ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ପଦକ୍ଷେପ  । ଗହିରମଥାରୁ ଅସ୍ତରଙ୍ଗ ଦେବୀମୁହାଣ ଯାଏଁ ମାଛ ମାରିବା ଉପରେ କଟକଣା । 

98

କନକ ବ୍ୟୁରୋ: ଓଡିଶାର ଦେବୀମୁହାଣକୁ ଆସିବା ଆରମ୍ଭ କଲେଣି ବରିଳ ଅଲିଭରିଡଲେ କଇଁଛ । ଆଉ ସେମାନଙ୍କ ସୁରକ୍ଷା ପାଇଁ ଉପକୂଳରେ ଲାଗିଲାଣି କଟକଣା । ସମୁଦ୍ର ଉପକୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ରରେ ମାଛ ମାରିବା ଉପରେ କଟକଣା ଲାଗିଛି । ତେଣୁ ଟ୍ରଲ ଓ ମଟର ଚାଳିତ ଡଙ୍ଗାଗୁଡିକ ମଝି ସମୁଦ୍ରକୁ ଯାଇ ମାଛ ମାରୁଛି, କିନ୍ତୁ ପାରମ୍ପରିକ ଢଙ୍ଗରେ ଡଙ୍ଗାରେ ମାଛ ମାରି ପେଟ ପୋଷୁଥିବା ମତ୍ସ୍ୟଜୀବୀ ଏହି କଟକଣା ପାଇଁ କଷ୍ଟ ଭୋଗୁଛନ୍ତି ।

ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ର କୂଳରେ ଲାଗିଛି କଟକଣା । ନଭେମ୍ବର ୧ରୁ ଜୁନ୍ ୩୦ ଯାଏଁ କେନ୍ଦ୍ରାପଡାର ଗହିରମଥାରୁ ପୁରୀ ଅସ୍ତରଙ୍ଗର ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ରରୁ ମଛଧରା ଉପରେ ରୋକ ଲଗାଇଛି ମତ୍ସ୍ୟ ଓ ବନ ବିଭାଗ । କୂଳରୁ ୨୦ କିଲୋମିଟର ଦୂର ସମୁଦ୍ରରୁ ମାଛ ମାରିବାକୁ ମନା କରାଯିବାରୁ ଅସ୍ତରଙ୍ଗ ଅଂଚଳର ଶହଶହ ପାରମ୍ପରିକ ମତ୍ସ୍ୟଜୀବୀ ଏକ ପ୍ରକାର ଜୀବିକା ହରାଇଛନ୍ତି । ମାଛ ଧରିବା ବନ୍ଦ ହୋଇଯିବାରୁ ୭ ମାସ କାଳ ପିଲା ଛୁଆ କେମିତି ଚଲିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ।

ସମୁଦ୍ରରେ କଟକଣା ଯୋଗୁଁ ଜୀବିକା ହରାଉଥିବା ମତ୍ସ୍ୟଜୀବୀଙ୍କୁ ମତ୍ସ୍ୟ ବିଭାଗ ପକ୍ଷରୁ ୭ହଜାର ୫ଶହ ଟଙ୍କାର ସହାୟତା ରାଶି ଦିଆଯାଏ । ଅସ୍ତରଙ୍ଗ ବ୍ଲକରେ ପ୍ରାୟ ୧୫ ହଜାର ମତ୍ସ୍ୟଜୀବୀ ରହିଥିବା ବେଳେ ୪ ହଜାର ମତ୍ସ୍ୟଜୀବୀଙ୍କୁ ସହାୟତା ମିଳିଛି । ତେଣୁ ସବୁ ମତ୍ସ୍ୟଜୀବୀଙ୍କୁ ଚିହ୍ନଟ କରିବାକୁ ଦାବି ଜୋର ଧରିଛି । ଏହାସହ ୭ ମାସ ପାଇଁ ଦିଆଯାଉଥିବା ୭ହଜାର ୫ଶହ ଟଙ୍କାର ସହାୟତା ରାଶିକୁ ୧୫ ହଜାର କରିବାକୁ ଦାବି କରିଛି ରାଜ୍ୟ ପାରମ୍ପରିକ ମତ୍ସ୍ୟଜୀବୀ ସଂଘ ।

କଇଁଛଙ୍କ ଅଣ୍ଡାଦାନ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି । କଇଁଛ ଓ ସେମାନଙ୍କ ଅଣ୍ଡାର ସୁରକ୍ଷା ପାଇଁ ଅସ୍ତରଙ୍ଗ ସମୁଦ୍ର ଉପକୂଳରେ କଇଁଚ୍ଛ କୁଡିଆ ନିର୍ମାଣ କାମ ଶେଷ ହୋଇଛି । ଏହାରି ଭିତରେ ଏହି ସମୟରେ ଜୀବିକା ହରାଇଥିବା ମତ୍ସ୍ୟଜୀବୀଙ୍କୁ ସହାୟତା ଦେବାକୁ ଦାବି ହୋଇଛି ।