ଗୀତ ମାଧ୍ୟମରେ ହୃଦୟ ଜିତିଥିବା ସରୋଜ ପଟ୍ଟନାୟକଙ୍କ ଦେହାନ୍ତ: ଓଲିଉଡର ଅନେକ ସୁପରହିଟ୍ ଗୀତ ପଛର ଥିଲେ ଚେହେରା   

123

କନକ ବ୍ୟୁରୋ: ଗୀତ ଓ ସଂଗୀତ ମାଧ୍ୟମରେ ହୃଦୟ ଜିତିଥିବା ସରୋଜ ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି । ନିରବୀ ଯାଇଛନ୍ତି ଓଲିଉଡର ଅନେକ ସୁପରହିଟ୍ ଗୀତ ପଛର ନାୟକ । ଗୁରୁବାର ରାତିରେ ବାରିପଦା ବଡବଜାର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ସରୋଜଙ୍କର ବୃତି ଥିଲା ଯନ୍ତ୍ରୀ କିନ୍ତୁ ନିଶା ଥିଲା ସଂଗୀତ । ଅଭିମାନ  ଫିଲ୍ମ ଜରିଆରେ ଓଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ । ଫୁଲ ଚନ୍ଦନ ଚଳଚିତ୍ରର ମନ ଛୁଆଁ ଗୀତ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା ।

ସରୋଜ ପଟନାୟକ । ଓଲିଉଡ୍ ଜଗତର ଏପରି ଜଣେ ସଙ୍ଗୀତ ନିର୍ଦେଶକ, ଯାହାଙ୍କ ସଙ୍ଗୀତର ମୂର୍ଚ୍ଛନା ୪ ଦଶନ୍ଧୀ ଧରି ପ୍ରତ୍ୟେକ ଓଡ଼ିଆଙ୍କ ମନପ୍ରାଣକୁ  ବାନ୍ଧି ରଖିଥିଲା । ତାଙ୍କ ଗୀତରେ ଥିଲା ଲୋକଗୀତ ଓ ଆଧୁନିକ ଗୀତର ଛିଟା । ବହୁ ଲୋକପ୍ରିୟ ଗୀତର ନିର୍ଦେଶନା ଓ ସ୍ୱର ସଂଯୋଜନା କରିଥିଲେ ସେ । ତାଙ୍କ ଦ୍ୱାରା ତିଆରି କରାଯାଇଥିବା ଗୀତ ଗୋଟିଏ ସମୟରେ ପିଲା ଠାରୁ ବୁଢା ସମସ୍ତେ ଗୁଣୁଗୁଣଉଥିଲେ ।

୧୯୪୦ ମସିହା ଜୁନ ୨ ତାରିଖରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ ସରୋଜ ପଟନାୟକ । ଅତି କମ ବୟସରେ ଆକାଶବାଣୀରେ ଗୀତ ଗାଇବା ପାଇଁ ମନୋନିତ ହୋଇଥିଲେ ସେ । ୧୯୭୭ ମସିହାରେ ପ୍ରଥମ କରି ସଙ୍ଗୀତ ନିର୍ଦେଶକ ଭାବରେ ଓଡିଆ ଫିଲ୍ମ ଜଗତରେ ପାଦ ଦେଇଥିଲେ ସରୋଜ ।

ତାଙ୍କ ଗୀତର ଯାଦୁରେ ଏବେ ବି ମତୁଆଲା ହେଉଛନ୍ତି ଶ୍ରୋତା । ଫୁଲ ଚନ୍ଦନ ଚଳଚିତ୍ର ତାଙ୍କୁ ଓଡିଶା ସଙ୍ଗୀତ ଜଗତରେ ପରିଚିତ କରାଇଥିଲା । ସେ ସମୟର ଉଦୀୟମାନ ବଲିଉଡ ଗାୟିକ ଅନୁରାଧା ପଡୁଆଲ ଓ ଅଲକା ୟାଗ୍ନିକଙ୍କୁ  ଓଡିଆ ସଙ୍ଗୀତକୁ ପ୍ରବେଶ କରାଇôଥିଲେ । ଜନ୍ମମାଟିକୁ ବହୁତ ଭଲ ପାଉଥିଲେ ସରୋଜ ପଟନାୟକ । ଖାସ ସେଥିପାଇଁ ରାଜ୍ୟ ବାହାରୁ ଅନେକ ସଙ୍ଗୀତ ନିର୍ଦେଶନା ପାଇଁ ସୁଯୋଗ ମିଳିଥିଲେ ବି ସେ କେବେ ବାରିପଦା ମାଟିକୁ ଭୁଲିନଥିଲେ ।