ବିଶ୍ୱର ସବୁଠାରୁ ଶ୍ରେଷ୍ଠ କ୍ରୀଡା ପ୍ରତିଯୋଗିତା ଅଲିମ୍ପିକ୍ସ। ପ୍ରତିଟି ଖେଳାଳୀଙ୍କ ସ୍ୱପ୍ନ ଥାଏ ଏହି କ୍ରୀଡାରେ ନିଜ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରି ବିଜୟୀର ତାଜ୍ ପିନ୍ଧିବାକୁ। ବେକରେ ପଦକଟିଏ ପଡିଲେ ଖୁସି ଓ ଗର୍ବରେ ଫୁଲିଯାଏ ଛାତି। ଆଉ ଘରକୁ ଫେରିବା ପରେ ପଦକଟିକୁ ଅତି ଯତ୍ନରେ ସାଇତି ରଖେ ସାରା ଜୀବନ ପାଇଁ ।
ହେଲେ ପୋଲାଣ୍ଡର ଡିସ୍କସର୍ ମାଲାଚାଉସ୍କି ଏବେ ନିଜ ପଦକ ବିକ୍ରୀ ପାଇଁ ଘୋଷଣା କରିବା ପରେ ଚର୍ଚ୍ଚାକୁ ଆସିଛନ୍ତି । ୨୦୦୮ ମସିହା ପରେ ଏଥର ଅଲିମ୍ପିକ୍ସରେ ସେ ଦ୍ୱିତୀୟ ଥର ପାଇଛନ୍ତି ସିଲଭର୍ ମେଡାଲ୍। ହେଲେ ନିଜ ଅଭାବ ପାଇଁ ସେ ମେଡାଲ୍ ବିକ୍ରୀ କରିବେ ନାହିଁ ବରଂ ଜଣେ ୩ ବର୍ଷ ଶିଶୁର ଚିକିତ୍ସା ଅର୍ଥ ବହନ କରିବାକୁ ସେ ଆଗେଇ ଆସିଛନ୍ତି।
୩ ବର୍ଷର ଶିଶୁ ଓଲେକ୍ ଏବେ ଭୟଙ୍କର କ୍ୟାନସର୍ ସହ ଲଢେଇ କରୁଛି। ହୁଏତ ଅତ୍ୟାଧୁନିକ ଚିକିତ୍ସା କରାଗଲେ ସେ ନିଜ ଜୀବନ ଫେରିପାଇବାର ଆଶା ରହିଛି। ହେଲେ ଏଥିପାଇଁ ଦରକାର ଲକ୍ଷ ଲକ୍ଷ ଟଙ୍କା।
ଏକଥା ଶୁଣିବା ପରେ ଭାବପ୍ରବଣ ହୋଇପଡିଛନ୍ତି ମାଲାଚାଉସ୍କି। ପାଖରେ ଓଲେକକୁ ସାହାଯ୍ୟ କଲାଭଳି ଟଙ୍କା ନାହିଁ। ତେଣୁ ସେ ନିଜ ପଦକକୁ ବିକ୍ରୀ କରିବାକୁ ନିଲାମୀ ଡାକିଛନ୍ତି। ଆଉ ଏହି ଘୋଷଣା ପରେ ୪ ଲକ୍ଷ ଟଙ୍କା ଧରି ପ୍ରଥମ ବିଡର୍ ପହଂଚି ଯାଇଛନ୍ତି ମାଲାଚାଉସ୍କିଙ୍କ ପାଖରେ।
Follow Us