ଅଲିଭ ରିଡ଼ଲେଙ୍କ ଏନ୍ତୁଡ଼ିଶାଳ ଗହିରମଥା ଏବେ ପାଲଟିଛି ଶ୍ମଶାନ ଭୁଇଁ । ସମୁଦ୍ରକୂଳରେ ମରି ପଡ଼ିଛନ୍ତି ଶହ ଶହ କଇଁଛ

100

କନକ ବ୍ୟୁରୋ: ଭାରତର ସର୍ବବୃହତ ସାମୁଦ୍ରିକ ଅଭୟାରଣ୍ୟ ତଥା ଅଲିଭ ରିଡଲେଙ୍କ ଏନ୍ତୁଡିଶାଳ ଗହୀରମଥା । ଏହି ସ୍ଥାନକୁ ସୁରକ୍ଷିତ ମନେକରି ପ୍ରତି ବର୍ଷ ହଜାର ହଜାର ନଟିକାଲ ମାଇଲ ଅତିକ୍ରମ କରି ବିରଳ ଅଲିଭ ରିଡଲେ କଇଁଛ ଗଣ ଅଣ୍ଡାଦାନ ପାଇଁ ଛୁଟି ଆସନ୍ତି । ହେଲେ ଏବେ ଅଲିଭ ରିଡଲେଙ୍କ ଶ୍ମଶାନ ଭୂଇଁ ପାଲଟିଛି ଗହିରମଥା । ପ୍ରତିଦିନ ଶହ ଶହ କଇଁଛ ମରି ପଡ଼ୁଥିବାର ବେଳେ ଦେବୀ ମୁହାଁଣରୁ ଧାମରା ମୁହାଁଣ ଯାଏଁ ୧୪୦ କିମି ଉପକୂଳ ଏବେ ଦୁର୍ଗନ୍ଧରେ ଫାଟି ପଡୁଛି ।

ସମୁଦ୍ର ମଧ୍ୟରେ ବେଧଡକ ଭାବେ ଟ୍ରଲର ମାଛ ମାରୁଥିବା ବେଳେ ଏହି ଟ୍ରଲର ଗୁଡିକର ପ୍ରପଲର ଆଘାତ ଓ ଜାଲରେ ପଡି ଶହ ଶହ କଇଁଛଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି । ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିବା ବେଳେ ଏକ କିଲୋମିଟର ମଧ୍ୟରେ ୬୦ରୁ ଅଧିକ ମୃତ କଇଁଛ ବେଳାଭୂମି କୂଳରେ ଲାଗିଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ବନବିଭାଗ ରିପୋର୍ଟରେ ଫେବୃୟାରୀ ୨୦ ତାରିଖ ସୁଦ୍ଧା ୯୯ ଅଲିଭରିଡଲେ କଇଁଛଙ୍କ ମୃତ୍ୟୁ ଘଟିଛି । ଏନେଇ ଅନଲାଇନରେ ସରକାରଙ୍କ ପକ୍ଷରୁ ସବୁଜ ରିପୋର୍ଟ ପ୍ରଦାନ କରାଯାଇଛି । ମାତ୍ର ଗହୀରମଥା ରେଞ୍ଜ ସମେତ ରାଜନଗର, କନିକା, ମହାକାଳପଡା, କୁଜଙ୍ଗ ପ୍ରଭୃତି ୫ଟି ରେଞ୍ଜରେ ଶହ ଶହ କଇଁଛ ମୃତ୍ୟୁ ବରଣ କରୁଥିବା ଚିତ୍ର ସାମ୍ନାକୁ ଆସିଛି । ତେବେ ଏତେ ସଂଖ୍ୟକ କଇଁଛଙ୍କ ମୃତ୍ୟୁ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । କଇଁଛ ମୃତ୍ୟୁ ପଛର କାରଣ କ’ଣ? କଇଁଛ ମୃତ୍ୟୁ କିପରି ନହେବ ସେ ନେଇ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।