ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ଆଉ ଏକ ଉପଲବ୍ଧି : ପୁରୁଷ ଜାଭେଲିନ ଥ୍ରୋ’ରେ ବିଶ୍ୱର ୧ ନମ୍ବର ମାନ୍ୟତା ହାସଲ

130

କନକ ବ୍ୟୁରୋ : ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ଆଉଏକ ବଡ଼ ଉପଲବ୍ଧି । ନୀରଜ ବର୍ତମାନ ବିଶ୍ୱର ଏକ ନମ୍ବର ଜାଭେଲିନ୍ ଥ୍ରୋୟର ହୋଇଛନ୍ତି । ସଦ୍ୟ ପ୍ରକାଶିତ ଜାଭେଲିନ୍ ଥ୍ରୋ’ ବିଶ୍ୱ ମାନ୍ୟତାରେ ନୀରଜ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି । ନୀରଜ ମୋଟ ୧୪୫୫ ପଏଣ୍ଟ ପାଇ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ଏଥିସହ ଟ୍ରାକ୍ ଆଣ୍ଡ ଫିଲ୍ଡରେ ପ୍ରଥମ ଭାରତୀୟ ଭାବେ ସେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପରକୁ ଗ୍ରେନେଡାର ଆଣ୍ଡରସନ୍ ପିଟର୍ସ ୧୪ଶହ ୩୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ଚେକ୍ ରିପବ୍ଲିକର ଜାକୁବ ଭାଦଲେଜକ୍ ୧୪୧୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି । ନିକଟରେ ଦୋହାରେ ଅନୁଷ୍ଠିତ ଡାଇମଣ୍ଡ ଲିଗରେ ସିଜନର ଶ୍ରେଷ୍ଠ ପ୍ରଦର୍ଶନ ସହ ଚାମ୍ପିୟନ୍ ହୋଇଥିଲେ ନୀରଜ । ସେ ୮୮ ଦଶମିକ ୬୭ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ପ୍ରଥମ ସ୍ଥାନରେ ରହିଥିଲେ । ନୀରଜ ଆସନ୍ତା ଜୁନ୍ ୪ ତାରିଖରେ ନେଦରଲ୍ୟାଣ୍ଡର ହେଙ୍ଗେଲୋରେ ବ୍ଲାଙ୍ଗର୍ସ-କୋଇନ୍ କ୍ରୀଡାରେ ଭାଗ ନେବେ ।