କନକ ବ୍ୟୁରୋ : ଅଲିମ୍ପିକରେ ପଦକ ବିଜେତା ଲବଲିନା ବୋରଗେହେନ ଏବେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି, ମୋତେ ଅନେକ ନିର୍ଜାତନା ଦିଆଯାଉଛି । ପ୍ରତିଥର ମୋ କୋଚମାନଙ୍କୁ ବଦଳା ଯାଉଥିବା ସେ ଅଭିଯୋଗ କରିଛନ୍ତି । ସେ ଲେଖିଛନ୍ତି କି ଯେଉଁ କୋଚ ବା ପ୍ରଶିକ୍ଷକମାନେ ମୋତେ ଅଲିମ୍ପିକରେ ପଦକ ବିଜେତା କରାଇଲେ ସେମାନଙ୍କୁ ବାରମ୍ବାର ହଟାଇ ଦିଆଯାଉଥିବା କାରଣରୁ ମୋ ଅଭ୍ୟାସ ଓ ପ୍ରତିଯୋଗିତାରେ ବାଧା ସୃଷ୍ଟି ହେଉଛି ।

Advertisment

ଏହି ପୋଷ୍ଟରେ ଲଭଲିନା ଲେଖିଛନ୍ତି ‘ମୋର ଜଣେ ପ୍ରଶିକ୍ଷକ ସନ୍ଧ୍ୟା ଗୁରଗଂଜି ଦ୍ରୋଣାଚାର୍ଯ୍ୟ ପୁରସ୍କାର ଜିତିସାରିଛନ୍ତି , ହେଲେ ମୋର ଦୁଇଜଣ ପ୍ରଶିକ୍ଷକଙ୍କୁ ମୋ ଟ୍ରେନିଂ କ୍ୟାମ୍ପରେ ସାମିଲ କରିବାକୁ ହଜାରେ ଥର ଗୁହାରୀ କରିବା ପରେ ବି ସେମାନଙ୍କୁ ବହୁ ଡେରିରେ ସାମିଲ କରାଯାଉଛି ’

ଏହି ପୁରା ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା  ଗାନ୍ଧୀ ବି ଟ୍ୱିଟ କରିଛନ୍ତି । ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି ଲଭଲିନା ଆମ ଦେଶପାଇଁ ଗର୍ବ । ତେଣୁ ତାଙ୍କୁ ପ୍ରତିଟି କ୍ଷେତ୍ରରେ ସମର୍ଥନ ଓ ସହାୟତା ଯୋଗାଇଦେବା ଆମର କର୍ତ୍ତବ୍ୟ । ତେଣୁ ସରକାର ତୁରନ୍ତ ଲଭଲିନାଙ୍କ ଅଭିଯୋଗ ଆଧାରେ ତାଙ୍କୁ ସହାୟତା ଯୋଗାଇଦେବେ ବୋଲି ପ୍ରିୟଙ୍କା ଆଶାପ୍ରକଟ କରିଛନ୍ତି ।

କହିରଖୁ କି ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଲଭଲିନା ବୋରଗେହେନ ୨୦୧୮ ମସିହାରେ ବିଶ୍ୱ ମହିଳା  ମୁଷ୍ଟିଯୁଦ୍ଧ ଓ ୨୦୧୯ ମହିଳା  ମୁଷ୍ଟିଯୁଦ୍ଧରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଏହାପରେ ସେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରି ଭାରତ ପାଇଁ ଗୌରବ ଆଣିଥିଲେ ।