କନକ ବ୍ୟୁରୋ : ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ବଢ଼ୁଛି ପଦକ ଆଶା । ଦୁଇ ଦୁଇଥର ପଦକ ବିଜେତା ପିଭି ସିନ୍ଧୁ ଦମଦାର ପ୍ରଦର୍ଶନ ବଜାୟ ରଖି ମହିଳା ସିଙ୍ଗଲ୍ସ ପ୍ରି-କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ସିନ୍ଧୁ ତାଙ୍କର ଗ୍ରୁପ୍-ଏମ୍’ର ଶେଷ ଲିଗ୍ ମ୍ୟାଚରେ କ୍ରିଷ୍ଟିନ କୁବାଙ୍କୁ ସିଧାସଳଖ ୨୧-୫, ୨୧-୧୦ ଗେମରେ ହରାଇଛନ୍ତି । ସେହିପରି ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ୍ ମଧ୍ୟ ନିଜର ବିଜୟଧାରା ଜାରି ରଖିଛନ୍ତି ।
ନିଜର ଶେଷ ଲିଗ୍ ମୁକାବିଲାରେ ଲକ୍ଷ୍ୟ ବିଶ୍ୱର ତିନି ନମ୍ବର ଖେଳାଳି ତଥା ଇଣ୍ଡୋନେସିଆର ଜୋନାଥନ ଖ୍ରୀଷ୍ଟିଙ୍କୁ ହରାଇଛନ୍ତି । ଅନ୍ୟପକ୍ଷରେ ସୁଟିଂରେ ଭାରତ ପାଇଁ ଆଉଏକ ପଦକ ଆଶା ବଢ଼ିଛି । ୫୦ ମିଟର ଥ୍ରୀ ପୋଜିସନ୍ ରାଇଫାଲ୍ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ସ୍ୱପ୍ନିଲ କୁଶାଲେ । ସ୍ୱପ୍ନିଲ କ୍ୱାଲିଫିକେସନରେ ସପ୍ତମ ସ୍ଥାନରେ ରହି ଏହି ସଫଳତା ହାସଲ କରିଛନ୍ତି । ସେହିପରି ବକ୍ସିଂ ଓ ଟେବଲ ଟେନିସରେ ମଧ୍ୟ ଭାରତ ପାଇଁ ଖୁସି ଖବର ଆସିଛି ।