ପରିବାର ପୋଷିବାକୁ ହାତ ପତାଇ ଭିକ ମାଗୁଥିଲା କୁନି ପୁଅ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆଗେଇ ଆସିଲେ ଅଭିନେତା ସବ୍ୟସାଚୀ । ସିଲେଇ ମେସିନ୍ ପଠାଇ ସମ୍ପର୍କର ସୂତାକୁ ଯୋଡ଼ିଲେ, ଭିଡ଼ିଓ କଲ୍ କରି ଭାଇକୁ ଭିକ ମାଗିବାକୁ ମନା କଲେ । ଭାଇ ସାଜି ଭଲ ଭବିଷ୍ୟତ ଗଢ଼ିବାକୁ ଭରସା ଦେଲେ ସବ୍ୟସାଚୀ…

125

କନକ ବ୍ୟୁରୋ: ଚକ ଚାଲିବ, ପରିବାର ଚଳିବ । ଛୁଞ୍ଚି ସୂତାରେ ଲୁଗା ସିଲେଇ ହେବା ପରି ସଜାଡି ଯିବ ଅସଜଡା ଘର । ଆଉ ଦୂରେଇ ଯିବ ପରିବାର ସବୁ ଦୁଃଖ, ସବୁ କଷ୍ଟ । ଭାଇ ଆଉ ଘର ଘର ବୁଲି ଭିକ ମାଗିବନି କି ମାଆର ଚିକିତ୍ସା ପାଇଁ ପରପାଖରେ ହାତ ପାତିବନି । କାରଣ ଭୋକ ବିରୁଧରେ ସେ ନିଜ ଲଢିବ, ଗରିବିର ବେକ ଉପରେ ଗୋଡ ପକାଇ ପରିବାରର ସ୍ୱପ୍ନ ପୂରା କରିବ । କାରଣ ସବୁ ସ୍ୱପ୍ନ ସତ କରିବାକୁ ସାହସ ଦେଉଛନ୍ତି ସବ୍ୟ ଭାଇ, ସୁଯୋଗ ଦେଇଛନ୍ତି ଅଭିନେତା ସବ୍ୟସାଚୀ ।


କେନ୍ଦ୍ରାପଡା ଧୁମାତ ପଞ୍ଚାୟତର ୭ ବର୍ଷର କୁନି ପୁଅ ଯେତେବେଳେ ଭୋକ ପାଇଁ ଦୁଆର ଦୁଆର ବୁଲି ଭିକ ମାଗୁଥିଲା । ରୋଗୀଣା ମାଆର ଔଷଧ ପାଇଁ, ଘରର ଚୁଲି ଜଳାଇବାକୁ କଅଁଳ ବୟସରେ ବୋଝ କାନେ୍ଧଇଥିଲା ଠିକ ସେତିକିବେଳେ ସାରା ରାଜ୍ୟକୁ ବ୍ୟଥିତ କରିଥିବା କୁନି ପୁଅର ଏ ଭିକ ମଗା କାହାଣୀ । ଭୋକ ପାଇଁ ଭିକର ଏ ହୃଦୟଥରା ଚିତ୍ର ବି ଅଭିନେତା ସବ୍ୟସାଚୀଙ୍କୁ ମର୍ମାହତ କରିଥିଲା । ଆଉ ଅସହାୟ ପରିବାରକୁ ସାହାଯ୍ୟ କରିବାକୁ ସଙ୍ଗେ ସଙ୍ଗେ ଆଗେଇ ଆସିଥିଲେ ସବ୍ୟସାଚୀ । କୁନି ପୁଅର ବଡ ଭଉଣୀ ସହ କଥା ହୋଇ ତାଙ୍କୁ ସ୍ୱାବଲମ୍ବୀ କରାଇବାକୁ ଘରକୁ ପଠାଇଥିଲେ ଏକ ସିଲେଇ ମେସିନ ।

ଆଉ ଇଏ ହେଉଛି ସେହି ମେସିନ ଯେଉଁଥିରେ ନିଜ ପରିବାରର ସ୍ୱପ୍ନ ସିଲେଇ କରିବାକୁ କସରତ ଆରମ୍ଭ କରିଦେଇଛନ୍ତି ପ୍ରମିଳା । ଗରିବ ପରିବାରର ଦୁଃଖ ଦୂରେଇବାକୁ ସବ୍ୟସାଚୀ ସିଲେଇ ମେସିନ କିଣି ଦେବା ସହ ଆବଶ୍ୟକ କପଡା ମଧ୍ୟ ଯୋଗାଇ ଦେଇଛନ୍ତି ଆଉ ପ୍ରମିଳାଙ୍କୁ ପ୍ରଶିକ୍ଷଣ ଦେବାକୁ ଜଣେ ପ୍ରଶିକ୍ଷକଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ମାସ୍କ ତିଆରି କରି କେମିତି ଉକ୍ତ ମାସ୍କ ବଜାରରେ ବିକ୍ରି ହୋଇପାରିବ ସେ ବ୍ୟବସ୍ଥା ମଧ୍ୟ କରିଛନ୍ତି ଓଡିଶାର ସୁନା ପୁଅ ସବ୍ୟସାଚୀ ।

ସବ୍ୟସାଚୀ ଖାଲି ସିଲେଇ ମେସିନ ଦେଇ ନାହାନ୍ତି ବରଂ କୁନି ପୁଅର ଭିକ ମଗାରେ ବ୍ରେକ ଦେବାକୁ ପାଠପଢାର ସବୁ ଦାୟିତ୍ୱ ନେବେ ବୋଲି କହିଛନ୍ତି । କରୋନାର ଏ ପରିସ୍ଥିତି ଗଲା ପରେ ସେ ଭୁବନେଶ୍ୱରର ଏକ ସ୍କୁଲରେ ପଢାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ କିଛିଦିନ ତଳେ ପରିବାର ପାଇଁ କୁନି ପୁଅର ଏଭଳି ସଂଘର୍ଷ ଦେଖି ଆଗେଇ ଆସିଥିଲେ ବିଧାୟକ ଶଶିଭୂଷଣ ବେହେରା ସବିତାଙ୍କ ଘରେ ପହଞ୍ଚି ୧୦ ହଜାର ଟଙ୍କା ଦେଇଥିବା ବେଳେ ଜିଲ୍ଲାପାଳଙ୍କ ଜରିଆରେ ସବୁ ସୁବିଧା କରିଦେବେ ତା ସହ କୁନି ପୁଅର ପାଠ ପଢାର ସମ୍ପୂର୍ଣ୍ଣ ଦାୟିତ୍ୱ ନିଜେ ବହନ କରିବେ ବୋଲି କହିଥିଲେ । ଆଉ ଏବେ ବେସାହାରା ପରିବାରକୁ ସାହାଯ୍ୟ କରିବାକୁ ବଡ ପଦକ୍ଷେପ ନେଇ ବଡ ହୃଦୟର ପରିଚୟ ଦେଇଛନ୍ତି ସବ୍ୟସାଚୀ । ଆଉ ପ୍ରମାଣିତ କରିଛନ୍ତି କି ସବ୍ୟ ଥିଲେ ସବୁ ସମ୍ଭବ