କନକ ବ୍ୟୁରୋ : ଓଡିଶାରେ ପ୍ରଥମ କରି ୟୁଟ୍ୟୁବ ମାଧ୍ୟରେ ଶିକ୍ଷା ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ଆମ ଆପଣଙ୍କୁ ଏମିତି ଚିତ୍ର ଦେଖାଇବାକୁ ଚାହୁଁଛୁ, ଯାହା ରାଜ୍ୟ ସରକାର ନିଶ୍ଚୟ ଦେଖିବା ଉଚିତ । ଅନଲାଇନ କ୍ଲାସ ପାଇଁ ଆମେ କେତେ ପ୍ରସ୍ତୁତ ଅଛୁ, ଏହି ଚିତ୍ର ଦେଖିବା ପରେ, ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ । ଓଡିଶାର କିଛି ଉପାନ୍ତ ଜିଲ୍ଲାରୁ ଏଭଳି ଚିତ୍ର ଆସିଛି ।
କୁନି ହାତରେ କଲମ ଧରି ଏ-ବି-ସି-ଡି ଶିଖିବା ଏଠି ଯେତିକି ସହଜ, ଏହି ପିଲାଙ୍କ ପାଖରେ ଶିକ୍ଷା ପହଂଚିବା ସେତିକି କଷ୍ଟ । କାରଣ, ପାଠ ପଢ଼ିବାକୁ ହେଲେ ଏଠି ପିଲାଙ୍କୁ ପ୍ରଥମେ ପାହାଡ଼ ଚଢ଼ିବାକୁ ହୁଏ, ପରେ ଠିକଣା ସ୍ଥାନରେ ପହଞ୍ଚି ନେଟୱାକ୍ ଖୋଜିବାକୁ ପଡେ । ଆଉ ଯଦି ନେଟ୍ୱାକ୍ ମିଳିଲା ପାହାଡ଼ ଉପରେ ଚାଲେ ଅନ୍ଲାଇନ୍ ପାଠର ଆସର । ପିଲାଙ୍କ ପାଠ ପଢ଼ିବାର ଆଗ୍ରହ ଅଛି, ହେଲେ କେତେବେଳେ ସାଧନ ନାହିଁ ତ ଆଉ କେତେବେଳେ ନେଟ୍ୱାର୍କ ସାଥ୍ ଦେଉନି । ୟୁ-ଟ୍ୟୁବ୍ରେ ଅନଲାଇନ ପାଠପଢା ସିନା ଆରମ୍ଭ ହେଲା, କିନ୍ତୁ ନେଟୱର୍କ ପାଇଁ ସ୍କୁଲ ପିଲା କିଭଳି ହନ୍ତସନ୍ତ ହେଉଛନ୍ତି ଇଏ ହେଉଛି ତାର ବିକଳ ଚିତ୍ର । ବୌଦ୍ଧ ଆନିଗଡ ଜଙ୍ଗଲ ଭିତରେ ପାଠ ପଢୁଛନ୍ତି ପିଲା ।
ଇଏ କେବଳ ବୌଦ୍ଧର କାହାଣୀ ନୁହେଁ । ଗଜପତି ଜିଲ୍ଲା ମୋହନା ବ୍ଲକ୍ରୁ ବି ଆସିଛି ସମାନ ଚିତ୍ର । ପିଲାଙ୍କୁ ଏଠି ପାଠ ପଢ଼ିବା ପାଇଁ ୫ରୁ ୬ କିଲୋମିଟର ଦୂରରେ ଥିବା ବାପିଗଣ୍ଡା ପାହାଡ ଉପରକୁ ଚଢ଼ିବାକୁ ପଡୁଛି । ଏମିତି କି ଅଧିକାଂଶ ପିଲାଙ୍କ ପାଖରେ ମୋବାଇଲ ନଥିବାରୁ ଗୋଟିଏ ମୋବାଇଲରେ ୫ ଜଣ ଲେଖାଏଁ ପିଲା ମିଶି ପାଠ ପଢୁଛନ୍ତି ।
କରୋନା କାଳରେ ପାଠ ପଢ଼ିବା ପାଇଁ ପିଲାଙ୍କୁ କେତେ କସରତ କରିବାକୁ ପଡୁଛି, ଏହି ଚିତ୍ର ଦେଖିଲେ ଯେ-କେହିବି ଅନୁମାନ କରିପାରିବେ । ଗଜପତି ଜିଲ୍ଲା ମାଳସପଦର ପଂଚାୟତର ହୁରୁଗୁଡା, ଜାମଲିଙ୍ଗ ଓ ଜାନାଖାଲ ଗାଁ ସମେତ ପ୍ରାୟ ୧୦ରୁ ଅଧିକ ଗାଁରେ ମୋବାଇଲ ନେଟୱର୍କ ନଥିବାରୁ ଛାତ୍ରଛାତ୍ରୀମାନେ ବାପିଗଣ୍ଡା ପାହାଡ ଉପରକୁ ଆସି ପାଠ ପଢୁଛନ୍ତି ।
ଏପଟେ ଗଣଶିକ୍ଷା ବିଭାଗ କେମିତି ନିଜ ପିଠି ନିଜେ ଥାପୁଡାଉଛି ଦେଖନ୍ତୁୁ । ଟୁଇଟ୍ କରି ବିଭାଗ ଲେଖିଛି- ୟୁ ଟ୍ୟୁବରେ ଲାଇଭ୍ ପାଠପଢ଼ାକୁ ପିଲା ଆଗ୍ରହ ସହ ଗ୍ରହଣ କରିଛନ୍ତି । ୪ ଲକ୍ଷ ଛାତ୍ରଛାତ୍ରୀ ଏହାକୁ ସବସ୍କ୍ରାଇବ୍ କରିଥିବା ବେଳେ ୧୨ ଲକ୍ଷ ଛାତ୍ରଛାତ୍ରୀ ପ୍ରତିଦିନ ଅନଲାଇନ୍ କ୍ଲାସ୍ କରୁଛନ୍ତି । ୟୁଟ୍ୟୁବ୍ ପାଠପଢ଼ା ଛାତ୍ରଛାତ୍ରୀଙ୍କ ପାଖକୁ ବ୍ୟାପକ ଭାବରେ ପହଂଚିପାରିଛି ବୋଲି ବିଭାଗ ପକ୍ଷରୁ ଟୁଇଟ୍ କରାଯାଇଛି ।