କନକ ବ୍ୟୁରୋ : ଅଭିନେତ୍ରୀ ଝିଲିକଙ୍କ ସିନେମା ‘ପ୍ରିୟେ ତୁ ମୋ ସିଏ’କୁ ନେଇ ଦେଖାଦେଇଛି ବିବାଦ । ଝିଲିକ ମୋସନ୍ ପିକ୍ଚର୍ସର ଏହି ସିନେମାର ସଂଳାପରେ ‘ହରିଜନ’ ଶବ୍ଦ ବ୍ୟବହାରକୁ ନେଇ ସୁକିନ୍ଦା ଥାନାରେ ଦଳିତ ମଞ୍ଚ ପକ୍ଷରୁ ଏତଲା ଦିଆଯାଇଛି । ଏହା ସହ ରାୟଗଡ଼ା ଜିଲ୍ଲାରେ ମଧ୍ୟ ଏହାକୁ ବିରୋଧ କରି ଥାନାରେ ଏତଲା ଦିଆଯାଇଛି । ସିନେମାରେ ନାୟିକା ନାୟକଙ୍କୁ ‘ତୁ ଜଣେ ହରିଜନ ପିଲା ଆଉ ମୁଁ ଜଣେ ସାମନ୍ତ ଘର ଝିଅ’ବୋଲି କହିଛନ୍ତି । ଯାହାକୁ ନେଇ ବିବାଦ ଜୋର ଧରିଛି ।

Advertisment

ହରିଜନ ଶବ୍ଦ ବ୍ୟବହାର ନ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସ୍ପଷ୍ଟ ନିର୍ଦ୍ଦେଶକୁ ଏଥିରେ ଅମାନ୍ୟ କରାଯାଇଛି । ତେଣୁ ସୁକିନ୍ଦା ଦଳିତ ମଞ୍ଚ ପକ୍ଷରୁ ଥାନାରେ ପ୍ରଯୋଜକ, ନିର୍ଦ୍ଦେଶକ ଏବଂ ଅଭିନେତ୍ରୀଙ୍କ ନାମରେ ଏତଲା ଦିଆଯାଇଛି । ସେମାନଙ୍କୁ ଗିରଫ କରିବା ଏବଂ ସିନେମାଟିକୁ ବନ୍ଦ କରିବାପାଇଁ ଦାବି କରାଯାଇଛି ।

ଦାବି ପୂରଣ ନହେଲେ ଖୁବଶୀଘ୍ର ସେମାନେ ରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି । ପବିତ୍ର ବାହୁଡ଼ାରେ ମୁକ୍ତିଲାଭ କରିଛି ଓଡ଼ିଆ ସିନେମା ‘ପ୍ରିୟେ ତୁ ମୋ ସିଏ’ । ଯେଉଁଥିରେ ଅଭିନେତା ଅମ୍ଲାନ ଦାସ ଓ ଅଭିନେତ୍ରୀ ଏଲିନା ସାମନ୍ତରାୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ସୁଧାଂଶୁ ମୋହନ ନିର୍ଦ୍ଦେଶକ ଭାର ତୁଲାଇଛନ୍ତି ।