କେବେ ତୁଟିବ ଓଲିଉଡ୍ କଳି? ମନୋଜଙ୍କୁ କ୍ଷମା ମାଗିଲେ ବାବୁସାନ୍

236

କନକ ବ୍ୟୁରୋ: ଓଲିଉଡ ଷ୍ଟାରଙ୍କ ବିବାଦରେ ଆଉ ଜଣେ ସୁପରଷ୍ଟାର ପ୍ରବେଶ କରିଛନ୍ତି । ବିବାଦର ସମାଧାନ ବାଟ ଧରି କଳି ତୁଟାଇବାକୁ ଆଗକୁ ଆସିଛନ୍ତି ବାବୁସାନ । ମନୋଜ ମିଶ୍ରଙ୍କୁ କ୍ଷମା ମାଗି ସେ ବିବାଦକୁ ଆଗକୁ ନବଢାଇବାକୁ ଅନୁରୋଧ କରିଛନ୍ତି । ମନୋଜ ମିଶ୍ରଙ୍କୁ ବାସନ୍ଦ ପରଠୁ ଆରମ୍ଭ ହୋଇଥିବା ଏହି ବିବାଦ ତେଜିବାରେ ଲାଗିଛି । ସେପଟେ ବିବାଦର ସମାଧାନ ପାଇଁ ସାମ୍ନାକୁ ଆସିଛନ୍ତି ବଲିଉଡ ଓଡିଆ ଆସୋସିଏସନର ପ୍ରତିଷ୍ଠାତା ସଂଜୟ ମହାକୁଡ ।

ଓଲିଉଡ୍ କଳାକାରଙ୍କ କଳିରେ ଆଜି ଆଉଜଣେ ଅଭିନେତାଙ୍କ ଏଂଟ୍ରି ହୋଇଛି । ଅଭିନେତା ବାବୁସାନ ଗଣମାମଧ୍ୟରେ ପ୍ରତିକ୍ରିୟା ରଖି, ମନୋଜ ମିଶ୍ରଙ୍କୁ କ୍ଷମା ମାଗିଛନ୍ତି । ବାବୁସାନ୍ କହିଛନ୍ତି- ଯଦି ମନୋଜ ଦାଦାଙ୍କ ଇମୋସନକୁ ଆଘାତ ଲାଗିଛି ତାହାହେଲେ ବ୍ୟକ୍ତିଗତ ଭାବେ କ୍ଷମା ମାଗୁଛି । ଯଦି ସମ୍ବଲପୁର ସେଂଟିମେଂଟକୁ ଆଘାତ ଲାଗିଛି ତାହାହେଲେ କ୍ଷମା ମାଗୁଛି । ମୁଁ ନିଜେ ସମ୍ବଲପୁରିଆ, ମୋ ମା’ ସମ୍ବଲପୁରିଆ । ସମ୍ବଲପୁର ଆମ ଭିତରେ ଅଛି, ସବୁ ଓଡି଼ଆଙ୍କ ଭିତରେ ଅଛି । ତେଣୁ ଯେଉଁ ଘଟଣା ଘଟିଛି ତାକୁ ଆଉ ଆଗକୁ ନବଢାଇ ବ୍ୟକ୍ତିଗତ ସ୍ତରରେ ସମାଧାନ କରିଦିଆଯାଉ । ବଡକଥା ହେଉଛି ଗତ ୩ ଦିନରେ ୩ ଜଣ ସୁପରଷ୍ଟାର ସାମ୍ନାକୁ ଆସି ମନୋଜଙ୍କ ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି । ଅରିନ୍ଦମ ଓ ଅନୁଭବ ସିଧାସଳଖ ମନୋଜଙ୍କୁ ଟାର୍ଗେଟ କରିଥିବାବେଳେ ବାବୁସାନ କିନ୍ତୁ ମନୋଜଙ୍କୁ ମନାଇବାକୁ ପ୍ରୟାସ କରିଛନ୍ତି ।

ବାବୁସାନଙ୍କ ଅଭିନୀତ ମାଲ୍ୟଗିରି ଫିଲ୍ମର ପୋଷ୍ଟରକୁ ଚିରିବା ଓ ପୋଡିବାର ଚିତ୍ର ବଲାଙ୍ଗିରରୁ ଆସିଥିଲା । କଂଟାବାଂଜି ଆଲିସାନ ସିନେମା ହଲରେ ଓଡିଆ ଫିଲ୍ମ ରିଲିଜ୍ କରାଇ ନଦେବାକୁ ଧମକ ଦେଇଥିଲା କୋସଲ ରାଜ୍ୟ ମୁକ୍ତି ମୋର୍ଚ୍ଚା । ଏଥିସହ ଫିଲ୍ମ ହଲ ବାହାରେ ନୂଆ ଫିଲ୍ମ ମାଲ୍ୟଗିରିର ଯେଉଁ ପୋଷ୍ଟର ଲାଗିଥିଲା ତାକୁ ଚିରି ଦେଇଥିଲେ ମୋର୍ଚ୍ଚାର ସଦସ୍ୟ । ଏପରିକି ସାରା ପଶ୍ଚିମ ଓଡିଶାରେ ଓଡିଆ ଫିଲ୍ମକୁ ବୟକଟ୍ କରିବାକୁ ଚେତାବନୀ ଦେଇଥିଲେ । ଏହାପରେ ବାବୁସାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ଅଭିଯୋଗ ଅନୁସାରେ ଅଭିନେତା ଜିତୁ ମଙ୍ଗରାଜଙ୍କ ସହିତ ଶତ୍ରୁତା କାରଣରୁ ମନୋଜ ମିଶ୍ରଙ୍କ ସମର୍ଥକମାନେ ସମ୍ବଲପୁରରେ ରାମ ଫିଲ୍ମକୁ ହଲରେ ରିଲିଜ କରାଇ ଦେଇନାହାନ୍ତି । ଏନେଇ କନକ ନ୍ୟୁଜରେ ଉଭୟ ଜିତୁ ଓ ମନୋଜ ମୁହାଁମୁହିଁ ହେବା ପରେ ବିବାଦର ସମାଧାନ ପାଇଁ ସାମ୍ନାକୁ ଆସିଛନ୍ତି ବଲିଉଡ ଓଡିଆ ଆସୋସିଏସନର ପ୍ରତିଷ୍ଠାତା ସଂଜୟ ମହାକୁଡ ।

ଏହାରି ଭିତରେ ଅଭିନେତା ମନୋଜ ମିଶ୍ରଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିସାରିଛି ଉକ୍ରଳ ସିନେ ଚାମ୍ବର ଅଫ କମର୍ସ । ବାସନ୍ଦ ନିର୍ଦ୍ଦେଶକୁ ଅବମାନନା କରି ମନୋଜଙ୍କ ସହ ଫିଲ୍ମ ନିର୍ମାଣ କଲେ, ରାଜ୍ୟର କୌଣସି ହଲରେ ଫିଲ୍ମକୁ ରିଲିଜ କରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛି ଉକ୍ରଳ ସିନେ ଚାମ୍ବର ଅଫ କମର୍ସ । ତେଣୁ ବିବାଦର ସମାଧାନ ହେଲେ ମନୋଜ ମିଶ୍ରଙ୍କ ଉପରୁ ବାସନ୍ଦ କଟକଣା ହଟାଇ ଦେବ କି ୟୁସିସିସି?