ପ୍ରଥମ ଥର ପାଇଁ ବନବିଭାଗ ସହ ମେରାଇନ ପୁଲିସର ପାଟ୍ରୋଲିଂ : ଗହୀରମଥାରେ ମାଛ ମାଫିଆଙ୍କ ଉପରେ ରହିଛି ସତର୍କ ନଜର

ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ନୋ ଫିସିଂ ଜୋନରେ ମିଳିତ ପାଟ୍ରୋଲିଂ ଜୋରଦାର

71

କନକ ବ୍ୟୁରୋ : ସାବଧାନ ମାଛମାଫିଆ, ପଇଁତରା ମାରୁଛି ସାମୁଦ୍ରିକ ଥାନା ପୁଲିସ । ଗହୀରମଥାରେ ବିରଳ ଅଲିଭ ରିଡଲେ କଇଁଛ ପ୍ରଜନନ ଋତୁ ଚାଲିଥିବା ବେଳେ କରାଯାଉଛି ସ୍ୱତନ୍ତ୍ର ପାଟ୍ରୋଲିଂ । ପୂର୍ବରୁ କେବଳ ବନ ବିଭାଗ ଏଠାରେ ପାଟ୍ରୋଲିଂ କରୁଥିବା ବେଳେ ଏବେ ଏଥିରେ ସାମିଲ ହୋଇଛି ମେରାଇନ ପୋଲିସ । ଗହୀରମଥା ନୋ ଫିସିଙ୍ଗ୍ ଜୋନ ହୋଇଥିବା ବେଳେ ସମୁଦ୍ର କୂଳଠାରୁ ୨୦ କିଲୋମିଟର ଯାଏଁ ମେସିନ ଡଙ୍ଗା ବା ଟ୍ରଲର ସାହାଯ୍ୟରେ ମାଛ ଧରା ଉପରେ ସମ୍ପୂର୍ଣ୍ଣ କଟକଣା ରହିଛି । କିନ୍ତୁ ପୂର୍ବରୁ ମତ୍ସ୍ୟଜୀବୀମାନେ ବନବିଭାଗର ପାଟ୍ରୋଲିଂ ଟିମକୁ ଖାତିର ନକରି ବେଧଡକ ଭାବେ ଏହି ସମୁଦ୍ର ମଧ୍ୟରେ ପ୍ରବେଶ କରି ମାଛ ମାରୁଥିଲେ ।

ଚଳିତ ବର୍ଷ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଳଚୁଆ ମେରାଇନ ପୁଲିସ ଏହି ପାଟ୍ରୋଲିଂରେ ସାମିଲ ହୋଇଛି । ପୂର୍ବରୁ ତାଳଚୁଆ ସାମୁଦ୍ରିକ ଥାନା ପାଖରେ ସମୁଦ୍ର ମଧ୍ୟରେ ପଇଁତରା ମାରିବା ପାଇଁ କୌଣସି ସାଧନ ନଥିଲା । ଏବେ ଥାନାକୁ ସ୍ପିଡବୋଟ ଆସିବା ପରେ ସାମୁଦ୍ରିକ ଥାନା ପୁଲିସ ସଜାଗ ହୋଇ ରହିଛି । ଦିନ ରାତି ଏକ କରି ସମୁଦ୍ର ମଧ୍ୟରେ ସଶସ୍ତ୍ର ବାହିନୀ ସହ କଡା ପଇଁତରା ଦେଉଛି ତାଳଚୁ ଆସାମୁଦ୍ରିକ ଥାନା ପୁଲିସ । ପ୍ରତ୍ୟେକ ଦିନ ଦିନରେ ୪ ଘଂଟା ସହ ରାତିରେ ବି ପଇଁତରା ମାରୁଛି ମେରାଇନ ପୁଲିସ । ଏହି ସ୍ପିଡବୋଟ ସହ ସଶସ୍ତ୍ର ବାହିନୀ ସମୁଦ୍ର ମଧ୍ୟରେ ପଇଁତରା ମାରୁଛି ।

ପୂର୍ବରୁ କେବଳ ବନବିଭାଗ ଏଠାରେ ପଇଁତରା ମାରୁଥିବାରୁ ମାଛ ମାଫିଆମାନେ ବନବିଭାଗକୁ ଭୟ କରୁନଥିଲେ । ବନବିଭାଗର ଅଧିକାରୀଙ୍କୁ ଚକମା ଦେଇ ନିଦ୍ୱର୍ନ୍ଦରେ ଗଭୀର ସମୁଦ୍ର ମଧ୍ୟରେ ମାଛ ମାରିବା ସହ କଇଁଛ ମାରି ବିଦେଶକୁ ଚାଲାଣ କରିବାକୁ ସକ୍ଷମ ହେଉଥିଲେ । କିନ୍ତୁ ଏବେ ଏଥିରେ ମେରାଇନ ପୁଲିସର କଡା ନଜର ରହିଛି । ଓଡିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା । ଯେଉଁ ସ୍ଥାନକୁ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ଏନ୍ତୁଡିଶାଳ କୁହାଯାଏ । ବିଶ୍ୱରେ ଉପଲବ୍ଧ ଏହି କଇଁଛଙ୍କ ସଂଖ୍ୟା ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ କଇଁଛ ଏହିଠାରେ ସମାଗମ ହୋଇଥାନ୍ତି ।