ଅଫେରା ଦୁନିଆରେ ଓଲିଉଡ ଅଭିନେତା ଅଜିତ ଦାଶ । ଓଲିଉଡରେ ହାକିମ ବାବୁ ଭାବେ ଥିଲେ ପରିଚିତ

308

କନକ ବ୍ୟୁରୋ : ଓଲିଉଡର ବର୍ଷିୟମାନ ଅଭିନେତା ଅଜିତ ଦାଶଙ୍କ ପରଲୋକ ଘଟିଛି । ସେ ଗତ କିଛି ଦିନ ତଳେ କରୋନାରେ ପୀଡିତ ଥିଲେ । ଭୁବନେଶ୍ୱରରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ ଓଡିଆ ସିନେମା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।

ଅଜିତ ଦାଶ ଜଣେ ଓଡିଆ ନାଟ୍ୟକାର, ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟଗୁରୁ ଭାବେ ବେଶ ପରିଚିତ । ଏହାସହ ସେ ମଞ୍ଚ ଅଭିନୟ ଶିକ୍ଷାନୁଷ୍ଠାନ ଜାଗୃତି ଇନଷ୍ଟିଚ୍ୟୁଟ ଅଫ ଥିଏଟରର ପ୍ରତିଷ୍ଠାତା ଥିଲେ ।

ଅଜିତ ଦାଶ ଓଡିଶାର ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆଠାରେ ୧୯୪୯ ମସିହା ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଅଜିତ ଦାଶଙ୍କ ବଡ ବାପା ସୁଧିର ଚନ୍ଦ୍ର ଦାଶ ଜଣେ ନାଟକ ଅଭିନେତା ଥିଲେ । ତେଣୁ ସେ ପିଲାବେଳୁ ନାଟକ ପ୍ରତି ଆକର୍ଷିତ ହୋଇଥିଲେ୍ । ମୟୂରଭଞ୍ଜରେ ତାଙ୍କର ଏକ ନାଟକ ଦଳ ମଧ୍ୟ ରହିଥିଲା ।

ସେ ୧୯୭୬ ମସିହାରେ ସିନ୍ଦୂର ବିନ୍ଦୁ ଫିଲ୍ମରେ ଅଭିନୟ କରି ଚଳଚିତ୍ର ଦୁନିଆରେ ପ୍ରବେଶ କରିଥିଲେ । ଏହି ଫିଲ୍ମରେ ତାଙ୍କୁ ଖଳନାୟକ ଭୂମିକାରେ ପ୍ରଥମ ସୁଯୋଗ ଦେଇଥିଲେ ଧୀର ବିଶ୍ୱାଳ । ଏହାପରେ ପରେ ସେ ଅନେକ ଓଡିଆ ଫିଲ୍ମରେ ନାୟକ ଭାବେ ଅଭିନୟ କରିଛନ୍ତି । ସେ ୬୦ରୁ ଅଧିକ ଚଳଚିତ୍ରରେ ଅଭିନୟ କରିଛନ୍ତି ।

ତାଙ୍କ ଅଭିନୀତ ସୁପରହିଟ୍ ଚଳଚିତ୍ରଗୁଡିକ ହେଲା ହାକିମବାବୁ, କପାଳ ଲିଖନ, ସରରପଞ୍ଚ ବାବୁ, ପର ଝିଅ ଘର ଭାଙ୍ଗେନା, ଲୁଟତରାଜ ପରଦେଶୀ ଚଢେଇ । ତାଙ୍କ ଅଭିନୟରେ ସେ ଓଲିଉଡରେ ଅନେକ ଛାପ ଛାଡି ଯାଇଛନ୍ତି । ହାକିମ ବାବୁ ଚଳଚତ୍ରରେ ତାଙ୍କ ଅଭିନୟରେ ମୁଗ୍ଧ ହୋଇ ଦର୍ଶକ ତାଙ୍କୁ ହାକିମ ବାବୁ ବୋଲି ଡାକିଥିଲେ ।