥିକ ଅନିୟମିତତା ଧରିଛି ଅଡିଟ୍ ଟିମ୍ । ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ଟଙ୍କା ପଠାଇବା ହେଉ କି ଗୁହାଳ ଘରର ଚଟାଣକୁ କଂକ୍ରିଟ କରିବା ହେଉ ସବୁଠି ହେଉଛି ବାଟମାରଣା । ବାଛୁରୀ ଖର୍ଚ୍ଚ ନହୋଇ ମିଛ ପ୍ରମାଣ ପତ୍ର ଦେବା ଭଳି ଘଟଣାରେ କ୍ଷୁବ୍ଧ ହୋଇଛନ୍ତି ଅଡିଟ୍ ଟିମ୍ । ଦୁଇ ବରିଷ୍ଠ ଅଧିକାରୀଙ୍କ ସମେତ ୧୨ଜଣ ଓମଫେଡ୍ କର୍ମଚାରୀଙ୍କଠାରୁ ଟଙ୍କା ଆଦାୟ କରିବାକୁ ସୁପାରିଶ କରାଯାଇଛି ।

୨୦୧୪ରୁ ୨୦୧୮ । ୪ ବର୍ଷରେ ହୋଇଛି ୨୩୭ କୋଟି ଟଙ୍କାର ଦୁର୍ନୀତି ଓ ଅନିୟମିତତା । ଅଡିଟ ଟିମ ଧରିଥିବା ତ୍ରୁଟି ଉପରେ ନଜର ପକାନ୍ତୁ…

ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇବା ପ୍ରକଳ୍ପ

ଏଥିପାଇଁ ବିଭିନ୍ନ ଦୁଗ୍ଧ ସମବାୟ ସମିତିକୁ ୫ କୋଟି ୫୬ ଲକ୍ଷ ଦିଆଯାଇଥିଲା । ଏହା ଉପରେ ଆପତ୍ତି ଉଠାଇଛନ୍ତି ଅଡିଟ ଟିମ । ଏଥିରୁ ଇଆରପି ସଫଟୱେର ପାଇଁ ୫୫.୬୭ ଲକ୍ଷ ଟଙ୍କା କିଭଳି ଦିଆଗଲା ଓ ଏହି ଟଙ୍କା ଉପଯୋଗରୁ କ’ଣ ଲାଭ ମିଳିଲା ତାହା ବାରମ୍ବାର ଖୋଜିବା ପରେ ବି କୌଣସି ଉତ୍ତର ପାଇନଥିଲା ଅଡିଟ୍ ଟିମ ।

ଚାଷୀଙ୍କ ଗୁହାଳ ଚଟାଣକୁ କଂକ୍ରିଟ କରିବା ପ୍ରକଳ୍ପ

ଗୋମାତା ସମୃଦ୍ଧି ପ୍ରକଳ୍ପରେ ୧୧ଟି ଜିଲ୍ଲା ମିଲ୍କ ୟୁନିଅନକୁ ୧ କୋଟି ୧୩ ଲକ୍ଷ ଟଙ୍କା ବଂଟାଗଲା । ପ୍ରତି ଚାଷୀଙ୍କୁ କଂକ୍ରିଟ ଗୁହାଳ ପାଇଁ ୧୫୦୦ ଟଙ୍କା ମିଳିବାର ଥିଲା । ହେଲେ ଏଥିରୁ ୭.୬୫ ଲକ୍ଷ ଟଙ୍କା ଖର୍ଚ୍ଚର ପ୍ରମାଣ ମିଳିଲା ନାହିଁ ।

ମିଥ୍ୟା ଖର୍ଚ୍ଚ ପ୍ରମାଣପତ୍ର

କେନ୍ଦ୍ରୀୟ ଯୋଜନା-ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଓ ନିଜ ପାଣ୍ଠିରୁ ଓମଫେଡ୍ ଅନୁଗୁଳ ଓ ଢ଼େଙ୍କାନାଳ ମିଲ୍କ ୟୁନିଅନକୁ ୬.୦୧ କୋଟି ଟଙ୍କା ଦେଲା । ହେଲେ ଖର୍ଚ୍ଚ ନ କରାଯାଇ ମିଛ ଖର୍ଚ୍ଚ ପ୍ରମାଣପତ୍ର ଦିଆଗଲା ।

ବାଛୁରୀ ପାଳନ ଯୋଜନା

ବାଛୁରୀ ପାଳନ ନେଇ ମିଥ୍ୟା ଖର୍ଚ୍ଚ ପ୍ରମାଣପତ୍ର ଦେବା, ମନଇଚ୍ଛା କାମ କରିବା ଓ ସଂପୂର୍ଣ୍ଣ ତଥ୍ୟ ନ ମିଳିବା କାରଣରୁ ସଂପୃକ୍ତ ଦୁଇ ବରିଷ୍ଠ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ୬୯.୫୯ ଲକ୍ଷ ଟଙ୍କା ଆଦାୟ କରିବାକୁ କହିଛି ଅଡିଟ ।

କେନ୍ଦ୍ରୀୟ ଯୋଜନା ସୁଧର ଅପବ୍ୟବହାର ନେଇ ଅଡିଟ୍ ଟିମ୍ ତଥ୍ୟ ପାଇଛି । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୩୪.୮୨ କୋଟି ଟଙ୍କା ଆସିଥିଲା । ଏହି ଟଙ୍କାରୁ ୫୩.୭୯ ଲକ୍ଷ ଟଙ୍କା ସୁଧ ସୃଷ୍ଟି ହୋଇଥିଲା । ହେଲେ ଏହି ସୁଧ ଟଙ୍କାକୁ ଗାଇଡଲାଇନ ନମାନି କିଭଳି ଖର୍ଚ୍ଚ କରାଯାଇଛି ତାର ପ୍ରମାଣ ମିଳିଲା ନାହିଁ । ପ୍ରାୟ ୨୩୭ କୋଟି ଟଙ୍କା ଅନିୟମିତତା ଭିତରେ ଦୁଇ ବରିଷ୍ଠ ଅଧିକାରୀଙ୍କ ସମେତ ୧୨ଜଣ ଓମଫେଡ୍ କର୍ମଚାରୀଙ୍କଠାରୁ ୩୦ କୋଟି ୬୫ ଲକ୍ଷ ଟଙ୍କା ଆଦାୟ କରିବାକୁ ସୁପାରିଶ କରିଛି ବିଭାଗୀୟ ଅଡିଟ୍ ଟିମ । ଏଥିରୁ ପ୍ରାୟ ୭୦ ପ୍ରତିଶତ ଅର୍ଥ ଦୁଇ ବରିଷ୍ଠ ଅଧିକାରୀଙ୍କଠାରୁ ଆଦାୟ କରିବାକୁ କୁହାଯାଇଛି ।