ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ । ଲଭ୍ ସେକ୍ସ ଧୋକା ଭଳି ସାଂଘାତିକ ଅଭିଯୋଗରେ ବାନ୍ଧିଲା ନୟାପଲ୍ଲୀ ପୋଲିସ । 

1,073

କନକ ବ୍ୟୁରୋ: ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ । ଲଭ୍-ସେକ୍ସ-ଧୋକା ଅଭିଯୋଗରେ ବାନ୍ଧିଲା ଭୁବନେଶ୍ୱର ନୟାପଲ୍ଲୀ ପୋଲିସ । ‘ଲଚ୍କ ମଣି ବେବିଲୋ’ ଗୀତ ଗାଇ ଚହଳ ସୃଷ୍ଟି କରିଥିବା କଣ୍ଠଶିଳ୍ପୀ  ଦେବେଶ ପତି ଏବେ ଜେଲରେ ।

ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଦୁର୍ଷ୍ମମ, ଗର୍ଭପାତ ନଷ୍ଟ ଓ ଟଙ୍କା ଲୁଟିବା ପରି ଅଭିଯୋଗ ରହିଛି । ତାଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି । ଜାମିନ୍ ନାମାଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଦେବେଶଙ୍କ ବିରୋଧରେ ବାରମ୍ବାର ଦୁଷ୍କର୍ମ, ଠକେଇ, ବିନା ସହମତିରେ ଗର୍ଭପାତ, ଅଶ୍ଳୀଳ ଭାଷାରେ ଗାଳି, ଅପରାଧିକ ଭୟ ପ୍ରଦର୍ଶନ ପରି ମାମଲା ରୁଜୁ ହୋଇଛି ।

ଦେବେଶଙ୍କ ଘର ଯାଜପୁରରେ । ଭୁବନେଶ୍ୱର ନୟାପଲ୍ଲୀ ଅଂଚଳରେ ରହୁଥିବା ଭଦ୍ରକ ଅଂଚଳର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ହୋଇଥିଲା । ପ୍ରଥମେ ଯୁବତୀଙ୍କୁ ଅନ୍ୟ ଜଣେ ଯୁବକ ପ୍ରେମ ନିବେଦନ କରିଥିଲେ । ହେଲେ ଯୁବତୀ ଜଣଙ୍କ ଏହାକୁ ଗ୍ରହଣ କରିନଥିଲେ । ପ୍ରେମରେ ବିଫଳ ଯୁବକ ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କ ଫୋନ୍ ନମ୍ବର ଦେବେଶ ପତିଙ୍କୁ ଦେଇଥିଲେ । ଏହା ପରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ଦେବେଶ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ । ଏହା ସହ ଯୁବତୀଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ପରେ ଯୁବତୀ ଜଣଙ୍କ ଜାଣିବାକୁ ପାଇଥିଲେ ଯେ ଦେବେଶ ଅନ୍ୟ ଜଣେ ଗାୟିକାଙ୍କ ସହ ବୁଲାବୁଲି କରୁଛନ୍ତି । ଏହା ସେ ଦେବେଶଙ୍କୁ କହିବା ପରେ ଦେବେଶ ସମୟ ଦେଖି ଔଷଧ ଦେଇ ତାଙ୍କ ଗର୍ଭ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ହେଲେ ଯୁବତୀ ଜଣଙ୍କ ବିବାହ ପାଇଁ ଜିଦ୍ ଧରିବାରୁ ଦେବେଶ ଅନ୍ତରଙ୍ଗ ମୁହୂର୍ତର୍ର ଫଟୋ ଓ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିଲେ । ଦେବେଶଙ୍କ ଧମକ ପରେ ଯୁବତୀ ଜଣଙ୍କ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ଦେବେଶଙ୍କୁ ଗିରଫ କରିଛି ।