ଓମସିରେ ଶ୍ରମିକ ଅଶାନ୍ତି । ମେସିନ କାମକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ଶ୍ରମିକ 

136

କନକ ବ୍ୟୁରୋ : ଓଏମସିର ଶ୍ରମିକ ମାରଣ ନୀତି । ମେସିନ କାମକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ଶ୍ରମିକ । ଅଧିକ ଲାଭ ଆଶାରେ ଖଣି କମ୍ପାନୀ ଗୁଡିକ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ପ୍ରତିଶୃତିକୁ ଫୁ କରି ମେସିନ ଦ୍ୱାରା କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ଧୁଳିଧୁଆଁ ଛଟପଟ ହେଉଥିବା ନିରିହ ଆଦିବାସୀ ଶ୍ରମିକ ଯଦି ଏହାର ପ୍ରତିବାଦ କରୁଛି ତେବେ ମୁନାଫା ଖୋର ଖଣି ବ୍ୟବସାୟୀ ମାନେ ସେମାନଙ୍କୁ ଗୁଣ୍ଡା ଲଗାଇ ପ୍ରତିରୋଧ ନେଉଛନ୍ତି । କେନ୍ଦୁଝର ବାଂଶପାଳ ବ୍ଲକ ଶୁଆକାଟୀସ୍ଥିତ ଗନ୍ଧମାର୍ଦ୍ଦନ ଲୌହ ଖଣି ବିରୋଧରେ ଏପରି ଅଭିଯୋଗ ଆସିଛି ।

ରାଜ୍ୟ ସରକାରଙ୍କ ଓଏମସି ଅଧିନରେ ପରିଚାଳିତ ଏହି ଖଣିରେ ସର୍ବଦା ଶ୍ରମିକ ଅଶାନ୍ତି ଲାଗି ରହିଛି । ଏହି ଖଣି ପାଇଁ ୩ଟିରୁ ଉର୍ଦ୍ଧ ପଂଚାୟତ ସିଧାସଳଖ ପ୍ରଭାବିତ ହୋଇଛନ୍ତି । ଖଣିର ଧୁଳି ଗୁଣ୍ଡ ପାଇଁ ଏ ଅଂଚଳର ଚାଷ ଜମି ସବୁ ପଡିଆ ପଡିଥାଏ । ଘରୋଇ କମ୍ପାନୀ ମାନେ ନିଜର ମନମୁଖୀ କାର୍ଯ୍ୟ ଜାରୀ ରଖିଛନ୍ତି ।

ମେସିନ ଦ୍ୱାରା  ସମସ୍ତ କାର୍ଯ୍ୟ କରାଇ ଶତାଧିକ ଶ୍ରମିକଙ୍କୁ ଛଟେଇ କରି ମନଇଛା କାର୍ଯ୍ୟ ଜାରୀ ରଖିଛନ୍ତି । ନିଯୁକ୍ତି ହରାଇ ଶତାଧିକ ଶ୍ରମିକ ଭୋକ ଉପାସରେ ଦିନ କାଟୁଛନ୍ତି । ଶେଷରେ ପେଟର ଭୋକ ଅସହ୍ୟ ହେବାରୁ ଏବେ ରାଜରାସ୍ତାରେ ବସି ରହିଛନ୍ତି  । ୨ଦିନ ହେବ ଖଣି ମଧ୍ୟରେ ଶତାଧିକ ଶ୍ରମିକ ପ୍ରତିବାଦ ଜାରି ରଖିଥିବା ବେଳେ କର୍ମ ନିଯୁକ୍ତି ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି ।