ହାପି ବାର୍ଥ-ଡେ’ ସବ୍ୟସାଚୀ  । ୩୫ ବର୍ଷରେ ପାଦଦେଲେ ରିଲ ଲାଇଫର ରିୟଲ ହିରୋ । ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ପ୍ରଶଂସକ  । 

1,277
କନକ ବ୍ୟୁରୋ : ରିଲ ଲାଇଫରେ ସେ ଥିଲେ ଫ୍ୟାନମାନଙ୍କ ହିରୋ । ହେଲେ ଏବେ ସେ ଫ୍ୟାନମାନଙ୍କ ପାଇଁ ପାଲଟିଛନ୍ତି ରିୟଲ ଲାଇଫର ଭଗବାନ । ତାଙ୍କ ମହାନ କାମ ପାଇଁ ସେ ସମସ୍ତଙ୍କ ମନରେ କରିଛନ୍ତି ଘର । ସେ ହେଉଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର । ଆଜି ସବ୍ୟସାଚୀଙ୍କ ଜନ୍ମଦିନ । ସେ ଆଜି ୩୫ ବର୍ଷ ବୟସରେ ପାଦ ଦେଇଛନ୍ତି । ଏନେଇ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ମଧ୍ୟ ଛୁଟୁଛି ।
କିଏ ସବ୍ୟଙ୍କୁ ସୁପରମ୍ୟାନ କହୁଛି ତ ଆଉ କିଏ ଭଗବାନଙ୍କ ସହ ତୁଳନା କରୁଛି । ଟ୍ୱିଟ କରି ସ୍ୱାଗତିକା ଆଚାର୍ଯ୍ୟ ଲେଖିଛନ୍ତି, ଭାଇ ଆପଣ ହେଉଛନ୍ତି ସୁପରମ୍ୟାନ, ଆପଣଙ୍କୁ ଭଗବାନ ସବୁବେଳ ଭଲରେ ରଖିଥାନ୍ତୁ, ଆମେ ଆପଣଙ୍କୁ ନେଇ ଗର୍ବ ଅନୁଭବ କରୁଛୁ । ସେହିପରି ସ୍ୱିଟି ପଟ୍ଟନାୟକ ଲେଖିଛନ୍ତି, ଆପଣ ଅନେକ ଲୋକଙ୍କୁ ଅସମୟରେ ସାହାଯ୍ୟ କରିଛନ୍ତି । ଭଗବାନ ଆପଣଙ୍କୁ ଶକ୍ତି ଦିଅନ୍ତୁ ଓ ଆଶୀର୍ବାଦ କରନ୍ତୁ । ଜନ୍ମଦିନରେ ସବ୍ୟସାଚୀଙ୍କୁ ଏଭଳି ଅନେକ ପ୍ରଶଂସକଙ୍କ ସୁଅ ଛୁଟୁଛି ।
ତେବେ ଏଭଳି ଖୁବ କମ ଲୋକ ଥାନ୍ତି ଯେଉଁମାନେ ଗରିବ ଅସହାୟ ଲୋକଙ୍କ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସବ୍ୟସାଚୀ । ଲକଡାଉନ ସମୟରେ ଓଡିଶା ବାହାରେ ଫସି ରହିଥିବା ପ୍ରବାସୀମାନଙ୍କୁ  ସେ ସାହାଯ୍ୟର ହାତ ବଢାଇଥିଲେ । ବସ ଯୋଗେ ସେମାନଙ୍କୁ ଓଡିଶା ଫେରାଇ ଆଣିବାର ବନ୍ଦୋବସ୍ତ ମଧ୍ୟ କରିଥିଲେ ।
ଫୋନରେ ଓ ଭିଡଓ କଲରେ ସେ ପ୍ରବାସୀମାନଙ୍କ ସହ ସିଧାସଳଖ କଥା ହୋଇ ତାଙ୍କୁ ଫେରାଇ ଆଣିବା ପାଇଁ ପ୍ରତିଶୃତି ଦେଉଥିଲେ । କେବଳ ପ୍ରବାସୀ ନୁହେଁ ଗରିବ ପିଲାଙ୍କ ପାଠ ପଢାଠୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ସବୁ କାମରେ ସବ୍ୟସାଚୀ ସହଯୋଗର ହାତ ବଢାଇଛନ୍ତି । ଏଥି ପାଇଁ ସେ ଏବେ ପ୍ରବାସୀମାନଙ୍କ ପାଇଁ ପାଲଟିଛନ୍ତି ଭଗବାନ ।