କନକ ବ୍ୟୁରୋ : ଆଉ କିଛି ସମୟ ପରେ ଆରମ୍ଭ ହେବ ୧୦ ମିଟର ମହିଳା ଏୟାର ପିସ୍ତଲ ଫାଇନାଲ୍ ମୁକାବିଲା । ଇଭେଣ୍ଟର ଫାଇନାଲରେ ସ୍ଥାନ ପକ୍କା କରିଥିବା ମନୁ ଭାକରଙ୍କ ରହିଛି ସାରା ଭାରତର ନଜର । ୨୨ ବର୍ଷୀୟା ମନୁ କ୍ବାଲିଫିକେସନରେ ୫୮୦ ପଏଣ୍ଟ ସହ ତୃତୀୟ ସ୍ଥାନ ହାସଲ କରିଥିଲେ । ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତର ପ୍ରଥମ ପଦକ ଆଶା ଉଜ୍ଜିବୀତ ରଖିଛନ୍ତି ମନୁ । ଯଦି ମନୁ ପଦକ ଜିତିବାରେ ସଫଳ ହୁଅନ୍ତି, ତାହେଲେ ପ୍ରଥମ ଭାରତୀୟ ମହିଳା ଶୁଟର ଭାବେ ଅଲିମ୍ପିକ୍ସରେ ପଦକ ଜିତିବେ । ତାଙ୍କ ପୂର୍ବରୁ ଅଭିନବ ବିନ୍ଦ୍ରା, ରାଜ୍ୟବର୍ଦ୍ଧନ ସିଂ ରାଠୋର ଓ ଗଗନ ନାରଙ୍ଗ ଶୁଟିଂରେ ପଦକ ଜିତିଛନ୍ତି ।
ଶୁଟିଂ ବ୍ୟତୀତ ଦୁଇଦୁଇଥର ଅଲିମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ସିନ୍ଧୁ ମହିଳା ସିଙ୍ଗଲ୍ସ ଗ୍ରୁପ୍ ଷ୍ଟେଜରେ ମାଳଦ୍ବୀପର ଫାତିମାତ ନାବା ଅବଦୁଲ୍ଲା ରଜାକଙ୍କୁ ସିଧାସଳଖ ୨୧-୯, ୨୧-୬ ଗେମରେ ହରାଇଛନ୍ତି। ସେହିପରି ମହିଳା ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ରମିତା ଜିନ୍ଦଲ । ରମିତା କ୍ବାଲିଫିକେସନରେ ୬୩୧.୫ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଫାଇନାଲ ଟିକେଟ୍ କାଟିଛନ୍ତି । ଏହି ଇଭେଣ୍ଟରେ ଦକ୍ଷିଣ କୋରିଆର ଏଚଜେ ଜାନ ୬୩୪ ଦଶମିକ ୫ ପଏଣ୍ଟ ସହ ପ୍ରଥମ, ନରୱେର ଦ୍ୟୁସ୍ତାଦ ଦ୍ବିତୀୟ ଏବଂ ସ୍ବିଜରଲାଣ୍ଡର ଗୋଗନିଆଟ ତୃତୀୟ ସ୍ଥାନରେ ରହିଛନ୍ତି ।