ବଢୁଛି କଳାକାର ବିବାଦ । ମନୋଜ ମିଶ୍ରଙ୍କ ସମର୍ଥନରେ ପଶ୍ଚିମ ଓଡିଶାର ବିଭିନ୍ନ ସଂଗଠନ, ବିଭିନ୍ନ ସ୍ଥାନରେ ଚାଲିଛି ପୋଷ୍ଟର ଚିରା

399

କନକ ବ୍ୟୁରୋ : କଳାକାରଙ୍କ କଳି ଧିରେ ଧିରେ କେଉଁ ଆଡକୁ ଗତି କରୁଛି ଏ ହେଉଛି ତାର ଗୋଟିଏ ସଂକେତ । ଅଭିନେତା ମନୋଜ ମିଶ୍ରଙ୍କୁ ସମର୍ଥନ କରି ପଶ୍ଚିମଓଡିଶାର ବିଭିନ୍ନ ସଂଗଠନ ଆଗକୁ ଆସିଛନ୍ତି । ସଂଗଠନର ସଦସ୍ୟମାନେ ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଓଡିଆ ଫିଲ୍ମର ପୋଷ୍ଟର ଚିରିବା ସହ, ଅନୁଭବ ଓ ଅରିନ୍ଦମଙ୍କ କୁଶପୁତଳିକା ଦାହ କରୁଛନ୍ତିି । ମନୋଜଙ୍କ ଉପରୁ ବାସନ୍ଦ ପ୍ରତ୍ୟାହାର ଦାବି କରୁଛନ୍ତି । ବାସନ୍ଦ ନଉଠାଇଲେ ଆଗାମି ଦିନରେ ପଶ୍ଚିିମ ଓଡିଶା ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ଆଉ ଏତିକିବେଳେ ବଲାଙ୍ଗୀର ବେଲପଡାରେ ଚାଲିଥିବା ଯାତ୍ରା ପେଣ୍ଡାଲରୁ ଆସିଥିବା ଭିଡିଓ, ବିବାଦକୁ ବଢ଼ାଇ ଦେଇଛି ।

ବିବାଦ ବଢ଼ୁଥିବାବେଳେ ପୁଣି ଥରେ ସାମନାକୁ ଆସିଛନ୍ତି ଅଭିନେତା ଅରିନ୍ଦମ ରାୟ । ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି ପଶ୍ଚିମଓଡିଶା ବନ୍ଦକୁ ସମର୍ଥନ ନକରିବାକୁ ମନୋଜ ମିଶ୍ରଙ୍କୁ ଅପିଲ କରିଛନ୍ତି । ଏଥିସହ ଆଗାମି ଦିନରେ ବୟକଟ ବିବାଦ ନେଇ ପ୍ରତିକ୍ରିୟା ନରଖିବାକୁ ଅନୁରୋଧ କରିଛନ୍ତି ।

ମାତ୍ର କେତେଜଣଙ୍କ କଳି ଯେ ଏତେ ବଡ ପ୍ରସଙ୍ଗ ପାଲଟିବ ହୁଏତ କେହି କେବେ ଭାବି ନଥିଲେ । କିନ୍ତୁ ଯେତେବେଳେ କଳାକାରଙ୍କ କଳିରେ ରାଜନୀତିର ରଂଗ ଲାଗିଲା ସେତେବେଳେ ଏହା ଏକ ପ୍ରସଙ୍ଗ ପାଲଟି ଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏବେ ବି ଜାରି ରହିଛି ରାଜନୈତିକ ବୟାନବାଜି । ପଶ୍ଚିମଓଡିଶାର ଜଣଙ୍କ ପରେ ଜଣେ ନେତା ମନୋଜଙ୍କ ସମର୍ଥନରେ ବାହାରିବା ବିବାଦକୁ ବଢ଼ାଇ ଦେଇଛି ।

ନେତାଙ୍କ ପଛେ ପଛେ କଳାକାରଙ୍କ କଳିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପଦ୍ମଶ୍ରୀ ହଳଧର ନାଗ । ସେ ବି ମନୋଜଙ୍କୁ ସମର୍ଥନ କରିବା ସହ ଓଡିଆ ସିନେ ଆଟିଷ୍ଟଙ୍କ ବୟକଟ ଓ ଅସୂୟା ଭାବକୁ ବିରୋଧ କରିଛନ୍ତି ।

ଗୋଟିଏ ପଟେ ଓଲିଉଡ୍ କଳି ବଢ଼ି ଚାଲିଥିବାବେଳେ ଆଉ ଗୋଟିଏ ପଟେ ବିବାଦକୁ ଶେଷ କରିବାକୁ ଆହ୍ୱାନ ଦେଇଛି ଓଡିଆ ଚଳଚିତ୍ର ବଂଚାଅ ଅଭିଯାନ । ମାଷ୍ଟରକ୍ୟାଂଟିନରୁ ରାମମନ୍ଦିର ଯାଏଁ କ୍ୟାଣ୍ଡେଲ ଶୋଭାଯାତ୍ରା କରିଛନ୍ତି ।