ଫେରାର ଥାଇ ଫେସବୁକରେ ସଫେଇ ଦେଲେ ବିଜେପି ବିଧାୟକ ପ୍ରାର୍ଥୀ ଓମ ପ୍ରକାଶ । କହିଲେ, ବୁଥରେ ହେଉଥିଲା ବୋଗସ ଭୋଟିଂ, ସେଥିପାଇଁ ପହଞ୍ଚିଥିଲି ପୋଲିଂ ବୁଥରେ ।

276

କନକ ବ୍ୟୁରୋ : କଣାସରେ ପୋଲିଂ ବୁଥରେ ଲଙ୍କାକାଣ୍ଡ ଓ ପ୍ରିଜାଇଡିଂ ଅଫିସରଙ୍କୁ ମାଡ ମାରିବା ଘଟଣା ପର ଠାରୁ ଫେରାର ଅଛନ୍ତି ସତ୍ୟବାଦୀ ବିଜେପି ପ୍ରାର୍ଥୀ । ଗତ ୨୩ ତାରିଖ ଠାରୁ ବିଜେପି ପ୍ରାର୍ଥୀ ଓମ୍ପ୍ରକାଶ ମିଶ୍ରଙ୍କ ଟେର ପାଉନି ପୁଲିସ । ଆଉ ଏତିକି ବେଳେ ଏକ ଭିଡିଓ ବାର୍ତାରେ ନିଜ ସପକ୍ଷରେ ଯୁକ୍ତି ବାଢିଛନ୍ତି ଓମ୍ ପ୍ରକାଶ । କହିଛନ୍ତି ୭ ବୁଥରେ ରିଗିଂ ଓ ଭୋଗସ୍ ଭୋଟିଂ ଚାଲିଥିଲା । ଇଭିଏମ୍ ଭଙ୍ଗାରେ ତାଙ୍କର କୌଣସି ଭୂମିକା ନାହିଁ, ପୁରା ଘଟଣାରେ ତଦନ୍ତ ଦାବି କରିଛନ୍ତି ଓମପ୍ରକାଶ ।

ଗତକାଲି ପୁରୀ ଏସପି ଉମାଶଙ୍କର ଦାସଙ୍କ ଏହି ଘୋଷଣା ପରେ ଆଜି ସାମ୍ନାକୁ ଆସିଛି ଓମପ୍ରକାଶଙ୍କ ଭିଡିଓ ବାର୍ତା । ଏହି ଭିଡିଓରେ ନିଜ ସପକ୍ଷରେ ଯୁକ୍ତି ବାଢିଛନ୍ତି ଓମ୍ ପ୍ରକାଶ । କହିଛନ୍ତି ପ୍ରାୟ ୭ ଟି ବୁଥରେ ରିଗିଂ ଏବଂ ଭୋଗସ୍ ଭୋଟିଂ ଚାଲିଥିଲା । ମୃତ ବ୍ୟକ୍ତିଙ୍କ ନାଁରେ ବି ଭୋଟ୍ ପଡୁଥିଲା । ଏନେଇ ନିର୍ବାଚନ ଅଧିକାରୀ ଓ ପୋଲିସକୁ ଜଣାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ନିଜେ ପହଁଚିଥିଲେ ପୋଲିଂ ବୁଥରେ ।

ଓମପ୍ରକାଶଙ୍କ ନାଁରେ ଅଭିଯୋଗ ହୋଇଛି ଯେ ସେ କଣାସ ବ୍ଲକର ୭୮ ନମ୍ବର ବୁଥରେ ମତଦାନ ବେଳେ ସମର୍ଥକଙ୍କ ସହିତ ପହଁଚି ଲଙ୍କାକାଣ୍ଡ ଘଟାଇଥିଲେ । ଏପରିକି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରିଥିଲେ ଓ ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମାରିଥିଲେ । ଏହା ପରଠାରୁ ସେ ଫେରାର୍ ଅଛନ୍ତି । ଓମପ୍ରକାଶଙ୍କ ୨ ସମର୍ଥକ ଗିରଫ ହେଲେଣି କିନ୍ତୁ ସତ୍ୟବାଦୀର ବିଜେପି ବିଧାୟକ ପ୍ରାର୍ଥୀ ଥିବା ଓମପ୍ରକାଶ ମିଶ୍ରଙ୍କୁ ଖୋଜି ପାଉନି ପୋଲିସ । ଏପରି ସମୟରେ ଓମପ୍ରକାଶଙ୍କ ଭିଡିଓ ସାମ୍ନାକୁ ଆସିଛି ।