କନକ ବ୍ୟୁରୋ: କାଠଗଡାରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଘରୋଇ ହିଂସାକୁ ନେଇ ଏବେ ବିବାଦରେ ଏହି ଲୋକପ୍ରିୟ ଗାୟକ । ତାଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ପତ୍ନୀ ଶ୍ରୀୟା । ମାମଲା ଏବେ କଟକ ମହିଳା ଥାନାରେ । ଆଉ ବିବାଦକୁ ନେଇ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀଙ୍କୁ ଗୁରୁବାର ଥାନାରେ ହାଜର ହେବାକୁ ନୋଟିସ୍ ହୋଇଛି ।
- ବିବାଦରେ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର
- ନିର୍ଯାତନା ଭଳି ସାଂଘାତିକ ଅଭିଯୋଗ ଆଣିଲେ ପତ୍ନୀ
ସବୁବଳେ ନିଜ ଗୀତକୁ ନେଇ ବିବାଦରେ ରହୁଥିବା ଓଡିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବେ ପାରିବାରିକ କଳହକୁ ନେଇ ପୁଣି ଚର୍ଚ୍ଚାରେ । ଓଲିଉଡର ଏହି ଜଣାଶୁଣା କଳାକାର ଏବେ ଘରୋଇ ହିଂସା ବିବାଦରେ ଫସିଛନ୍ତି । ଶହ ଶହ ଗୀତ ଗାଇ ଓଡିଆ ଦର୍ଶଙ୍କ ମନ ଜିଣିଥିବା ହ୍ୟୁମାନ ସାଗରଙ୍କ ବିରୋଧରେ ପାରିବାରିକ ହିଂସା ଓ ଦାମ୍ପତ୍ୟ କଳହର ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ଶ୍ରେୟା । ଏ ନେଇ ସେ କଟକ ଡିସିପିଙ୍କୁ ଅଭିଯୋଗ କରିଛନ୍ତି । ଡିସିପି ଘଟଣାର ତଦନ୍ତ କରିବାକୁ ମହିଳା ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗରେ ଶ୍ରେୟା ୩ଟି ମୁଖ୍ୟ ଅଭିଯୋଗ ଆଣିଛନ୍ତି । ଘରୋଇ ହିଂସା । ଅତ୍ୟଧିକ ମଦ ପିଇ ଘରକୁ ଆସି ନିର୍ଯାତନା ଦେଉଛନ୍ତି । ଅନ୍ୟ ଝିଅଙ୍କ ସହ ସମ୍ପର୍କ ଥାଇପାରେ । ଏଭଳି ଅଭିଯୋଗ ଆଣି ଶ୍ରେୟା ଥାନାର ଦ୍ୱାରସ୍ଥ ହୋଇ ତାଙ୍କୁ ନ୍ୟାୟ ଦେବାକୁ କହିଛନ୍ତି ।
- ଥାନାରେ ତୁଟିବ କି ପତି-ପତ୍ନୀ ବିବାଦ?
- ଗୁରବାର କାଉନସେଲିଂ ପାଇଁ ସମନ
ପତ୍ନୀଙ୍କ ଅଭିଯୋଗ ପରେ ନିୟମ ଅନୁସାରେ, ଉଭୟ ହ୍ୟୁମାନ ସାଗର ଓ ଶ୍ରେୟାଙ୍କୁ ଡାକି କାଉନସେଲିଂ କରାଯିବ । ଏହାପରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ । ଏଥିପାଇଁ ଉଭୟଙ୍କୁ ଗୁରୁବାର ହାଜର ହେବାକୁ ସମନ ଜାରି କରାଯାଇଛି । ମହିଳା ଅଧିକାରୀଙ୍କ ଉପସ୍ଥିତିରେ ଉଭୟଙ୍କ ଅଭିଯୋଗ ଶୁଣିବେ କାଉନସେଲର । ଏହାପରେ ସତ୍ୟାସତ୍ୟର ଯାଞ୍ଚ ହେବ । ଆଉ ବିବାଦର ସମାଧାନ ନହେଲେ ପୁଣି କାଉନସେଲିଂ କରାଯିବ ।
ବଲାଙ୍ଗିରର କଣ୍ଠଶିଳ୍ପୀ ହ୍ୟୁମାନ ସାଗର ନିଜର ସୁପରହିଟ ଗୀତ ପାଇଁ ରାଜ୍ୟର ଘରେ ଘରେ ବେଶ ସୁନାମ ଅର୍ଜନ କରିଛନ୍ତି । ସେ ଏବେ କଟକର ସେକ୍ଟର-୬ରେ ରହୁଛନ୍ତି । ହ୍ୟୁମାନ ସାଗର ଓ ଶ୍ରେୟା ଉଭୟେ ପ୍ରେମ ବିବାହ କରିଥିଲେ । ଆଉ ପାରିବାରିକ ଅଶାନ୍ତି ଯୋଗୁଁ ପତ୍ନୀ କିଛି ମାସ ହେବ ବାଲେଶ୍ୱରରେ ଥିବା ବାପଘରକୁ ଚାଲିଯାଇଛନ୍ତି । ଏବେ ଘରୋଇ ହିଂସା ମାମଲାରେ ଛନ୍ଦି ହେବା ପରେ ମାମଲା କେଉଁ ଆଡକୁ ଯାଉଛି ସେ ଉପରେ ସମସ୍ତଙ୍କ ନଜର ରହିଛି ।