ଓଡିଆ ଚଳଚ୍ଚିତ୍ର ଅଭିନେତା ରାଇମୋହନଙ୍କ ଦେହାନ୍ତ । ପ୍ରାଚୀ ବିହାର ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା

1,034

କନକ ବ୍ୟୁରୋ : ଓଡିଆ ଚଳଚ୍ଚିତ୍ର ଅଭିନେତା ରାଇମୋହନଙ୍କ ଦେହାନ୍ତ । ରାଇମୋହନ ପରିଡା ଆତ୍ମହତ୍ୟା କରିଥିବା ସୂଚନା । ପାରିବାରିକ କଳହରୁ ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । କେଉଁ ପରିସ୍ଥିତିରେ ଓ କାହିଁକି ଆତ୍ମହତ୍ୟା କଲେ ସେ ନେଇ ତନାଘନା କରୁଛି ଟିମ୍ ।

ଓଡିଶାର ଖଳନାୟକ ଭାବେ ପରିଚିତ ରାଇମୋହନ ପରିଡା । ତାଙ୍କର ଜନ୍ମ ୧୯୬୩ ମସିହାରେ । ତାଙ୍କର ଜନ୍ମ ସ୍ଥାନ ହେଉଛି କେନ୍ଦୁଝରରେ ଉଦୟପୁର ଗ୍ରାମରେ । ସେ ଚାରି ଝିଅରେ ଗୋଟିଏ ପୁଅ ଥିଲେ । ସେଥିପାଇଁ ପରିବାରରେ ସେ ବହୁତ ଗେଲ୍ହା ଥିଲେ । ତାଙ୍କ ବାପାଙ୍କ ନାମ ହେଉଛି ତ୍ରିଲୋକନାଥ ପରିଡା । ସେ ବିଏଲଡବ୍ଲ୍ୟୁ ଭାବେ କାର୍ଯ୍ୟ କରୁଥିଲେ । ମା’ ହେଉଛନ୍ତି ତିଳୋତ୍ତମା ପରିଡା । ରାଇମୋହନ ପରିଡାଙ୍କ ପତ୍ନୀଙ୍କ ନାମ ହେଉଛି ରଞ୍ଜିତା ପରିଡା ।

ତାଙ୍କର ପ୍ରଥମ ଓଡିଆ ଫିଲ୍ମ ହେଉଛି ପକା କମ୍ବଳ ପୋତ ଛତା । ସେଥିରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ୧୯୯୨ ମସିହାରେ ସାଗର ଭୂମିକାରେ ଅଭିନୟ କରିଥିଲେ । ଏହିପରି ୧୦୦ ରୁ ଉର୍ଦ୍ଧ୍ୱ ଓଡିଆ ଫିଲ୍ମ ରେ ସେ ଅଭିନୟ କରିଛନ୍ତି । ଓଲିଉଡର ଶ୍ରେଷ୍ଠ ଖଳନାୟକ ଭାବେ ମଧ୍ୟ ସେ ପରିଚିତ । ୨୦୦୨ ମସିହାରେ ସେ ଓଡିଆ ଫିଲ୍ମ ଛାଡି ଯାତ୍ରାରେ ଅଭିନୟ ଆରମ୍ଭ କରିଥିଲେ । ସେ ଓଡିଆ ଯାତ୍ରା ଓ ଫିଲ୍ମ ସହ କିଛି ହିନ୍ଦୀ ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି । ଓଡିଆ ଯାତ୍ରା ଜଗତରେ ସେ ବେଶ ସୁନାମ ଅର୍ଜନ କରିଛନ୍ତି ।