ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକର ସତ । ସ୍ୱର୍ଣ୍ଣ ପଦକରେ କଣ ସତରେ ରହିଥାଏ ସୁନା? ଜାଣନ୍ତୁ, କେବେଠୁ ଆରମ୍ଭ ହୋଇଥିଲା ଏହି ପଦକ ପରମ୍ପରା ।

274

କନକ ବ୍ୟୁରୋ: ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ଟୋକିଓ ଅଲମ୍ପିକ୍ସ । ଆଉ ବିଭିନ୍ନ ଦେଶର ଖେଳାଳିଙ୍କ ମଧ୍ୟରେ ହେବ କଡାକଡି ଟକ୍କର । ସ୍ୱର୍ଣ୍ଣ, ରୌପ୍ୟ, ବ୍ରୋଞ୍ଚ ପଦକ ପାଇଁ ଖେଳାଳି ମାନେ ନିଜ କମାଲ ଦେଖାଇବେ । ଅଲମ୍ପିକ୍ସରେ ପଦକ ଜିତିବା ସବୁ ଖେଳାଳିଙ୍କ ସ୍ୱପ୍ନ ଥାଏ । ଆଉ ବିଦେଶରେ ଏଥର ପଦକ ଜିତି ନିଜ ଦେଶ ନାଁ ରଖିବା ପାଇଁ ଭାରତୀୟ ଖେଳାଳିମାନେ ପ୍ରସ୍ତୁତ ହୋଇ ଜାପାନ ଗସ୍ତରେ ଯାଇଛନ୍ତି । ତେବେ ଆସନ୍ତୁ ଜାଣିବା ଅଲମ୍ପିକ୍ସରେ ଦିଆଯାଉଥିବା ଏହି ସବୁ ପଦକ ବିଷୟରେ କିଛି ରୋଚକ କଥା ।

ଅଲମ୍ପିକ୍ସରେ ଦିଆଯାଉଥିବା ପଦକର ସତ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣଙ୍କ ମନରେ କେବେ ନା କେବେ ନିଶ୍ଚେ ପ୍ରଶ୍ନ ଆସିଥିବ ଅଲମ୍ପିକ୍ସରେ ଦିଆଯାଉଥିବା ପଦକ କଣ ପୁରା ସୁନା । ଏହାର ଉତ୍ତର ହେଉଛି ନା, କାରଣ ଆପଣ ଅଲମ୍ପିକ୍ସରେ ଦେଖୁଥିବା ଏହି ସୁନା ପଦକରେ ସୁନା ପାଣି ଦିଆଯାଇଥାଏ ଆଉ ସୁନାର ପରିମାଣ କମ ରହିଥାଏ । ଯାହା ଫଳରେ ଏହା ସୁନା ଭଳି ଦିଶିଥାଏ ।

ଅଲମ୍ପିକ୍ସ ପଦକର ଯାତ୍ରା ଅଲିଭ ଫୁଲର ହାରଠାରୁ ଆରମ୍ଭ କରି ମୋବାଇଲ ଫୋନ ଓ ବିଦ୍ୟୁତ ଉପକରଣର ଧାତୁ ଯାଏଁ ରହିଛି । ଏଥର ଟୋକିଓ ଅଲମ୍ପିକ୍ସରେ ତିଆରି ହେଉଛି ଏକ ନୂଆ ପଦକ । ବିଦ୍ୟୁତ ଉପକରଣକୁ ପନଃ ବ୍ୟବହାର ଉପଯୋଗୀ କରି ଏହି ପଦକ ତିଆରି କରାଯାଉଛି । ଯାହାର ଆକାର ୮.୫ ସେଣ୍ଟିମିଟର । ଆଉ ଏହି ପଦକ ଉପରେ ରହିଛି ଗ୍ରୀସ ଦେବୀଙ୍କ ଏକ ଚିତ୍ର ।

ପ୍ରାଚୀନ କାଳରେ ଅଲମ୍ପିକ୍ସ ବିଜେତାଙ୍କୁ ପଦକ ନୁହେଁ ଅଲିଭ ଫୁଲ ହାର ଦିଆଯାଉଥିଲା । ଏହି ଫୁଲ ହାରକୁ ଗ୍ରୀସରେ ପବିତ୍ର ପୁରସ୍କାର ବୋଲି ମନାଯାଉଥିଲା । ଆଉ ପରବର୍ତ୍ତୀ ସମୟରେ ଏହି ପରମ୍ପରା ହଜିଯାଇଥିଲା । ୧୮୯୬ ମସିହାରେ ଏହି ପଦକ ଦେବା ପରମ୍ପରା ପୁଣି ଆରମ୍ଭ ହୋଇଥିଲା । ସେତେବେଳେ ଅଲମ୍ପିକ୍ସ ବିଜେତାଙ୍କୁ ରୌପ୍ୟ ଆଉ ଉପବିଜେତାଙ୍କୁ ତମ୍ବା ଓ ବ୍ରୋଞ୍ଚ ଦିଆଯାଉଥିଲା ।

୧୯୦୪ ମସିହାରେ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ-ରୌପ୍ୟ-ବ୍ରୋଞ୍ଚପଦକ ବ୍ୟବହାର କରାଯାଇଥିଲା । ଆଉ ଏହି ପଦକ ଗ୍ରୀକର ପୌରାଣିକ କଥା ଆଧାରିତ ହୋଇଥାଏ । ଆଇଓସିର ଗାଇଡଲାଇନ ଅନୁସାରେ ସ୍ୱର୍ଣ୍ଣ ପଦକରେ ୬ ଗ୍ରାମର ସୁନା ରହିବା କଥା, ହେଲେ ଏଥିରେ ଏବେ ସୁନା ପାଣି ଦିଆଯାଉଛି । ଆଉ ଏହା ପ୍ରକୃତରେ ରୂପାର ଏକ ଅଂଶ ହୋଇଥାଏ ।