ନୃତ୍ୟଶିଳ୍ପୀଙ୍କୁ ସହାୟତା କଲେ ଓଲିଉଡ ଅଭିନେତା: ରୋଜଗାର ଆଶାରେ ୟୁପିରେ ଫସିଯାଇଥିଲେ ୪ ଓଡିଆ ଝିଅ; ଘରକୁ ଫେରିବାକୁ ନୃତ୍ୟଶିଳ୍ପୀରୁ ଶ୍ରମିକ ବନିଥିବା ଯୁବତୀଙ୍କ ଦୁଃଖ ଜାଣି ସହଯୋଗର ହାତ ବଢାଇଥିଲେ ସବ୍ୟସାଚୀ

516

କନକ ବ୍ୟୁରୋ: ରୋଜଗାର ଆଶାରେ ଉତରପ୍ରଦେଶ ଗସ୍ତ କରି ଫସି ଯାଇଥିଲେ କଟକର ସୁନୀତା ସାହୁ ଏବଂ ଅନୁଗୁଳ ଓ ସଂବଲପୁର ଜିଲ୍ଲାର ୩ ଜଣ ସାଙ୍ଗ । ଏମାନେ ଉତରପ୍ରଦେଶରେ ପ୍ରାୟ ୪୫ଟି ମଂଚରେ ନୃତ୍ୟ ପ୍ରଦର୍ଶନ ପାଇଁ ଚୁକ୍ତି କରିଥିଲେ । ଆଶାଥିଲା ଏହି ଗସ୍ତରୁ ଭଲ ଦି ପଇସା ରୋଜଗାର ହେବ । ଘରକୁ ଫେରିଲେ ନିଜେ କିଛି କରିପାରିବେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଉତରପ୍ରଦେଶ ଗସ୍ତ ପରେ ପରେ ଦେଶରେ କରୋନା ପାଇଁ ଲାଗୁ ହୋଇଗଲା ତାଲାବନ୍ଦ । ୟୁପିରେ ବାତିଲ ହୋଇଗଲା ସମସ୍ତ ସୋ ।

ଉତରପ୍ରଦେଶର ଦେଓରିଆରେ ଫସି ଗଲେ ୪ ଓଡିଆ ଝିଅ । ହାତରେ ଥିବା ଟଙ୍କା ବି କିଛି ଦିନରେ ସରିଗଲା । ଖାଇବେ କଣ, ଘରକୁ ଫେରିବେ କେମିତି , ଚିନ୍ତାରେ ପଡିଥିଲେ । ବଂଚିବା ପାଇଁ ୟୁପିର ସୋନଘାଟରେ ଧାନ ବିଲରେ ଶ୍ରମିକ ଭାବେ କାମ କରିବା ଆରମ୍ଭ କରିଥିଲେ ଏହି ଓଡିଆ ଯୁବତୀ , ଯାହା ସେମାନେ କେବେ କରିନଥିଲେ । କାମ ଜାଣିନଥିବାରୁ ଅଧା ମଜୁରୀ ମିଳୁଥିଲା । ଘରକୁ ଫେରିବା ଅପେକ୍ଷାରେ ନୃତ୍ୟଶିଳ୍ପୀରୁ ଶ୍ରମିକ ବନିଥିବା ଏହି ଓଡିଆ ଯୁବତୀଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଜାଣିବା ମାତ୍ରେ ସହଯୋଗର ହାତ ବଢାଇଥିଲେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର ।

ସବ୍ୟସାଚୀ ଏକ କାର ବ୍ୟବସ୍ଥା କରାଇଥିଲେ । ଏହା ଯୋଗେ ପ୍ରଥମେ ସେମାନଙ୍କୁ ମୋଗଲ ସରାଇକୁ ଆଣିବା ପରେ ମୋଗଲସରାଇ ଷ୍ଟେସନରୁ ଟ୍ରେନ୍ ଟିକଟ କରାଇ ସେମାନଙ୍କୁ କଟକ ଫେରିବା ବ୍ୟବସ୍ଥା ବି କରିଦେଇଥିଲେ ସବ୍ୟସାଚୀ । ଏବେ ଓଡିଶା ଫେରିବା ପରେ ଏହି ନୃତ୍ୟଶିଳ୍ପୀ ସଂଗରୋଧରେ ଅଛନ୍ତି । କରୋନାର କଠୋର କାଳରେ ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଏପରି ସହାୟତା ସେମାନଙ୍କୁ ନୂଆ ଜୀବନ ଦେଇଛି । ସମସ୍ତେ ଏବେ ସବ୍ୟସାଚୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।